Below header

ଦୃଷ୍ଟିହୀନ କିନ୍ତୁ ଭିକ୍ଷା ମାଗୁନାହାନ୍ତି ପରିଶ୍ରମ କରି ରୋଜଗାର କରୁଛନ୍ତି ଟଙ୍କା, ଭେଟନ୍ତୁ ଜଣେ ସ୍ୱାଭିମାନ ବ୍ୟକ୍ତିଙ୍କୁ

ଗଞ୍ଜାମ (କେନ୍ୟୁଜ) : କାନ୍ଧରେ ଝୁଲା ଆଉ ହାତରେ ବାଡ଼ି ଧରି ଗାଁ କୁ ଗାଁ ବୁଲୁଛନ୍ତି ଯୋଗୀ । ନାଁ ସିନା ଯୋଗୀ କିନ୍ତୁ ସେ ପ୍ରକୃତରେ ଯୋଗୀ ନୁହନ୍ତି । ବୁଲି ବୁଲି ଜଡ଼ିବୁଟି ବିକ୍ରି କରୁଥିବା ଯୋଗୀ ରାଉତ । ଘର ବାରଣ୍ଡାରେ ବସି ଲୋକେ ବି ଅପେକ୍ଷା କରିଥାନ୍ତି ଯୋଗୀଙ୍କ ଆସିବା ବାଟକୁ । ଦରକାର ମୁତାବକ ଜଡ଼ିବୁଟି କିଣନ୍ତି ଆଉ ଦର ଅନୁଯାୟୀ ପଇସା ଦିଅନ୍ତି । ଏସବୁ କିଣା ବିକା କେବଳ ବିଶ୍ଵାସରେ ହିଁ ହୋଇଥାଏ । ପ୍ରଶ୍ନ ଉଠୁଥିବ ଏସବୁ କିଣାବିକା ପଛରେ ବିଶ୍ଵାସର କଥା କାହିଁକି ଉଠୁଛି ? ଏକଥା ଜାଣିଲେ ଆପଣ ଘଡ଼ିଏ ଚିନ୍ତା କରିବାକୁ ବାଧ୍ୟ ହେବେ । କାରଣ ଯୋଗୀ ରାଉତ ହେଉଛନ୍ତି ଜଣେ ଦୃଷ୍ଟିହୀନ। ଆଦୌ ଦେଖି ପାରନ୍ତି ନାହିଁ । ସେଥିପାଇଁ ତାଙ୍କ ଭିତରେ ରହିଛି ଅନେକ ଅକୁହା ଦୁଃଖ । ସେ ଅନ୍ୟର ଅନ୍ତର କଥା ବୁଝି ପାରନ୍ତି । ତେଣୁ ଗାଁ ଗାଁ ବୁଲି ଗତ ୩୦ ବର୍ଷ ହେଲା ଅନ୍ୟମାନଙ୍କର ରୋଗ ଉପଶମ କରିବାର ପ୍ରୟାସ ଚଳାଇଛନ୍ତି ।

