ଲାଲ ପିମ୍ପୁଡିରୁ ପ୍ରସ୍ତୁତ ହେବ କରୋନା ପ୍ରତିଷେଧକ ଔଷଧ, ୩ ମାସ ଭିତରେ ରିପୋର୍ଟ ଦେବାକୁ ଆୟୁଷ ମନ୍ତ୍ରାଳୟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାରିପଦା (କେ ନ୍ୟୁଜ୍) : ମୟୁରଭଞ୍ଜର ଲାଲ ପିମ୍ପୁଡି କରୋନା ପ୍ରତିଷେଧକ ଔଷଧ ପ୍ରସ୍ତୁତ ହେବା ଆଶା ଉଜ୍ୱଳ । ହାଇକୋର୍ଟ ୩ ମାସ ମଧ୍ୟରେ ସତ୍ୟତା ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇସିଏମ୍ଆର୍ ଏବଂ ଆୟୁଷ ମନ୍ତ୍ରାଳୟକୁ ଦେଇଛନ୍ତି ନିର୍ଦ୍ଦେଶ। କାଇ ସମ୍ପର୍କରେ ଗବେଷଣା କରି କରୋନା ଭଳି ମହାମାରୀର ପ୍ରତିଷେଧକ ମିଳିପାରିବ ବୋଲି ଦାବି କରିଥିବା ଯୁବ ଇଂଜିନିୟର ନୟାଧର ପଡିଆଳଙ୍କ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।
ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ କେବେ ଏହି ନାଲି ପିମ୍ପୁଡି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ତ ଆଉ କେତେବେଳେ ଏହାକୁ ବ୍ୟବହାର କରି ଥଣ୍ଡା ଜ୍ୱର ଓ ନିମୋନିଆରୁ ରକ୍ଷା ପାଇଥାନ୍ତି। କାଇ ପିମ୍ପୁଡି ଦେହରେ ଥିବା ଥଣ୍ଡା ଜନିତ ରୋଗର ପ୍ରତିଷେଧକ ଶକ୍ତିର ଉତ୍ସକୁ ଅନୁଶୀଳନ କଲେ କରୋନା ଭଳି ମହାମାରୀର ପ୍ରତିଷେଧକ ମିଳିପାରିବ ବୋଲି ଶ୍ରୀ ପଡିଆଳ ଦାବି କରିଥିଲେ । ଏହାକୁ ନେଇ ସେ ତଥ୍ୟ ସମ୍ବଳିତ ପ୍ରମାଣପତ୍ର ସହ ଆଇସିଏମ୍ଆରକୁ ବାରମ୍ବାର ଅବଗତ ମଧ୍ୟ କରାଇଛନ୍ତି । ଏହା ଉପରେ ଅଧିକ ଗବେଷଣା କରିବାକୁ ନିବେଦନ ମଧ୍ୟ କରିଛନ୍ତି । ଆଇସିଏମ୍ଆରର ବୈଜ୍ଞାନିକ ଡ. ମଧୁମତୀ ଏଥିରେ ଆଗ୍ରହ ପ୍ରକାଶ କରିବା ସହ ଆୟୁଷ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଗବେଷଣା ସଂସ୍ଥା କାଉନସିଲ ଅଫ୍ ସାଇନ୍ସ ଏଣ୍ଡ ରିସର୍ଚ୍ଚକୁ ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଏ ନେଇ ଦିନ ଗଡ଼ି ଚାଲିବାରୁ ବାଧ୍ୟ ହୋଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ଇଂଜିନିୟର ପଡିଆଲ । ଆଉ ଏବେ ତାଙ୍କ ଆଶା ସଫଳ ରୂପାୟନ ହେବାକୁ ଯାଉଛି ।
ଏହି କାଇ ପିମ୍ପୁଡି ଜଙ୍ଗଲରେ ଥିବା ଶାଳ ଗଛମାନଙ୍କରେ ରହିଥାନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ଜଙ୍ଗଲରୁ ଆଣି ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରିଥାନ୍ତି । ଏଥିରେ ଫ୍ଲୁ ଓ ଥଣ୍ଡା ରୋଗ ଭଲ କରିବାର ଗୁଣ ରହିଥିବାରୁ ଅଧିକ ଗବେଷଣା କରିବାର ଅବଶ୍ୟକତା ଅଛି ବୋଲି ଦାବି କରିଥିଲେ ଇଂ ପଡିଆଲ । ଅନ୍ୟପଟେ ହାର୍ଟ କେୟାର ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡ଼ା କେ.କେ. ଅଗ୍ରୱାଲ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶର ଯଥାର୍ଥତା ଥିବା ଯୁକ୍ତି ବାଢିଛନ୍ତି । କାଇରୁ କରୋନା ମହାମାରୀ ଔଷଧ ପ୍ରସ୍ତୁତ ହୋଇପାରିବ ବୋଲି ସେ ମଧ୍ୟ ଦାବି କରିଛନ୍ତି ।
ସମଗ୍ର ବିଶ୍ୱ ଏବେ କରୋନା ଟିକା ପଛରେ ବ୍ୟସ୍ତ ଥିବା ବେଳେ ଯଦି ସିଏସ୍ଆଇଆର ଏହି ପ୍ରସ୍ତାବକୁ ଗ୍ରହଣ କରି ଲାଲ କାଇ ଉପରେ ଗବେଷଣା କରେ, ତେବେ ଏକ ଯୁଗାନ୍ତକାରୀ ଚିକିତ୍ସା ବ୍ୟବସ୍ଥା ହୋଇପାରନ୍ତା ବୋଲି ସେ କହିଛନ୍ତି।