ତପ୍ତପାଣି କାହିଁକି ପାଲଟିଛି ଦୁର୍ଘଟଣାର ଘାଟି ?

ବ୍ରହ୍ମପୁର (କେନ୍ୟୁଜ୍‌): ବ୍ରହ୍ମପୁର ଠାରୁ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଯିବାକୁ ହେଲେ ଏଇ ତପ୍ତପାଣି ଘାଟୀ ଦେଇ ଯିବାକୁ ପଡିଥାଏ। ଏହା ସହ ଜିରାଙ୍ଗ, ତପ୍ତପାଣି ଏବଂ ଅନ୍ଯ ପର୍ଯ୍ଯଟନସ୍ଥଳୀ ବୁଲିବାକୁ ହେଲେ ଏହି ରାସ୍ତା ହିଁ ଭରସା । ପୂର୍ବରୁ ୧୭ ନମ୍ବର ରାଜ୍ୟ ରାଜପଥ ଥିଲା ଏହି ରାସ୍ତା । ହେଲେ ଏହି ରାସ୍ତାରେ ଦୈନିକ ଶତାଧିକ ବସ୍‌ ଓ ଟ୍ରକ ଯାତାୟାତ କରୁଥିବା ଯୋଗୁଁ ଏହାକୁ ୨୦୧୪/୧୫ରେ ଜାତୀୟ ରାଜପଥରେ ସାମିଲ୍‌ କରାଗଲା । ପଦକ୍ଷେପ ନିଆଗଲା ରାସ୍ତାର ଉନ୍ନତି ପାଇଁ । ତେବେ ବର୍ତ୍ତମାନ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ। ଅଙ୍କା ବଙ୍କା ରାସ୍ତା, ପୁରୁଣା ଶଙ୍ଖ ବା ବ୍ରିଜ୍‌କୁ ବଦଳାଇବା ସହ ରାସ୍ତା ପ୍ରଶସ୍ତୀକରଣ ପାଇଁ ନିଷ୍ପତ୍ତି ହୋଇଛି । କିନ୍ତୁ କାମ ହୋଇନାହିଁ । ଖେମୁଣ୍ଡିଖୋଲ ଠାରୁ ପାଦିରିମା ପର୍ଯ୍ଯନ୍ତ ପ୍ରାୟ ୮ କିଲୋମିଟର ଅଙ୍କା ବଙ୍କା ଘାଟୀ ରାସ୍ତା ରହିଛି । ଅନେକ ସ୍ଥାନରେ ମୋଡ଼ଗୁଡ଼ିକୁ ସିଧା କରିବା ପାଇଁ ନିଷ୍ପତ୍ତି ହୋଇଛି କିନ୍ତୁ କାର୍ଯ୍ଯକାରୀ ହୋଇପାରି ନାହିଁ। କାରଣ ଏହି ଅଙ୍କାବଙ୍କା ରାସ୍ତା ହିଁ ଦୁର୍ଘଟଣାର ଆଉ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ଅଞ୍ଚଳବାସୀ ।

ACCI-2

୨୦୧୯ ଡିସେମ୍ବର ୨୩ ତାରିଖ ଦିନ କଟକ ଯାଉଥିବା ଏକ ପିକ୍‌ନିକ୍‌ ବସ୍‌ ଏଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ହୋଇଥିଲେ । ୨୦୨୦ ଜାନୁଆରୀ ୨୯ ତାରିଖରେ ମାରୁତି ନାମକ ବସ୍‌ ଦୁଘର୍ଟଣା ଗ୍ରସ୍ତ ହେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୦ ଅକ୍ଟୋବର ୧୫ ତାରିଖରେ ଗଜପତି ଜିଲ୍ଲାରୁ ଭୁୂବନେଶ୍ଵର ଅଭିମୁଖେ ଯାଉଥିବା ବସ୍‌ ଓଲଟି ପଡିଥିଲା। ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ACCI-4

ଇଏ କେତୋଟି ମାତ୍ର ଉଦାହରଣ । ଏହି ରାସ୍ତାରେ ବାରମ୍ବାର ରାୟଗଡା ଓ ଗଜପତି ଜିଲ୍ଲାରୁ ଆସୁଥିବା ପେପର ବୋଝେଇ ଟ୍ରକ, ମକା ବୋଝେଇ ଟ୍ରକ ଓଲଟିବା ନଜିର ରହିଛି। ବର୍ଷକ ମଧ୍ୟରେ ୧୫ଟିି ଛୋଟ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ସ୍ଥାନରେ ‘ବ୍ଲାକ ସ୍ପଟ୍‌’ ବୋର୍ଡ ଲଗାଯାଇଛି । ଆଉ କିଛି ସ୍ଥାନରେ ଆକ୍ସିଡେଣ୍ଟ ଜୋନ୍‌ର ବୋର୍ଡ ଲାଗିଛି। ପୁଣି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପୋଡାମାରି ଠାରେ ବିଟ୍‌ ହାଉସ୍‌ ଓ ତପ୍ତପାଣିରେ ପୋଲିସ୍‌ ସହାୟକ କେନ୍ଦ୍ର ମଧ୍ୟ କରାଯାଇଛି ।

ACCI-3

ଫିଟ୍‌ନେସ୍‌ ନଥିବା ଗାଡି ଓ ଆବଶ୍ଯକତା ଠାରୁ ଅଧିକ ଲୋଡିଂ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଦୁର୍ଘଟଣା ବଢିଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ। ଏହି ଘାଟୀରେ ଦୁର୍ଘଟଣାର ଅନେକ କାରଣ ରହିଛି । ସେ ସବୁର ତୁରନ୍ତ ସମାଧାନ କରାଯିବା ସହ ଗାଡ଼ି ଚାଳକମାନଙ୍କୁ ସଚେତନ କରାଗଲେ ଯାଇ କମି ପାରିବ ଦୁର୍ଘଟଣା ସଂଖ୍ୟା । ନଚେତ ତପ୍ତପାଣି ବଦଳରେ ଏହାକୁ ଏମିତି ଲୋକେ କହୁଥିବେ ଦୁର୍ଘଟଣାର ଘାଟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.