୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ ନଜର ପଡ଼ିଥିଲା ବ୍ରାହ୍ମଣୀ ନଦୀ ଉପରେ । ଇଚ୍ଛା ହୋଇଥିଲା ନଦୀରେ ଟିକେ ଗାଧୋଇବାକୁ । ତେଣୁ ୬ ଜଣ ବନ୍ଧୁ ଜଣ ଜଣ କରି ନଦୀକୁ ଗାଧୋଇବା ପାଇଁ ଡିଆଁ ମାରିଥିଲେ । ହେଲେ ତାଙ୍କର ଏହି ଇଛା ତାଙ୍କ ପାଇଁ କାଳ ସାଜିଲା । ସେମାନେ ମନ୍ଦିର ବୁଲାବୁଲି ସାରି ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସାଙ୍ଗ ସାଥି ମେଳରେ ହସ ମଜା ହୋଇ ଗାଧୋଉଥିଲେ ସମସ୍ତ ଛାତ୍ରଛାତ୍ରୀ । ତେବେ ମଜା ମଜଲିସ ବେଳେ ହଠାତ ଅଧିକ ପାଣି ଥିବା ଅଞ୍ଚଳକୁ ପଶି ଯାଇଥିଲେ ସମସ୍ତେ ।

ତେବେ ଗାଧୋଇବା ବେଳେ ହଠାତ ଦୁଇ ଜଣ ସାଙ୍ଗ ବୁଡ଼ିଯାଉଥିବା ଦେଖି ବଞ୍ଚାଇବାକୁ ଯାଇ ପାଣିରେ ଆଉ ଜଣେ ସାଙ୍ଗ ନଦୀ ଭିତରକୁ ପଶିଯାଇଥିଲେ । ହେଲେ ଚୋରା ବାଲି ଯୋଗୁଁ ତାଙ୍କ ଗୋଡ଼ ଖସିବାରୁ ସେ ମଧ୍ୟ ବୁଡ଼ିଯାଇଥିଲେ । ଛଅ ଜଣ ସାଙ୍ଗ ମଧ୍ୟରୁ ଦୁଇ ଜଣଙ୍କ ଗୋଡ଼ ଖସି ଯିବାର ଦେଖି ଅନ୍ୟ ଚାରି ଜଣ ସାଙ୍ଗ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଡ଼ ଦୁଃଖର ବିଷୟ ଦୁଇ ଜଣ ବୁଡି ଯାଇଥିଲେ । ପିଲାମାନେ ବୁଡିଯାଉଥିବା ଦେଖି ଲୋକେ ଉଦ୍ଧାର କରିବାକୁ ଆସିଥିଲେ । ଉଦ୍ଧାର ପରେ ସମସ୍ତଙ୍କୁ ରାଉରକେଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଇ ଜଣ ଯୁବକଙ୍କର ପାଣିରେ ବୁଡି ଯାଇଥିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ମୃତ୍ୟୁ ହୋଇଥିବା ଦୁଇ ଯୁବକ ହେଉଛନ୍ତି ସମୀର ନାୟକ, ପିପିଲି ଅଞ୍ଚଳର ଏବଂ ରଜତ ସାହୁ ବାଲେଶ୍ଵର ଅଞ୍ଚଳର ବୋଲି ସୂଚନା ରହିଛି । ତେବେ ଅନ୍ୟ ଆହତ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ମଲାରପଦା ଆନନ୍ଦପୁର ର ସମ୍ବୋଧନ ସାହୁ,ନୟାପଲ୍ଲୀ ଭୁବନେଶ୍ୱରର ଅଭିଲିପ୍ସା ପ୍ରଧାନ, ଭୁବନେଶ୍ୱର ଦୂରଦର୍ଶନ କଲୋନୀ ଅଞ୍ଚଳର ବୈଷ୍ଣ ଦେବୀ ସେଠି ଏବଂ ଭୁବନେଶ୍ୱର ଶିଶୁପାଳ ନଗରର ତପନ କୁମାର ପାତ୍ର ।

ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନସିପ୍‌ ପାଇଁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ରଜତ ସାହୁ, ସମୀର ନାୟକଙ୍କର ଅକାଳ ମୃତ୍ୟୁ ଘଟିଛି । ସମସ୍ତେ ନିଟକୁ ଇଣ୍ଟରନସିପ୍‌ ପାଇଁ ଆସିଥିଲେ କିନ୍ତୁ ତାଙ୍କ ସହ ଏହି ଅଘଟଣ ଘଟିଯାଇଛି । ଏନେଇ ମୃତଦେହ ଜବତ କରି ତଦନ୍ତ ଚଳାଇଛି ପୋଲିସ । ସେପଟେ ପରିବାର ଲୋକେ ପିଲାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ରାଉରକେଲାର ବିଧାୟକ ସାରଦା ନାୟକ ପହଞ୍ଚି ମୃତାହତଙ୍କ କଥା ପଚାରି ବୁଝି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ ।

Leave A Reply

Your email address will not be published.