Below header

ଏମିତି ଏକ ଗୁରୁଦ୍ୱାର, ଯେଉଁଠି ଖାଦ୍ୟ ପ୍ରସ୍ତୁତ ହୋଇନଥାଏ କିନ୍ତୁ କେହି ଭୋକରେ ଫେରିନଥାନ୍ତି

ଶିଖ ମାନଙ୍କର ଧାର୍ମିକ ସ୍ଥଳ ଗୁରୁଦ୍ୱାର ସମ୍ପର୍କରେ କିଏ ବା ନ ଜାଣେ । ପ୍ରତ୍ୟକ ଦିନ ହଜାର ହଜାର ଶିଖ ଲୋକ ଗୁରୁଦ୍ୱାରା କୁ ପ୍ରାର୍ଥନା କରିବାକୁ ଆସିଥାନ୍ତି । ସାଧାରଣତଃ ସବୁ ଗୁରୁଦ୍ୱାରରେ ଲଙ୍ଗର ( ଏକାଠି ବହୁ ପରିମାଣରେ ଖାଦ୍ୟ ପ୍ରସ୍ତୁତ କରିବା)ର ପ୍ରସ୍ତୁତି ହୋଇଥାଏ ।ଏହା ଛଡା ସବୁ ଠାରେ ଗୋଲକର ବ୍ୟବସ୍ଥା ମଧ୍ୟ ଥାଏ। ଲଂଗର ମାଧ୍ୟମରେ ଦିନର ପ୍ରାୟ ସବୁ ସମୟରେ ବିରାଟ ବିରାଟ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ହଜାର ହଜାର ଲୋକଙ୍କୁ ଏହି ଖାଦ୍ୟ ବଣ୍ଟା ଯାଇଥାଏ । କିନ୍ତୁ ଚଣ୍ଡୀଗଡ଼ର ଏପରି ଏକ ଗୁରୁଦ୍ୱାର ଅଛି ଯେଉଁ ଠାରେ ନା ଲଙ୍ଗର ପ୍ରସ୍ତୁତ ହୋଇଥାଏ ନା କୌଣସି ଗୋଲକର ବ୍ୟବସ୍ଥା ଅଛି । କିନ୍ତୁ ଏଠାକୁ ଆସୁଥିବା ଲୋକ କେବେ ବି ଭୋକ ଉପାସରେ ଫେରିନଥାଏ । ଆସନ୍ତୁ ଏହି ଗୁରୁଦ୍ୱାର ସମ୍ପର୍କରେ କିଛି ଜାଣିବା ।

 

ଏଠାରେ କୁହା ଯାଉଛି ଚଣ୍ଡୀଗଡ଼ର ସେକ୍ଟର -୨୮ ରେ ଥିବା ନାନକସର ଗୁରୁଦ୍ୱାର ସମ୍ପର୍କରେ । ନା ଏଠାରେ କେବେ କୌଣସି ଲଂଗର ପ୍ରସ୍ତୁତ ହୋଇଥାଏ ନା କୌଣସି ଗୋଲକ ଅଛି । ଏଠାକର ସେବାୟତ ବା ସଂଗତ ମାନେ ନିଜ ଘରୁ ହିଁ ଖାଦ୍ୟ ପ୍ରସ୍ତୁତ କରି ଆଣିଥାନ୍ତି । ଏହି ଖାଦ୍ୟ ମଧ୍ୟରେ ରହିଅଛି ଦେଶୀ ଘିଅରେ ପ୍ରସ୍ତୁତ ପରଠା, ଲହୁଣୀ, ବିଭିନ୍ନ ପନିପରିବା ରୁ ପ୍ରସ୍ତୁତ ତରକାରୀ,ଡାଲି, ଭଳି ଭଳିକା ମିଠା ଓ ଫଳ । ପ୍ରସ୍ତୁତ ଖାଦ୍ୟକୁ ଆସୁଥିବା ଲୋକ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ପରେ ବଳକା ଖାଦ୍ୟକୁ ସ୍ଥାନୀୟ ହସ୍ପିଟାଲ ଗୁଡିକରେ ଦିଆ ଯାଇଥାଏ । ଏହା ଦ୍ୱାରା ଏକରେ ଖାଦ୍ୟ ନଷ୍ଟ ହେବନି ଓ ହସ୍ପିଟାଲକୁ ଆସୁଥିବା ଲୋକ ମଧ୍ୟ ଗୁରୁଦ୍ୱାର ପ୍ରସାଦ ପାଇପାରିବେ। ଏହି ଗୁରୁଦ୍ୱାରର ପରମ୍ପରା ଆଜିର ନୁହେଁ ଏହା ବର୍ଷ ବର୍ଷ ହେବ ଚାଲି ଆସୁଛି ।

