Below header

ମାସେ ପରକୁ ଆଶା, ୨୦ରୁ ୨୧ ହେଲେ କଣ ବଦଳିଯିବ ଦୁନିଆର ଭାଗ୍ୟ ?

ଆଉ ଠିକ୍‌ ମାସଟିଏ ପରେ ବିଦାୟ ନେବ ବର୍ଷ ୨୦୨୦। ଅନେକ ଯାତନା, ନିର୍ଯାତନା ଦେଇ ସାରିଲାଣି ଏଇ ବର୍ଷ । ତେଣୁ ସାଧାରଣ ଲୋକଙ୍କ ମନରେ ଅନେକ ଆଶା ଓ ଆଶଙ୍କା । ଏ ବର୍ଷ ଯେଉଁ ସବୁ କଷ୍ଟ ସହିଛୁ ନୂଆ ବର୍ଷରେ ଆଉ ନହେଉ । ତେବେ ମଣିଷ ଯାହା ସବୁ ଆଶା କରେ ସେ କଥା ଘଟିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । କାରଣ ଯେତେ ଜ୍ୟୋତିଷ କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ସେମାନେ କେବେଠୁ ଲୁଚି ଗଲେଣି । ପୁଣି କରୋନା ଭ୍ୟାକସିନ କେବେ ଆସିବ ତାହାର ମଧ୍ୟ ସଠିକ୍‌ ସମୟ କେହି କହି ପାରୁନାହାନ୍ତି । ତେଣୁ ଯେକୌଣସି ବିପଦ ଆପଦକୁ ସାମନା କରିବା ପାଇଁ ମାନସିକ ଭାବେ ସମସ୍ତେ ପ୍ରସ୍ତୁତ ରହିବା ଜରୁରୀ । ଯାହା ଦ୍ୱାରା ହୁଏତ ବିପଦ କମି ନପାରେ ହେଲେ ଏହାକୁ ସାମନା କରିବାର ଶକ୍ତି ଓ ଧୈର୍ଯ୍ୟ ତ ନିଶ୍ଚୟ ଆସିବ ।

WORLD-1ଏ ବର୍ଷ କରୋନା ଆମକୁ ନୟାନ୍ତ କରିଛି । ଅନେକଙ୍କ ଆମଠାରୁ ଛଡ଼ାଇ ନେଇଛି । ହେଲେ ଏକଥା ମଧ୍ୟ ସତ ଯେ ପ୍ରତ୍ୟେକ ବାଧାବିଘ୍ନ ପରେ ମଣିଷ ସିନା ପଡ଼ିଯାଏ । ପୁଣି ନୂଆ ଶକ୍ତି ଓ ଆଶା ନେଇ ଆଗକୁ ବଢ଼େ । ଏହି ବାଧା ପ୍ରତିବନ୍ଧକ ତାକୁ ଅଧିକ ଦୃଢ଼ମନା କରିଦିଏ ।
ମସିହା ୨୦୨୦ରେ କେବଳ କରୋନା ନୁହେଁ, ରାଜନୈତିକ ଅସ୍ଥିରତା, ବନ୍ୟା, ବାତ୍ୟା, ଭୂମିକମ୍ପ, ଦୁର୍ଘଟଣା ଆଦି ସମସ୍ତେ ଯେମିତି ଅକଟୋପସ୍‌ ଭଳି ଗ୍ରାସ କରିଛନ୍ତି ସାରା ବିଶ୍ୱକୁ । ଅତୀତରେ ଅନେକ ଝଡ଼ଝଞ୍ଜା ଭିତରେ ଗତି କରିଥିବା ମଣିଷ ସମାଜ ସବୁବେଳେ ନିଜ ସତ୍ତା ବଜାୟ ରଖିବାରେ ସମର୍ଥ ହୋଇଛି । ହରାଇଛି ସିନା ହେଲେ ହାରି ନାହିଁ । ତେଣୁ ସେ କରୋନା ହେଉ କି ଅନ୍ୟ କୌଣସି ଦୈବୀ ଦୁର୍ବିପାକ, ମଣିଷ ମୁଣ୍ଡ ନୁଆଁଇବ ସିନା ନିଶ୍ଚିହ୍ନ ହେବ ନାହିଁ । କାରଣ ସବୁ କିଛି ହେଉଛି ସମୟର ଖେଳ । ଏଠି କରୋନା ଚ୍ୟାଲେଞ୍ଜ ଦେଇଛି ମଣିଷର ବୁଦ୍ଧିମତ୍ତାକୁ । ତାର ଧୈର୍ଯ୍ୟ ଏବଂ ପାରିବା ପଣିଆକୁ । ସେହି ଚ୍ୟାଲେଞ୍ଜକୁ ଗ୍ରହଣ ବି କରିଛି ମଣିଷ । ଜିତିବ ତ ନିଶ୍ଚୟ । ହୁଏତ ଟିକେ ସମୟ ଲାଗିବ ।

WORLD-6

 

ତେଣୁ ସମୟ ଠାରୁ କେହି ବଡ଼ ବଳବାନ୍‌ ନାହିଁ । କ୍ୟାଲେଣ୍ଡରରେ ଦିନ ଗଡ଼ିଗଲା ଭଳି ମାର୍ଚ୍ଚରୁ ନଭେମ୍ବର ବିତି ଗଲାଣି । ବେଶ୍‌ କିଛି ବଦଳାଇ ଦେଇଛି ଏଇ ମହାମାରୀ କରୋନା । ହେଲେ ମଣିଷ ଆଉ ଆଗ ଭଳି ତାକୁ ଡରୁ ନାହିଁ । ମୁକାବିଲା କରିବାର ସାହସ ଯୁଟାଇ ସାରିଲାଣି । ଏବେ ଖାଲି ଅପେକ୍ଷା ନିଜର ସମ୍ପୂର୍ଣ୍ଣ ଦମ୍ଭ ରଖି ତାକୁ ଯେମିତି ପୂରାପୂରି ହରାଇବ ।
ସମୟ ତିଆରି କରେ ବର୍ଷ ଆଉ ମସିହା। ହେଲେ କିଏ ଦେଇଯାଏ ଏଭଳି ଦୈବୀ ଦୁର୍ବିପାକ ? ଏକଥା ଏଯାଏ ବୁଝିନି ମଣିଷ । କାରଣ ଯେ ପର୍ଯ୍ୟନ୍ତ ମଣିଷ ନିଜକୁ ଭଲ ଭାବେ ବୁଝି ନାହିଁ କି ପ୍ରକୃତିର ସମ୍ମାନ କରିନାହିଁ, ଆବଶ୍ୟକତା ଠାରୁ ଅଧିକ ଆଶା କରିଛି ସେ ଯାଏ ପରିସ୍ଥିତି ବଦଳିବ ନାହିଁ ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.