ଦୁନିଆକୁ ଦେଖି ପାରୁଥିବା ଜଣେ ଲୋକ ଯେତେବେଳେ ଅଚାନକ ଦୃଷ୍ଟିଶକ୍ତି ହରାଏ, ଖୁବ୍‌ କଷ୍ଟ ହୁଏ । ସେହି ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଗତି କରିଛନ୍ତି ଯୋଗୀ । ଦିନେ ସବୁ କିଛି ଠିକଠାକ୍ ଥିଲା । ଅନ୍ଯ ପାଖରେ କାମ କରି ଯାହା ରୋଜଗାର କରୁଥିଲେ ସେତିକିରେ ୩ ଝିଅ ଓ ସ୍ତ୍ରୀ’ଙ୍କୁ ନେଇ ଅଭାବୀ ସଂସାର ଚଳାଉଥିଲେ । କିନ୍ତୁ ବିଧାତା ବୋଧହୁଏ କିଛି ଅଲଗା ଚାହୁଁଥିଲା। ମାରାତ୍ମକ ଜ୍ଵର ଯୋଗୁଁ ଗୋଟିଏ ପରେ ଗୋଟିଏ ଦୁଇଟି ଯାକ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଗଲା ତାଙ୍କର। ଆଖି ପାଇଁ ସେ ଆଖପାଖ ଗାଁରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ଯନ୍ତ ଯାଇ ଲୋକଙ୍କ ଠାରୁ କିଛି କିଛି ମାଗି ରୋଜଗାର କଲେ । ଏଇ ଯିବା ଆସିବା ଭିତରେ ପାଖ ଗାଁର ଲୋକେ ତାଙ୍କୁ ବରାଦ ଦେଲେ କୋଲକାତାରୁ ସେଠାକାର କଜ୍ଜଳ ଆଣିବାକୁ। ଏମିତି ଥରେ ଦୁଇଥର ଆଣିବା ପରେ, ଏହାର ସେ ବ୍ୟବସାୟ ଆରମ୍ଭ କଲେ ଯୋଗୀ । ଭଲ ଦି’ପଇସା ରୋଜଗାର ହେଲା । ତା’ସହିତ କିଛି କବିରାଜଙ୍କ ଠାରୁ ଜଡ଼ିବୁଟି ଆଣି ଗାଁକୁ ଗାଁ ବୁଲି ବିକ୍ରି କଲେ। ଆଉ ଧୀରେ ଧୀରେ ସେ ପାଲଟିଗଲେ ଚର୍ଚ୍ଚିତ ମଣିଷ।

ତେବେ ଏହା ଭିତରେ ଏତେ ବର୍ଷ ବିତିଗଲାଣି । ବୟସ ୬୯ ଧରିଲାଣି । ତଥାପି ଅଟକି ନାହାନ୍ତି ଯୋଗୀ । ଅନ୍ଯ ପାଖରେ ହାତପାତି ମାଗିବା ଅପେକ୍ଷା ସ୍ୱାଭିମାନରେ କିଛି ରୋଜଗାର କରିବା ପାଇଁ ଏହି ପନ୍ଥା ଆପଣେଇଛନ୍ତି । ନିଜ ସ୍ମରଣ ଶକ୍ତି ଓ ଦୃଢ ଇଛାଶକ୍ତି ପାଖରେ ତାଙ୍କ ଅସହାୟତା ହାରମାନିଛି । ୩ ଝିଅଙ୍କ ମଧ୍ୟରୁ ଦୁଇ ଝିଅଙ୍କ ବାହାଘର କରାଇ ସାରିଲେଣି । ଏବେ ଘରେ ଆଉ ଜଣେ ବିବାହ ଯୋଗ୍ଯା ଝିଅ ଓ ରୋଗୀଣା ସ୍ତ୍ରୀଙ୍କ ଦାୟିତ୍ୱ ତାଙ୍କ ରୋଜଗାର ଉପରେ ନିର୍ଭର କରୁଛି । କିଛି ସରକାରୀ ଭତ୍ତା, ଚାଉଳ ଏବଂ ନିଜସ୍ୱ ଭଂଗା ଦଦରା ଘର ହିଁ ତାଙ୍କର ସାହାରା । ତେବେ ଏଭଳି ସ୍ୱାଭିମାନୀ ବ୍ୟକ୍ତି ଓ ତାଙ୍କ ପରିବାର ପ୍ରତି କଣ ପ୍ରଶାସନର କିଛି ସ୍ୱତନ୍ତ୍ର କର୍ତ୍ତବ୍ୟ ନାହିଁ ? ଖାଲି ଭତ୍ତା ଏବଂ ଚାଉଳ ଦେଇଦେଲେ କଣ ଦାୟିତ୍ୱ ସରି ଯାଉଛି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.