Below header

ଜାତିପ୍ରଥାକୁ ନେଇ ଶବକୁ ଛୁଇଁଲେନି ସମ୍ପର୍କୀୟ, ଶେଷରେ ଚାରି ନୁହେଁ ତିନି କାନ୍ଧରେ ଗଲେ ମଶାଣୀ

ମଣିଷ ମରିଯିବା ପରେ ବି ତାକୁ ଚାରି କାନ୍ଧ ଦେବାକୁ ନ ଆସିବା । ଯାହା ଆମ ସମାଜ ପାଇଁ ଚିନ୍ତା ଓ ଲଜ୍ଜାର କଥା ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ଗ୍ରାମରେ।

ପଦ୍ମପୁର(କେନ୍ୟୁଜ୍): ଆଜିକାଲି ସମାଜରେ ମଣିଷ ଆଗରେ ସମ୍ପର୍କର ମୂଲ୍ୟ ଠାରୁ ନିଜ ସ୍ୱାର୍ଥର ମୂଲ୍ୟ ଅଧିକ। ତେଣୁ ତ ଧିରେ ଧିରେ ହଜିବାକୁ ବସିଲାଣି ମାନବିକତା । ତେଣୁ ଆଜିକା ସମୟରେ ବି ଏସମାଜରେ ମୃତ୍ୟୁ ପରେ ମିଳୁନି ସମ୍ପର୍କୀୟଙ୍କ ଚାରି କାନ୍ଧ । ଆଜି ବି ସମାଜରେ ଥିବା ଜାତିପ୍ରଥା ଯୋଗୁ ଅନେକ ସମସ୍ୟା ଦେଖା ଦେଉଛି। ସବୁଠାରୁ ବଡ ସମସ୍ୟା ହେଉଛି ମଣିଷ ମରିଯିବା ପରେ ବି ତାକୁ ଚାରି କାନ୍ଧ ଦେବାକୁ ନ ଆସିବା । ଯାହା ଆମ ସମାଜ ପାଇଁ ଚିନ୍ତା ଓ ଲଜ୍ଜାର କଥା ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ଗ୍ରାମରେ। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଗାଁର ଧୁବୁନୀ ସେଠ୍ । ହଠାତ୍ ଗତକାଲି ଅସୁସ୍ଥ ହେବା ଯୋଗୁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ତୁରନ୍ତ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ହେଉଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ଶବକୁ ନେଇ ଗାଁରେ ପହଞ୍ଚିଥିଲେ କିଛି ଗ୍ରାମବାସୀ। ହେଲେ ଏଇଠି ଦେଖା ଦେଲା ସମସ୍ୟା । ଧୁବୁନୀଙ୍କ ଜାତି ତାଙ୍କ ମଶାଣି ଯିବା ରାସ୍ତାରେ ପ୍ରତିବନ୍ଧକ ସାଜିଲା । କେହି ବି ତାଙ୍କ ସମ୍ପର୍କୀୟମାନେ କୋକେଇକୁ କାନ୍ଧ ଦେବାକୁ ଟିକେ ଆସିଲେ ନାହିଁ ।

ଜାତି ପ୍ରଥାକୁ ନେଇ ଶବକୁ କେହି ନ ଛୁଇଁବାରୁ ଶେଷରେ ଗ୍ରାମର କିଛି ସମାଜସେବୀ ଗ୍ରାମର ସରପଂଚଙ୍କ ସ୍ଵାମୀଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରକେ କଟାବାହାଲ ସରପଞ୍ଚଙ୍କ ସ୍ଵାମୀ ଏବଂ ତାଙ୍କ ସାଥୀ ସମାଜସେବୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନଙ୍କ ସହଯୋଗରେ ଧୁବୁନୀଙ୍କ ଶବକୁ କାନ୍ଧ ଦେଇ ପ୍ରାୟ ତିନି କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଇ ଶେଷରେ ଶବ ସତ୍କାର କରିଥିଲେ ।

କୁହାଯାଏ ମଣିଷ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ । ହେଲେ ସେହି ମଣିଷକୁ ମୃତ୍ୟୁ ପରେ ଚାରି କାନ୍ଧ ବି ନମିଳିବା ଦୁର୍ଭାଗ୍ୟ ଆଉ ବିଡମ୍ବନାର ବିଷୟ ନୁହେଁ ତ ଆଉ କଣ । ଆଜି ବି ସମାଜରେ ଥିବା ଜାତିପ୍ରଥା ପାଇଁ ଧୁବୁନୀଙ୍କ ଭଳି ଅନେକ ଲୋକଙ୍କୁ ମୃତ୍ୟୁ ପରେ ପ୍ରତାଡନା ଓ ତିରସ୍କାରର ସାମ୍ନା କରିବାକୁ ପଡୁଛି । ଏଭଳି ସମୟରେ ଗ୍ରାମର ସମାଜସେବୀଙ୍କ କର୍ତ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.