Below header

ଏହି କାହାଣୀ ସବୁଠୁ ଭିନ୍ନ: ଶ୍ୱଶୁରକୁ ମୁଖାଗ୍ନି ଦେଲା ବୋହୂ, ଜାଣନ୍ତୁ କାହିଁକି

ଯେମିତି ପାଞ୍ଚ ଆଙ୍ଗୁଳି ସମାନ ନୁହେଁ ସେମିତି ସବୁ ବୋହୂ ବି ସମାନ ନୁହଁନ୍ତି । ଯାହାର ଏକ ଉଦାହରଣ ଆଜି ସାମ୍ନାକୁ ଆସିଛି ।  ଏଠି ଜଣେ ବୋହୂ ନିଜ ସ୍ୱାମୀଙ୍କର ସ୍ଥାନ ନେଇଛନ୍ତି । ନିଜ ଶ୍ୱଶୁରକୁ ମୁଖାଗ୍ନି ଦେଇଛନ୍ତି ଏହି ବୋହୂ ଜଣଙ୍କ ।

ଗଜପତି(କେନ୍ୟୁଜ୍‌): ବହୁ ସମୟରେ ପ୍ରାୟ ଶୁଣିବାକୁ ମିଳେ ପରିଣତ ବୟସରେ ଶାଶୁ, ଶ୍ୱଶୁରଙ୍କୁ ବୋହୂ ଖାଇବାକୁ ନଦେବା, ମାଡ ମାରିବା, ଗାଳିଗୁଲଜ କରିବା ଭଳି ଘଟଣା । ଆଉ ଏପଟେ ସବୁ ବାପା ମା ଚାହାନ୍ତି ପୁଅଟିଏ ହେଲେ ବାପାକୁ କାନ୍ଧ ଦେବ ଓ ମୃତ୍ୟୁ ପରେ ମୁଖାଗ୍ନି ଦେବ। କିନ୍ତୁ ପୁଅ ବାହା ହୋଇସାରିବା ପରେ ବହୁତ ସ୍ଥାନରେ ବାପା ମା ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାହାର କାରଣ ବୋହୂ ବୋଲି ସଭିଏଁ କହିଥାନ୍ତି । ହେଲେ ଯେମିତି ପାଞ୍ଚ ଆଙ୍ଗୁଳି ସମାନ ନୁହେଁ ସେମିତି ସବୁ ବୋହୂ ବି ସମାନ ନୁହଁନ୍ତି । ଯାହାର ଏକ ଉଦାହରଣ ଆଜି ସାମ୍ନାକୁ ଆସିଛି ।  ଏଠି ଜଣେ ବୋହୂ ନିଜ ସ୍ୱାମୀଙ୍କର ସ୍ଥାନ ନେଇଛନ୍ତି । ନିଜ ଶ୍ୱଶୁରକୁ ମୁଖାଗ୍ନି ଦେଇଛନ୍ତି ଏହି ବୋହୂ ଜଣଙ୍କ । ଶ୍ୱଶୁର ଦୀର୍ଘ ଦିନ ଧରି ସେବା କରିବା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାଫଳରେ ଶ୍ୱଶୁରଙ୍କୁ ମୁଖାଗ୍ନି ଦେବାଠାରୁ ଆରମ୍ଭ କରି ସମସ୍ତ ଶୁଦ୍ଧିକ୍ରିୟା କାମ ସମ୍ପାଦନ କରିଛନ୍ତି ବୋହୂ ଜଣକ।

ଖବର ମୁତାବକ, ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ନମ୍ବର ୱାର୍ଡରେ ବସବାସ କରୁଥିବା ବ୍ୟବସାୟୀ ନିରଞ୍ଜନ ବେହେରା ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ବେଳେ ତାଙ୍କ ପତ୍ନୀ, ବୋହୂ ଓ ନାତି ପାଖରେ ରହିଥିଲେ । ତାଙ୍କ ଏକ ମାତ୍ର ପୁଅ ଓ ଦୁଇଟି ଝିଅ ରହିଥିବା ବେଳେ ସମସ୍ତେ ବିବାହିତ ଥିବା ଜଣାପଡିଛି । କିନ୍ତୁ ବାପାଙ୍କ ବିୟୋଗରେ ପୁଅ ଆସିବା ତ ଦୂରର କଥା ସାନ୍ତ୍ୱନା ଦେବାକୁ ମଧ୍ୟ ଅନୁପସ୍ଥିତ ରହିଥିବା ଯୋଗୁଁ ତାଙ୍କ ବୋହୂ ଜୟନ୍ତୀ ନାୟକ ଓ ନାତି ମୁଖାଗ୍ନୀ ଦେଇଥିବା ଏବେ କାଶୀନଗର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

