ଏହି ପୀଠରେ ପଡ଼ିଥିଲା ମା’ ସତୀଙ୍କ ନେତ୍ର, ମନ୍ଦିରର କଜଳ ଲଗାଇଲେ ଦୂର ହୁଏ ଆଖିର ସବୁ ସମସ୍ୟା

ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗା ପୂଜା। ସାରାଦେଶରେ ଏଥିପାଇଁ ଲାଗି ରହିଛି ଉତ୍ସବର ମାହୋଲ। କରୋନା କଟକଣା ମଧ୍ୟରେ ଚଳିତବର୍ଷର ପୂଜା ଆଗ ଭଳି ଧୁମ୍‌ଧାମରେ ପାଳନ କରାଯାଉନଥିଲେ ମଧ୍ୟ ଶ୍ରଦ୍ଧାଳୁ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ତେବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆସନ୍ତୁ ଜାଣିବା ବିହାରର ଏକ ଶକ୍ତିପୀଠ ବିଷୟରେ ଯେଉଁଠାରେ ପଡ଼ିଥିଲା ମା’ ସତୀଙ୍କ ନେତ୍ର। ଏହି ପୀଠର ନାଁ ହେଉଛି ମା’ ଚଣ୍ଡୀକା ପୀଠ।

chandika

ବିହାରର ମୁଙ୍ଗେର ଜିଲ୍ଲାର ପ୍ରସିଦ୍ଧ ମା’ ଚଣ୍ଡୀକା ମନ୍ଦିରରେ ମା’ ସତୀଙ୍କ ଏକ ନେତ୍ର ପୂଜା ପାଉଛି। ଚକ୍ଷୁ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବାକୁ ଭକ୍ତମାନେ କାହିଁ କେତେ ଦୂରରୁ ଏଠାକୁ ଧାଇଁ ଆସିଥାନ୍ତି। ମୁଙ୍ଗେର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଦୁଇ କିଲୋମିଟର ପୂର୍ବ ଗଙ୍ଗା କୂଳରେ ପାହାଡ଼ ଗୁମ୍ଫାରେ ଅବସ୍ଥିତ ମା’ ଚଣ୍ଡୀକାଙ୍କ ମନ୍ଦିରକୁ ଶହ ଶହ କିଲୋମିଟର ଦୂରରୁ ଭକ୍ତମାନେ ଦର୍ଶନ ପାଇଁ ଆସିଥାନ୍ତି। ମାନ୍ୟତା ରହିଛି ଯେ ଏହି ସ୍ଥଳରେ ମାତା ସତୀଙ୍କ ବାମ ଆଖି ପଡ଼ିଥିଲା। ଆଖିର ଅସାଧ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି ଏଠାକୁ ପୂଜା କରିବାକୁ ଆସିଥାନ୍ତି ଓ ଏଠାରୁ କଜଳ ନେଇ ଯାଇଥାନ୍ତି। ବିଶ୍ୱାସ ରହିଛି ଯେ ଏହି କଳା ନେତ୍ର ସମ୍ବନ୍ଧୀୟ ସବୁରୋଗକୁ ଭଲ କରିଥାଏ।

chandika2

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶଙ୍କର ନିଜ ପତ୍ନୀ ସତୀଙ୍କ ମୃତ ଶରୀର ଧରି ତିନି ଲୋକରେ ବୁଲୁଥିବା ବେଳେ ସମ୍ପୂର୍ଣ୍ଣ ସୃଷ୍ଟି ଭୟଭୀତ ଅବସ୍ଥାରେ ଥିଲା। ସବୁ ଦେବତାଙ୍କ ଅନୁରୋଧ ପରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରି ଦେଇଥିଲେ। ଯେଉଁ ସବୁ ସ୍ଥାନରେ ସତୀଙ୍କ ଶରୀର ଅଂଶ ବିଶେଷ ପଡ଼ିଥିଲା ସେ ସମସ୍ତ ସ୍ଥାନ ଏବେ ଶକ୍ତିପୀଠ ଭାବେ ମାନ୍ୟତା ପାଇଛି। ମୁଙ୍ଗେରର ଚଣ୍ଡୀକା ମନ୍ଦିର ମଧ୍ୟ ଶକ୍ତିପୀଠରେ ସାମିଲ ଅଛି।

ମାନ୍ୟତା ଅନୁସାରେ ଏଠାରୁ କୌଣସି ଭକ୍ତ କେବେ ବି ଖାଲି ହାତରେ ଫେରିନାହିଁ। ସନ୍ତାନ ସୁଖ ପାଇଁ ବି ଭକ୍ତମାନେ ଏଠାକୁ ଆସିଥାନ୍ତି। ଏହି ମନ୍ଦିରର କଜଳ ସବୁ ପ୍ରକାରର ନେତ୍ର ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.