ଦୀର୍ଘ ୫୦ ବର୍ଷ ତଳେ ଏକ ଦୀପାବଳି ଅବସରରେ ଏହି ଗୁରୁଦ୍ୱାର ଟିର ନିର୍ମାଣ କରାଯାଇଥିଲା । ଏହାର ବର୍ତମାନର ମୁଖ୍ୟ ଗୁରୁଦେବ ସିଂ ଅଛନ୍ତି । ପ୍ରାୟ ୨ ଏକର ସ୍ଥାନରେ ନିର୍ମିତ ହୋଇଥିବା ଏହି ଗୁରୁଦ୍ୱାର ରେ ଜନସାଧାରଣଙ୍କ ପାଇଁ ଲାଇବ୍ରେରୀର ସୁବିଧା ଥିବା ସହ ଏଠାରେ ଲୋକଙ୍କୁ ମାଗଣା ଦାନ୍ତ ଚିକିତ୍ସା ଯୋଗା ଯାଇଥାଏ । ପ୍ରତିବର୍ଷ ମାର୍ଚ୍ଚ ମାସରେ ଏଠାରେ ସାତ ଦିନ ପାଇଁ ଏକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ଦେଶ ବିଦେଶରୁ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥାନ୍ତି । ଏହି ସମୟରେ ଏଠାରେ ଏକ ବିରାଟ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥାଏ । ଗୋଲକ ପାଇଁ କାଳେ ଲୋକମାନଙ୍କ ଭିତରେ ଝଗଡା ହେବ ସେଥି ପାଇଁ ହିଁ ଏଠାରେ ଆରମ୍ଭରୁ ହିଁ କୌଣସି ଗୋଲକର ବ୍ୟବସ୍ଥା କରାଯାଇନାହିଁ ।

ଏହା ସହ ପଢନ୍ତୁ:

ରାଜସ୍ଥାନରେ ରହିଛି ଏପରି ମନ୍ଦିର, ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ‘ପିଆଜ’ ଭୋଗ

ଏଠାରେ ମଗା ଜଚାକୁ ଅନୁମତି ଦିଆଯାଇନାହିଁ। ଯେଉଁ ମାନେ ସ୍ୱତନ୍ତ୍ର ଭାବେ ସେବା ଯୋଗାଇବାକୁ ଚାହୁଁଛନ୍ତି ସେହି ମାନେ ହିଁ ଏଠାକୁ ଆସିଥାନ୍ତି । ଏହାର ମୁଖ୍ୟାଳୟ ଲୁଧିଆନା ର ନାନାକସର ନିକଟରେ ଅଛି। ବର୍ଷ କୁ ୨ ଥର ଏଠାରେ ଅମୃତ ପାନ ମଧ୍ୟ କରାଯାଇଥାଏ । ଗୁରୁଦ୍ୱାରା ଟିରେ ପ୍ରାୟ ୩୦ରୁ ୩୫ ଲୋକ ନିରନ୍ତର ସେବା ଯୋଗାଇଥାନ୍ତି । ଦେଶ ବିଦେଶ ଯେପରିକି ଆମେରିକା,କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ରେ ମଧ୍ୟ ଏହି ଧରଣର ନାନାକସର ଗୁରୁଦ୍ୱାରା ଅଛି । ମୁଖ୍ୟ ଗୁରୁଦେବ ସିଂ କହିଛନ୍ତି ଯେ ଲୋକାଙ୍କୁ ଏଠାରେ ନିଜ ସେବା ଯୋଗାଇବା ପାଇଁ ପ୍ରାୟ ୨ ରୁ ଅଧିକ ମାସ ଅପେକ୍ଷା କରିବାକୁ ପଡିଥାଏ । କିଏ ସକାଳ ଜଳଖିଆରେ ସେବା ଯୋଗାଉଥିବା ବେଳେ କିଏ ଦ୍ବିପହରେ ଓ କିଏ ରାତିରେ ନିଜ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଯୋଗାଇଥାନ୍ତି । ଅହରହ ଏଠାରେ ଅଖଣ୍ଡ ପାଠର ଆୟୋଜନ କରାଯାଇଥାଏ । ସକାଳ ୭ ଟାରୁ ୯ଟା ଓ ସନ୍ଧ୍ୟା ୫ ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଏଠାରେ କୀର୍ତନର କରାଯାଏ । ପ୍ରତିମାସ ଅମାବାସ୍ୟା ତିଥିରେ ଏଠାରେ ଶିଖ ମାନଙ୍କର ଏକ ଖାସ ଦୀଵାନ ମଧ୍ୟ ଲଗାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.