ଆଜି ଜନ୍ମ ନେଇଥିଲେ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜାଣନ୍ତୁ ଶ୍ରୀମନ୍ଦିରର ବିଧି ଓ ନୀତି ପରମ୍ପରା
ରତ୍ନସିଂହାସନରେ ବିରାଜିତ ସପ୍ତାବରଣ ବିଗ୍ରହମାନଙ୍କ ମଧ୍ୟରୁ ଶ୍ରୀବଳଭଦ୍ର ଅନ୍ୟତମ, ଯେ କି ବଡଠାକୁର, ବଳଦେବ,ସଙ୍କର୍ଷଣ, ରେବତୀବଲ୍ଲଭ, ରାହିଣେୟ, କାମପାଳ ପ୍ରଭୃତି ନାମରେ ବିଦିତ ଓ ପୂଜିତ। ଶ୍ରୀବଳଭଦ୍ରଙ୍କର ଜେନ୍ମାତ୍ସବ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମାରେ ପାଳିତ ହୋଇଥାଏ। ଏହି ଉପଲକ୍ଷେ ପ୍ରଭୁ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ବିଧିବିଧାନର ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ଏହିଦିନ ଭୋଗ ମଣ୍ଡପ ଭୋଗ ସରିବା ପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ ହୋଇଥାଏ। ତତ୍ପର ତିନୋଟି ରୂପା ପିଙ୍ଗଣରେ ‘ଚନ୍ଦନ’ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଏ ଏବଂ ବୋଇରାଣୀ ପତନୀ ଲୁଗା ହୋଇ ଦ୍ବିପ୍ରହର ଧୂପ ଲାଗି କରାଯାଇଥାଏ।
ଶ୍ରୀବିଗ୍ରହମାନଙ୍କୁ ତିନି ଖଣ୍ଡ ଆଜ୍ଞାମାଳା, ଚାରିଖଣ୍ଡ ପାଟରାଖି ଓ ଗୁଆର ମାଳି ଲାଗି କରାଯାଏ। ଭିତରେ ପାଣି ପଡି ବଡବାଡ ବଳଭଦ୍ରଙ୍କର ସିଂହାସନ ସମ୍ମୁଖରେ ତଳେ ଷ୍ଠଷ୍ଠୀ ଦେବୀ, ମାର୍କଣ୍ଡ ଓ ବରୁଣ ପୂଜା ପାଇଁ ମୁରୁଜ ଠାଆ କରାଯାଏ। ରୋଷକୁ ଦ୍ବିପ୍ରହର ଧୂପ ସହ ଜାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ। ଏବଂ ପୂଜା ପଣ୍ଡା ତିନି ଜଣ ଷୋଡଶ ଉପଚାରରେ ପୂଜା ମଣୋହି କରିଥାନ୍ତି। ପୁନଶ୍ଚ ପାଣି ପଡି ସେହି ସ୍ଥାନ ପରିଷ୍କାର ହେବା ପରେ ମଙ୍ଗଳାର୍ପଣ ସମାଗ୍ରୀମାନ ବଳଭଦ୍ରଙ୍କ ଆଗରେ ରଖାଯାଇଥାଏ। ଜନୈକ ପୂଜାପଣ୍ଡା ମଙ୍ଗଳାର୍ପଣ କରିଥାନ୍ତି। ଏହି ନୀତି ପରେ ମୁଦିରସ୍ତ ପତିମହାପାତ୍ର ଓ ପୂଜାପଣ୍ଡା ଓ ତିନି ବାଡର ବନ୍ଦାପନା କରିଥାନ୍ତି। ଦକ୍ଷିଣି ପ୍ରଭୁ ଶ୍ରୀ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବା ପରେ ଏଠାରେ ପୂଜାପଣ୍ଡା ଶ୍ରୀଦେବୀ, ଭୂଦେବୀ, ଶ୍ରୀମଦନମୋହନଙ୍କୁ ଆଜ୍ଞାମାଳା ପ୍ରଦାନ କରନ୍ତି। ତତ୍ପରେ ତିନି ଚଳନ୍ତି ପ୍ରତିମା ଝୁଲଣ ମଣ୍ଡପରେ ବିଜେ କରିଥାନ୍ତି।
