Below header

ହାର ମାନିନି ମନ: ଦୀର୍ଘ ୧୩ ବର୍ଷ ଧରି ଚାଟଶାଳୀରେ ପାଠ ପଢାଉଛନ୍ତି ଦିବ୍ୟାଙ୍ଗ କାଳନ୍ଦୀ

ଗୋପ ( କେ ନ୍ୟୁଜ) : ଜୀବନରେ ଗୋଡ ସିନା ଧୋକା ଦେଇଦେଲା କିନ୍ତୁ ମନ ଆଜି ମଧ୍ୟ ସେପରି ଟାଣ। ଜନ୍ମରୁ ଭଲ ଥିବା କାଳନ୍ଦୀଙ୍କୁ ଭୁଲ ଔଷଧ ଖାଇବା ପଡିଲା ମହଙ୍ଗା । ଶେଷର ସେ ପାଲଟିଗଲେ ଦିବ୍ୟାଙ୍ଗ। ଛୋଟ ବେଳରୁ ଇଚ୍ଛା ଥିଲା ବଡ ହେଲେ ପିଲାଙ୍କୁ ପାଠ ପଢାଇବା। ନିଜେ ସିନା ଜୀବନରେ ଭଲ ପାଠ ପଢିପାରିଲେ ନାହିଁ କିନ୍ତୁ ଗାଁର ପିଲାମାନଙ୍କୁ ଶିକ୍ଷା ଦେବାକୁ ବେଶ ମନ ତାଙ୍କର। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ ବର୍ଷ ହେଲାଣି ଗାଁରେ ଚାଟଶାଳୀ ଖୋଲି ଛୋଟ ଛୋଟ ପିଲାମାନଙ୍କୁ ପଢାଉଛନ୍ତି କାଳନ୍ଦୀ।

kalani

ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାରୁଅ ଗ୍ରାମରେ ବାସ କରନ୍ତି କାଳନ୍ଦୀ ପ୍ରଧାନ। ପରିବାରେ କେବଳ ସ୍ତ୍ରୀ ଓ ପୁଅ। ୨୦୦୩ ମସିହାରେ କଟକରେ ଏକ ଗ୍ୟାରେଜରେ କାମ କରୁଥିବା ବେଳେ ଭୁଲରେ କେଉଁ ଔଷଧ ଖାଇ ଦେବାରୁ ଦୁଇଗୋଡ ଦୁର୍ବଳ ହୋଇପଡିଲା। ଗୋଟେ ବର୍ଷ ଧରି ମେଡିକାଲରେ ଚିକିତ୍ସିତ ହେବା ପରେ ଦେହ ଭଲ ହୋଇନଥିଲା। ତା’ ପରେ ଆଉ କାମ ନକରିପାରି ଗାଁର ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କରିଦେଲେ କାଳନ୍ଦୀ। ସକାଳ ହେଉ ଅବା ସନ୍ଧ୍ୟାରେ ପ୍ରଥମରୁ ୭ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାନ୍ତି କାଳନ୍ଦୀ। ପିଲାମାନେ ଗ୍ରାମଦେବତୀଙ୍କ ନିକଟରେ ପହଞ୍ଚିଗଲେ ହୋଇଯାଏ ସ୍କୁଲର ପରିବେଶ। ପ୍ରଥମେ ପ୍ରାର୍ଥନା ଆଉ ତା’ ପରେ ପାଠ ପଢା। ଏମିତି ୧୩ ବର୍ଷ ହେଲାଣି ଚାଲିଛି।

ବର୍ଷ ବର୍ଷ ଧରି ବିନା ମୂଲ୍ୟରେ ଗାଁର ଛୋଟ ପିଲାମାନଙ୍କୁ ଶିକ୍ଷା ଦେଇଆସୁଛନ୍ତି କାଳନ୍ଦି। ଏପର୍ଯ୍ୟନ୍ତ ଅନେକ ପିଲା ପାଠପଢି ଚାକିରି ମଧ୍ୟ କରିସାରିଲେଣି। କାଳନ୍ଦୀଙ୍କ ଏପରି କାର୍ଯ୍ୟକୁ ଗାଁ ଲୋକେ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଗର୍ବ ମଧ୍ୟ କରୁଛନ୍ତି।

ଗୋପରୁ ଆଲୋକ ରଞ୍ଜନ ରାଉତରାୟ (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.