ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି ରଖିଥାନ୍ତି । କିଛି ଲୋକ କଏନ୍ ସଂଗ୍ରହ କରିବାକୁ ବହୁତ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ମୁଦ୍ରା ବା କଏନ୍ କେଉଁ ଧାତୁରେ ତିଆରି ହୋଇଛି ଏବଂ କେଉଁ ସ୍ଥାନରେ ଏହାକୁ ତିଆରି କରାଯାଏ ? ଯଦି ଏ ବିଷୟରେ ଆପଣମାନେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କଏନ୍ ତିଆରି କରିବା ପାଇଁ କେଉଁ ଧାତୁ ବ୍ୟବହାର କରାଯାଏ । କେଉଁ ସ୍ଥାନରେ ମୁଦ୍ରା ତିଆରି ହୁଏ ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଜାଣିବା କଏନକୁ ନେଇ କିଛି ଖାସ୍ କଥା ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ୱେବସାଇଟ୍ ଅନୁଯାୟୀ ଭାରତର ଚାରୋଟି ସ୍ଥାନରେ କଏନ୍ ତିଆରି କରାଯାଏ । ମୁମ୍ବାଇ, କୋଲକାତାର ଅଲିପୁର, ହାଇଦ୍ରାବାଦ ଏବଂ ନୋଏଡ଼ା ଭଳି ୪ଟି ସ୍ଥାନରେ କଏନ୍ ତିଆରି କରାଯାଉଛି । କେବଳ ଏତିକି ନୁହେଁ କଏନ୍ ଉପରେ ଥିବା ଚିହ୍ନକୁ ଦେଖି ଆପଣ କେଉଁଠାରେ ମୁଦ୍ରା ତିଆରି ହୋଇଛି ତାହା ମଧ୍ୟ ଜାଣିପାରିବେ । ସୂଚନା ଥାଉ କି କଏନ୍ ଯେଉଁ ମସିହାରେ ପ୍ରସ୍ତୁତ କରାଯାଏ ସେହି ମସିହାର ନମ୍ବର ମୁଦ୍ରାରେ ଲେଖାଯାଇଥାଏ । ସେହିପରି କଏନରେ ଲେଖାଯାଇଥିବା ମସିହାର ନମ୍ବର ତଳେ ଏକ ଚିହ୍ନ ଥାଏ, ଯେଉଁଥିରେ ସେହି କଏନ କେଉଁଠାରେ ତିଆରି ହୋଇଛି ଜଣା ପଡ଼ିଥାଏ ।
ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଯଦି ଗୋଟିଏ କଏନରେ ଷ୍ଟାର ଚିହ୍ନ ଥାଏ, ତେବେ ଏହାର ଅର୍ଥ କଏନଟି ହାଇଦ୍ରାବାଦରେ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଯେଉଁ କଏନରେ ଏକ ସଲିଡ୍ ଡଟ୍ ଥିବ ତାହା ନୋଏଡାରେ ତିଆରି ହୋଇଥିବା ଜାଣିପାରିବେ । ଏହା ବ୍ୟତୀତ ମୁମ୍ବାଇରେ ପ୍ରସ୍ତୁତ ହେଉଥିବା କଏନଗୁଡ଼ିକରେ ଡାଇମଣ୍ଡ ସେପ୍ ରହିଥାଏ । ସେହିପରି କୋଲକାତାରେ ପ୍ରସ୍ତୁତ ହେଉଥିବା କଏନ୍ ଉପରେ କୌଣସି ପ୍ରକାରର ଚିହ୍ନ ନଥାଏ । ଭାରତରେ ମୁଦ୍ରା ଅଧିନିୟମ ୧୯୦୬ ଅନୁଯାୟୀ କଏନ୍ ପ୍ରସ୍ତୁତ କରାଯାଇଥାଏ । ଏହି ଅଧିନିୟମ ଅନୁଯାୟୀ ମୁଦ୍ରା ଉତ୍ପାଦନ ଏବଂ ଯୋଗାଣର ଦାୟିତ୍ୱ ଭାରତ ସରକାର ଆରବିଆଇକୁ ଦେଇଛନ୍ତି ।
କେଉଁ ଧାତୁରୁ ମୁଦ୍ରା ତିଆରି ହୁଏ?
ସୂଚନା ଅନୁଯାୟୀ ଭାରତ ସରକାର ଧାତୁର ମୂଲ୍ୟ ଉପରେ ନିର୍ଭର କରି ସମୟ ସମୟରେ ବିଭିନ୍ନ ଧାତୁ ବ୍ୟବହାର କରି କଏନ୍ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଅଧିକାଂଶ ମୁଦ୍ରା ଉତ୍ପାଦନ ପାଇଁ ଫେରିଟିକ୍ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର କରାଯାଉଛି ଯେଉଁଥିରେ ୧୭% କ୍ରୋମିୟମ୍ ଏବଂ ୮୩ % ଲୁହା ରହିଛି । ଯଦି ଆମେ ୧୦ ଟଙ୍କା କଏନ୍ ବିଷୟରେ କହିବା, ତେବେ ୧୦ ଟଙ୍କା କଏନ୍ ଗୋଲ ଆକାରର ଥାଏ ଏବଂ ଏହାର ଲମ୍ବ ୨୭ ମିମି । ଏହି ମୁଦ୍ରାର ଓଜନ ୭.୭୧ ଗ୍ରାମ ଯେଉଁଥିରେ ବାହାର ସ୍ତରରେ ଥିବା ହଳଦିଆ ରଙ୍ଗର ଓଜନ ୪.୪୫ ଗ୍ରାମ ଥିବାବେଳେ ଭିତର ଅଂଶର ଓଜନ ୩.୨୬ ଗ୍ରାମ ।