ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା କରାଇଥିବା ବ୍ୟକ୍ତିଙ୍କୁ ଆନନ୍ଦ ମହିନ୍ଦ୍ରା ଉପହାରରେ ଦେଲେ Mahindra KUV100

ଦୂରସ୍ଥାନକୁ ଯାତାୟାତ କରିବାକୁ ଖୁବ୍‌ ମଜା ଲାଗେ। ଆଉ ଯଦି ସାଙ୍ଗରେ ମା’ ଥିବେ ତେବେ ମଜା ଦ୍ୱିଗୁଣିତ ହୋଇଯାଏ। ତେବେ ଗତବର୍ଷ ଏକ ପୁଅ ନିଜ ୭୦ ବର୍ଷୀୟା ମା’ଙ୍କୁ ସ୍କୁଟରରେ ତୀର୍ଥ କରାଇବାକୁ ନେଇଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ୩୯ ବର୍ଷୀୟ ଡି.କୃଷ୍ଣ କୁମାର ନିଜ ଚାକିରି ଛାଡ଼ି ମା’ଙ୍କ ଇଚ୍ଛା ପୂରଣ କରିବାକୁ ତାଙ୍କୁ ପ୍ରାୟ ୫୭,୦୦୦ କିଲୋମିଟର ସ୍କୁଟର ଚଳାଇ ତୀର୍ଥ କରାଇଥିଲେ। କିଛି ଲୋକ ତାଙ୍କୁ ପ୍ରଶଂସା କରି ‘କଳିଯୁଗର ଶ୍ରବଣ କୁମାର’ ମଧ୍ୟ କହିଥିଲେ।


ଏହି ଘଟଣା ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହାକୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ ସେ ଡି.କୃଷ୍ଣ କୁମାରଙ୍କୁ ଏକ ନୂଆ ବ୍ରାଣ୍ଡ ନ୍ୟୁ ମହିନ୍ଦ୍ରା KUV100 କାର ମଧ୍ୟ ଉପହାରରେ ଦେଇଛନ୍ତି। ସୂଚନାନୁସାରେ ୧୮ ସେପ୍ଟେମ୍ବର, ୨୦୨୦ରେ କୃଷ୍ଣଙ୍କୁ ଏହି କାର ଦିଆଯାଇଛି। ମହୀଶୂରରେ ମା’ଙ୍କ ଉପସ୍ଥିତିରେ ମହିନ୍ଦ୍ରା ଡିଲରସିପ୍‌ ତାଙ୍କୁ ଚାବି ହସ୍ତାନ୍ତର କରିଛନ୍ତି।

ଏନେଇ କୃଷ୍ଣ କୁମାର କହିଛନ୍ତି ଦିନେ ତାଙ୍କୁ ଲାଗିଲା ଯେ ସାଧାରଣ ଭାବେ ବଞ୍ଚିବା ପାଇଁ ସେ ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରିସାରିଛନ୍ତି। ଏବେ ସେ ମା’ଙ୍କ ସହ ସମୟ ବିତାଇବା ଉଚିତ। ଏଣୁ ସେ ମା’ଙ୍କୁ ତୀର୍ଥ ଯାତ୍ରାରେ ନେବାକୁ ନିଷ୍ପତ୍ତି ନେଇଥିଲେ। ତୀର୍ଥରେ ଯିବା ପୂର୍ବରୁ ସେ ଚେତକ ସ୍କୁଟରର ପଛ ସିଟ୍‌କୁ ଟିକେ ଚଉଡ଼ା କରିଥିଲେ। ଫଳରେ ମା’ ତୀର୍ଥ ବେଳେ ଥକିବେ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବାଟ ଗଲା ପରେ ମଧ୍ୟ ବଜାଜ୍‌ ଚେତକରେ କୌଣସି ସମସ୍ୟା ଦେଖାଇନଥିଲା। କେବଳ ୧୬,୦୦୦ କିଲୋମିଟର ଯିବା ପରେ ଥରେ ପମ୍ପଚର ହୋଇଥିଲା।