ଢାବା ଚଳାଉଛନ୍ତି ସିଭିଲ ଇଂଜିନିୟର। ସ୍ୱାମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଜାତୀୟ ରାଜପଥ କଡ଼ରେ ଥିବା ଢାବାକୁ ପରିଚାଳନା କରୁଛନ୍ତି ବିଟେକ୍ ଗ୍ରାଜୁଏଟ ଲିପିକା ଦାସ। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ନଳାଙ୍ଗ ବଜାର ନିକଟରେ ରହିଛି ସାହୁ ଢାବା। ଏହି ଢାବାକୁ ଚଳାଉଛନ୍ତି ବିଭୂତିପୁର ଅଞ୍ଚଳର ଜଣେ ବି -ଟେକ ପାସ କରିଥିବା ସିଭିଲ ଇଂଜିନିୟର ଲିପିକା ଦାସ। ବୟସ ମାତ୍ର 24 ବର୍ଷ। ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟର କଲେଜରେ ବି – ଟେକ ପଢ଼ା ଶେଷ କରିଛନ୍ତି। ତାଙ୍କ ସ୍ୱାମୀ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାଟର ଭାବେ ବେଙ୍ଗାଲୁରୁରେ କାର୍ଯ୍ଯ କରୁଥିଲେ। ମାତ୍ର କରୋନା ମହାମାରୀ ପାଇଁ ଗତ ବର୍ଷଠୁ ଲକଡାଉନ ହେବା ପରେ ସେ ଘରକୁ ଫେରିଥିଲେ। ସେବେ ଠୁ ପରିବାର ପ୍ରତିପୋଷଣ ପାଇଁ ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲ ବା ଢାବାକୁ ଚଳାଉଛନ୍ତି। ତେବେ ସ୍ୱାମୀଙ୍କ କାମରେ ତାଙ୍କ ସାଥ ଦେଇଛନ୍ତି ଲିପିକା।
ସ୍ୱାମୀ-ସ୍ତ୍ରୀ ମିଶି ଏହି ଢାବାକୁ ଚଳାଉଛନ୍ତି। ନିଜେ ପରିବା କିଣିବା ଠାରୁ ଆରମ୍ଭ କରି ପରିବା କାଟି ରୋଷେଇ କରିବା ଓ କାଉଣ୍ଟରରେ ବସି ଟଙ୍କା ରଖିବା ପର୍ଯ୍ଯନ୍ତ ସବୁ କାମ କରୁଛନ୍ତି ଲିପିକା। ଲିପିକାଙ୍କର କାର୍ଯ୍ୟଶୈଳୀ ଦେଖି ଢାବାକୁ ଆସୁଥିବା ଲୋକେ ମଧ୍ୟ ତାଙ୍କୁ ବେଶ୍ ପ୍ରଶଂସା କରୁଛନ୍ତି। ଢାବାକୁ ଆସୁଥିବା ଗ୍ରାହକଙ୍କ ଠାରୁ କର୍ମଚାରୀଙ୍କ ପର୍ଯ୍ଯନ୍ତ ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ବ୍ଯବହାର କରନ୍ତି ଲିପିକା। ସେମାନଙ୍କୁ ନିଜେ ହାତରେ ଖାଦ୍ୟ ପରଷି ଦେଉଛନ୍ତି। ଲାଗୁଛି ଯେମିତି ଢାବାରେ ନୁହେଁ, ନିଜ ଘରେ ବସି ଖାଉଛନ୍ତି ଆଉ ମା କିମ୍ବା ଭଉଣୀ ସବୁକଥା ବୁଝୁଛନ୍ତି। ଏମିତି ଆତ୍ମୀୟତା ସୃଷ୍ଟି କରିପାରିଛନ୍ତି ଏହି ଉଚ୍ଚଶିକ୍ଷିତା ଲିପିକା ଦାସ। କେବଳ ସେତିକି ନୁହେଁ କରୋନା କଟକଣା ଯୋଗୁ ଢାବା ବର୍ତ୍ତମାନ ଭଲ ଚାଲୁ ନାହିଁ। କେବଳ ପାର୍ସଲ ଦିଆଯାଉଛି। ତେବେ ଏଭଳି ସ୍ଥିତିରେ ମଧ୍ୟ ସାମାଜିକ ପ୍ରତିବଦ୍ଧତାକୁ ଭୁଲି ନାହାନ୍ତି ଲିପିକା। ଢାବାକୁ ଆସୁଥିବା ଗରିବ ଅସହାୟ ମାନସିକ ବିକାରଗ୍ରସ୍ତଙ୍କୁ ମଧ୍ୟ ମାଗଣାରେ ଖାଦ୍ୟ ଦେଉଛନ୍ତି। ଏପରିକି ଗୋରୁ ଗାଈମାନଙ୍କୁ ମଧ୍ୟ ସେ ଖାଇବାକୁ ଦେଉଛନ୍ତି। ଏଥିରେ ତାଙ୍କୁ ପରମ ଆନନ୍ଦ ମିଳୁଥିବା କହିଛନ୍ତି ଲିପିକା।
ଅନ୍ୟପଟେ ପ୍ରତି ଦିନ ସକାଳ 8 ଟାରୁ ରାତି 1 ଟା ପର୍ଯ୍ଯନ୍ତ ଖୋଲା ରହେ ଢାବା। ପୂର୍ବରୁ ଏଠାରେ 7 ଜଣ କର୍ମଚାରୀ କାର୍ଯ୍ଯ କରୁଥିବା ବେଳେ ଏବେ କରୋନା ସମୟରେ ମାତ୍ର 3 ଜଣ ହିଁ କାମ କରୁଛନ୍ତି। ଏହି କର୍ମଚାରୀଙ୍କ ସହ ମିଶି ଲିପିକା ବି ସକାଳୁ ସଞ୍ଜ ଯାଏଁ କାମରେ ଲାଗି ପଡ଼ିଛନ୍ତି। ସେହିପରି ମହାମାରୀ ସମୟରେ ଢାବାରେ କାମ କରି ଦୁଇପଇସା ରୋଜଗାର କରିପାରୁଥିବାରୁ ଲିପିକାଙ୍କୁ ଢାବା କର୍ମଚାରୀ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ତେବେ ଖାଦ୍ୟ ଯେମିତି ସ୍ୱାଦିଷ୍ଟ ତଥା ପରିଷ୍କାର ଓ ପରିଚ୍ଛନ୍ନ ହୋଇ ପ୍ରସ୍ତୁତ ହେବ ସେଥିପ୍ରତି ଅଧିକ ଗୁରୁତ୍ବ ଦେଇଥାନ୍ତି ଲିପିକା। ଏବେ କୋଭିଡ କଟକଣା ଯୋଗୁ ତାଙ୍କ ବେପାର ଧିମେଇ ଯାଇଥିଲେ ବି ଖାଦ୍ୟର ଗୁଣବତ୍ତା ସହ କୌଣସି ସାଲିସ କରାଯାଇନାହିଁ ବୋଲି କହିଛନ୍ତି ଲିପିକା। ତେବେ ବର୍ତ୍ତମାନର ସମାଜରେ ଯଦି ସମସ୍ତେ ଲିପିକାଙ୍କ ଭଳି ଆତ୍ମ ନିର୍ଭରଶୀଳ ହୁଅନ୍ତେ, ତେବେ ଦେଶରୁ ବେକାରୀ ସମସ୍ୟା ନିମିଷକେ ଦୂରେଇ ଯାଆନ୍ତା।