ଏହା ପରେ ଦଇତାପତିମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଗୋଟିଏ ଆଜ୍ଞାମାଳା ସୁଦର୍ଶନକୁ ଦିଆଯାଏ। ଏବଂ ଦଇତା ମାନେ ସୁଦର୍ଶନଙ୍କୁ ବିଜେ କରାଇ ଜଗମୋହନରେ ସୁସଜିତ ଥିବା ଗୋଟିଏ ଚଉଦଳାରେ ଅଧିଷ୍ଠିତ କରାଇଥାଆନ୍ତି। ଚାଙ୍ଗଣା ପାଟଣା ଦେଇଥିବା ପାଟ-ପତନି ତଥା ଦୟଣାମାଳି ସେବକ ଯୋଗାଇଥିବା ଚଳ ପାଳିଆ ଖୁଣ୍ଟିଆଠାରୁ ନେଇ ସୁଦର୍ଶନଙ୍କ ମସ୍ତକରେ ଲାଗି କରିଥାନ୍ତି। ଏହାପରେ ବିମାନକୁ ସେବକମାନେ ଚଉଦୋଳ ନେଇ ସୁଦର୍ଶନଙ୍କୁ ଝୁଲଣ ମଣ୍ଡପ ତଳେ ବିଜେ କରାନ୍ତି। ସେଠାରେ ଭଣ୍ଡାର ମେକାପ ଦେଇଥିବା ସୁବର୍ଣ୍ଣ ଓଡିଆଣି (କମର ପଟି) ଓ ସୁନା ହରଡମାଳ ସୁଦର୍ଶନଙ୍କୁ ଲାଗି କରାଯାଏ। ଏହି ସବୁ ନୀତି, ବେଶ ଓ ରୁଦ୍ଧା କାର୍ଯ୍ୟ ସରିବା ପରେ ବିମାନବଡୁମାନେ ସୁଦର୍ଶନ ଦେବଙ୍କୁ ବିମାନରେ ନେଇ ମାର୍କଣ୍ଡ ମନ୍ଦିରଠାରୁ ଯାଆନ୍ତି ଓ ସେଠାରେ ମଣ୍ଡପ ଉପରେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇଥାନ୍ତି।
ଏହାସହ ପଢନ୍ତୁ: ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଝୁଲଣ ଯାତ୍ରା, ୭ ଦିନ ଧରି ଚାଲିବ ଏହି ପର୍ବ
ଏହି ମଣ୍ଡପ ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ବନମାଟିରେ ସୁଦୁ ସୁଆର ସେବକ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି। ପୂଜାପଣ୍ଡା ତାହାଙ୍କୁ ଜୀବନାସ ଦେଇ ବିଧିମୁତାବକ ତାଙ୍କର ଜାତକର୍ମ କରିଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଞ୍ଚୋପଚାର ବିଧିରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଶେଷରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇ ବଳଭଦ୍ରଙ୍କ ପିତୁଳାକୁ ଜଳରେ ବିସର୍ଜନ କରାଯାଇଥାଏ।
ବଳଭଦ୍ର ଜନ୍ମୋତ୍ସବ ତଥା ଜାତକର୍ମ ବିଧି ସମାପ୍ତ ପରେ ବିମାନବଡୁମାନେ ଶ୍ରୀସୁଦର୍ଶନଙ୍କୁ ବିମାନରେ ନେଇ ଅନ୍ୟ ତିନି ଆଶ୍ରମ ( ଭ୍ଗୁ, ଅଙ୍ଗିରା, କଣ୍ଡୁ) ତଥା ନଗର ଭ୍ରମଣ କରି ବଡଦେଉଳକୁ ବାହୁଡା ବିଜେ କରିଥାନ୍ତି। ଶ୍ରୀସୁଦର୍ଶନ ଦେବଙ୍କ ବାହୁଡା ବିଜେ ପରେ ଚାରିଜଣ ପୂଜାପଣ୍ଡା ଆସି ମହାସ୍ନାନ ପୂଜା କରିଥାନ୍ତି। ଏହାପରେ ଠାକୁରଙ୍କ ସମସ୍ତ ନୀତି ସମାପ୍ତ ହେବା ପରେ ଭୋଗ କରାଯାଇ ସୁଦର୍ଶନଙ୍କ ବାଡରେ ବନ୍ଦାପନା ହୁଏ। ମୁଦିରସ୍ତ ସେବକ ସୁଦର୍ଶନଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ଏହି ଦିନ ଝୁଲଣ ଯାତ୍ରାର ଅନ୍ତିମ ଦିବସ ଅଟେ।