କାଶୀନଗର ଠାରେ ଏହି ଘଟଣା ପ୍ରଥମ ଥର ପାଇଁ ହୋଇଥିବାରୁ ଜୟନ୍ତୀ ନେଇଥିବା ନିଷ୍ପତିକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି । ଯାହା ଜଣାପଡିଛି କି, ନିରଞ୍ଜନ ତାଙ୍କର ଏକ ମାତ୍ର ପୁତ୍ର ସାନ୍ତୁନୁ ବେହେରାଙ୍କୁ କାଶୀନଗର ବାସିନ୍ଦା ରୁକୋମଣ ନାୟକଙ୍କ ଏକ ମାତ୍ର କନ୍ୟା ଜୟନ୍ତୀଙ୍କ ସହ ବିବାହ କରିଥିଲେ । ହେଲେ ପୁଅ ସାନ୍ତୁନୁ ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରୁ ବାହାରକୁ ଚାଲିଯାଇଥିଲା । ନିରଞ୍ଜନଙ୍କ ଦୁଇଟି ଝିଅ ବିବାହ କରି ବାହାରେ ରହୁଥିବା ବେଳେ ତାଙ୍କ ପାଖରେ ପତ୍ନୀ, ବୋହୂ ଓ ନାତି ରହୁଥିଲେ ।  ତେବେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ବୋହୂ ନିଷ୍ପତି ନେଇଥିଲେ ନିଜେ ଶ୍ୱଶୁରଙ୍କୁ ମୁଖାଗ୍ନୀ ଦେବେ ।

ତେବେ ଏହିଭଳି ଏକ ନିଆରା ଚିନ୍ତାଧାରା ପାଇଁ ବର୍ତ୍ତମାନ ଜୟନ୍ତୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ନିରଞ୍ଜନ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ବ୍ୟବସାୟୀ ଭାବେ ପରିଚିତ ଥିବା ବେଳେ ତାଙ୍କ ବିୟୋଗ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେପଟେ ପୁଅ କରିଥିବା ଭୁଲକୁ ନେଇ ନିରଞ୍ଜନ ବୋହୂକୁ ନିଜ ପୁଅ ଭଳି ଦେଖିବା ସହ ଅଘାଢ ବିଶ୍ୱାସ ରଖି ପୁଅର ସମସ୍ତ ଅଧିକାର ଯଥା ଘର ମଧ୍ୟ ବୋହୂ ନାମରେ କରିଦେଇଥିଲେ । ଆଉ ବୋହୂ ଜୟନ୍ତୀ ମଧ୍ୟ ସ୍ୱାମୀ ପ୍ରେମ ବିବାହ କରି ଅନ୍ୟ ନାରୀକୁ ଧରି  ପଳାଇବା ପରେ ଶାଶୁ ଘରକୁ ସମ୍ଭାଳିବା ସହ ଶାଶୁ ଘରେ ହିଁ ରହୁଥିଲେ ।

ତେବେ ସତ କହିବାକୁ ଗଲେ ଆଜିକା ଦିନରେ ସ୍ୱାମୀ ମରୁମରୁ କିଛି ସ୍ତ୍ରୀ ନିଜ ରାସ୍ତା ଦେଖୁଥିବା ବେଳେ ଜୀବନରେ ଏତେ ବଡ ସମସ୍ୟା ସମ୍ମୁଖୀନ ହୋଇ ମଧ୍ୟ ଜୟନ୍ତୀ ଶାଶୁ ଶ୍ୱଶୁରଙ୍କୁ ନଛାଡିବା ଓ ମୃତ୍ୟୁ ପରେ ଶ୍ୱଶୁରର ଶୁଦ୍ଧିକ୍ରିୟା ସମସ୍ତ ହିନ୍ଦୁ ରୀତିନୀତିରେ କରିବା ନିଶ୍ଚୟ ବାଟ ହୁଡୁଥିବା ପୁଅ ବୋହୂଙ୍କ ପାଇଁ ଏକ ବଡ ଉଦାହଣରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.