ଭାଇମାନେ ଏମିତି ଅମାନିଆ ହୁଅ, ଏମିତି ରାଜ୍ୟ ରାଜସ୍ୱ ବଢ଼ାଅ

ଆଜି ଯଦି ଆପଣମାନେ ପୋଲିସ୍‌ ଡିଜି ଅଭୟଙ୍କ କଥା ଶୁଣିଥିବେ ତେବେ ଜାଣି ପାରୁଥିବେ ଯେ ଅମାନିଆଙ୍କ ଠାରୁ ପୋଲିସ୍‌ ୧୫ କୋଟି ଟଙ୍କାର ଫାଇନ୍‌ ଆଦାୟ କରି ସାରିଲାଣି । ଆମେ ଅର୍ଥଦଣ୍ଡ ଭୋଗିବାକୁ ରାଜି ଅଛୁ କିନ୍ତୁ ଆଇନ୍‌କୁ ମାନିବାକୁ ରାଜି ନୋହୁଁ । ଯେମିତି ଅମାନିଆମାନେ ଏଭଳି କିଛି ବାର୍ତ୍ତା ଦେଉଛନ୍ତି ।

କୋଭିଡ୍‌ କଟକଣା କରିଛନ୍ତି ସରକାର ରାଜ୍ୟବାସୀଙ୍କ ଜୀବନ ବଞ୍ଚାଇବା ପାଇଁ । ହେଲେ ଦେଖିବାକୁ ଗଲେ ପରୋକ୍ଷରେ ଏହି କଟକଣା ଯୋଗୁଁ ଭଲ ରାଜସ୍ୱ ଆୟ ହେଉଛି । ତେଣୁ ଆମେ କହି ପାରିବା ରାଜସ୍ୱ ଆଦାୟରେ ଆମର ଏହି ଅମାନିଆଙ୍କ ଯୋଗଦାନ ଅନେକ । ଏବେ ତ ୧୪ ଦିନିଆ ଲକଡାଉନ୍‌ ଆରମ୍ଭ ହୋଇଛି । ମାତ୍ର ଦୁଇ ଦିନ ଯାଇଛି । ଆଗକୁ ଆହୁରି ୧୨ ଦିନ ବାକି ଅଛି । ତେଣୁ ଆଉ କିଛି କୋଟି ଆସିଯିବ ସରକାରଙ୍କ ତହବିଲକୁ । ଏଇ କରୋନା କାଳରେ ସରକାର ଅନେକ ଖର୍ଚ୍ଚ କରୁଛନ୍ତି । ତେଣୁ ତାଙ୍କୁ ସହଯୋଗ ମିଳିବ ଅମାନିଆଙ୍କ ଠାରୁ । । ଲୋକେ ଘରେ ରହି ସୁରକ୍ଷିତ ରହିଲେ କଣ ରାଜ୍ୟ ସରକାରଙ୍କୁ ରାଜସ୍ୱ ମିଳିବ ? ତେଣୁ ଆମ ଅମାନିଆମାନେ ଅନ୍ତତଃ କଥାଟିକୁ ଠିକ୍‌ ବୁଝିଛନ୍ତି । ପ୍ରାଣ ପଛେ ଯାଉ ଆମେ ଫାଇନ୍‌ ଦେଇ ରାଜ୍ୟର ବିକାଶ ଦିଗରେ କାମ କରୁ ।

DGP

ଏବେ ଯାହା ଦେଖା ଯାଉଛି ପୋଲିସ୍‌ ବହୁତ ଭଲ ରାସ୍ତା ଧରିଛି । କାହାକୁ ଲାଠି ଉଠାଇବା ଦରକାର ନାହିଁ କି ଯୁକ୍ତିତର୍କ କିମ୍ବା ଝଗଡ଼ା କରିବା ଦରକାର ନାହିଁ । ସିଧା ଚାଲାଣ କାଟ, ଫାଇନ୍‌ ଆପେ ଆପେ ଆସିଯିବ । … ଯଦି ପୋଲିସ୍‌ ଡିଜିଙ୍କ କଥା ଏଇ ଅମାନିଆ ଭାଇଙ୍କ କାନରେ ପଡୁଛି ତେବେ ଟିକେ ସୁଧୁରି ଯାଆନ୍ତୁ । ନହେଲେ ନିଜ ପକେଟ୍‌କୁ ହାଲକା କରିବାର ଅନ୍ୟ ବାଟ ବି ଅଛି । ସିଧା ସଳଖ ରାଜ୍ୟ ସରକାରଙ୍କୁ ରାଜସ୍ୱ ନଦେଇ ଏବେ ଲକ୍‌ଡାଉନ୍‌ରେ ହନ୍ତସନ୍ତ ହେଉଥିବା ଗରିବ ଗୁରୁବାଙ୍କୁ କିଛି ଦାନ କରନ୍ତୁ, ଧର୍ମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.