ଦୈବ ଦୁର୍ବିପାକ ନେଉଛି ଜୀବନ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହୋଇଛି ଭୂକମ୍ପ

ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ହଠାତ ଦୋହଳି ଉଠିଥିଲା ଚୀନ । କେହି କିଛି ବୁଝିବା ପୂର୍ବରୁ ଅନେକ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ିବାରେ ଲାଗିଥିଲା । ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ପ୍ରାକୃତିକ ଦୁର୍ବିପାକ ଆଗରେ ମଣିଷ ବା କଣ କରି ପାରିବ ।

ସରି ସରି ଆସୁଛି ବର୍ଷ । ନୂଆ ବର୍ଷକୁ ଦିନ କେଇଟା ବାକି ରହିଲା । ଏନେଇ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ଏହି ସମୟରେ ଚୀନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ହୃଦୟକୁ ଥରାଇଛି । ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ହଠାତ ଦୋହଳି ଉଠିଥିଲା ଚୀନ । କେହି କିଛି ବୁଝିବା ପୂର୍ବରୁ ଅନେକ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ିବାରେ ଲାଗିଥିଲା । ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ପ୍ରାକୃତିକ ଦୁର୍ବିପାକ ଆଗରେ ମଣିଷ ବା କଣ କରି ପାରିବ । ଚାହୁଁ ଚାହୁଁ ମାଟିତଳେ ଅନେକ ଲୋକ ପୋତି ହୋଇଗଲେ । କାରଣ ଚୀନରେ ଘଟିଛି ବଡ଼ ଧରଣର ଭୂକମ୍ପ । ଅଟ୍ଟାଳିକା ଭୁଶୁଡ଼ିବା ସହିତ ଅନେକ ଲୋକ ସେହି ଅଟ୍ଟାଳିକା ଭିତରେ ଚାପି ହୋଇଗଲେ । କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା ମଧ୍ୟ ଜଣା ପଡ଼ିଛି । ଏହି ଭୟଙ୍କର ଭୂକମ୍ପରେ ୧୧୧ ଜଣ ମୃତ୍ୟୁବରଣ କରିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆଗକୁ ନୂଆ ବର୍ଷ ଆସୁଥିବା ବେଳେ ଏଭଳି ଅଘଟଣ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଶୁଣିବାକୁ ମିଳୁଛି ଆଗାମୀ ବର୍ଷ ମଧ୍ୟ ଅନେକ କ୍ଷୟକ୍ଷତି ଆଣିବ ଏନେଇ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି ।

ଚୀନରେ ହୋଇଥିବା ଏହି ଭୂକମ୍ପରେ ପାଖାପାଖି ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଉଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିଲା । ଏହି ଭୂକମ୍ପ ଏତେ ଭୟାବହ ହୋଇଥିଲା ଯେ ଏଥିରେ ବଡ଼ ବଡ଼ ଅଟ୍ଟାଳିକାମାନ ଭୁଶୁଡ଼ି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଚୀନର ଉତ୍ତର- ପଶ୍ଚିମ ଗାସୁରେ ଭୂକମ୍ପ ହୋଇଛି । ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା । ସୂଚନା ଅନୁଯାୟୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଭୂକମ୍ପକୁ ନେଇ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଅନ୍ୟପଟେ ଆଫଗାନିସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଫଗାନିସ୍ତାନର ହିନ୍ଦୁ କୁଶ ଠାରେ ଆଜି ସକାଳ ୬.୪୪ ମିନିଟରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରହିଥିଲା । ଏହାର ଗଭୀରତା ୧୬୧ କିଲୋମିଟର ରହିଥିଲା ।

ସେହିପରି ଭାରତର ପଡ଼ୋଶୀ ଦେଶ ମିଆଁମାରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସକାଳ ୫.୧୩ ମିନିଟରେ ୩.୮ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହାର ଗଭୀରତା ୧୧୬ କିଲୋମିଟର ଥିଲା । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତର ଲଦାଖରେ ୩ ତୀବ୍ରତାର ଭୂୂକମ୍ପ ହୋଇଥିଲା । ଆଣ୍ଡମାନ ସାଗରରେ ମଧ୍ୟ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୨ ଥିଲା ।

ଚୀନରେ ହୋଇଥିବା ଏହି ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି କାରଣ ଏବେ ବି ଅନେକ ଲୋକ ଧ୍ୱସ୍ତ ଅଟ୍ଟାଳିକା ତଳେ ଫସି ରହିଛନ୍ତି । ଚଳିତ ବର୍ଷ ଦୈବ ଦୁର୍ବିପାକରେ ହଜାର ହଜାର ଲୋକଙ୍କ ପ୍ରାଣ ଯାଇଛି । କେଉଁଠି ବନ୍ୟାରେ ଅନେକ ଲୋକ ଭାସି ଯାଇଥିଲେ ତ କେଉଁଠି ଭୟଙ୍କର ଭୂକମ୍ପରେ ଅନେକ ଲୋକ ମାଟି ତଳେ ଚାପି ହୋଇ ଯାଇଥିଲେ । ଏଭଳି ଘଟଣା ନିକଟରେ ହିଁ ଘଟିଥିବା ବେଳେ ପୁଣି ଥରେ ଚୀନରେ ହୋଇଥିବା ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଯାଇଛି । ଏହି ସବୁ ଘଟଣାକୁ ନଜର ଦେଲେ ମଣିଷ ଜୀବନ କିପରି କ୍ଷଣସ୍ଥାୟୀ ତାହା ଜଣା ପଡ଼େ । ଲୋକମାନେ ପୋକମାଛି ଭଲି ମୃତ୍ୟୁର ସାମ୍ନା କରୁଛନ୍ତି । ତେବେ ମୃତ୍ୟୁ ଯେତେବେଳେ ଆସେ ଧନୀ ଗରିବ କିଛି ମାନେନି । ଏଭଳି ଦୈବ ଦୁର୍ବିପାକର ଆକଳନ କରିବା ବି ସମ୍ଭବ ନୁହେଁ । ତେଣୁ ଲୋକମାନେ ନିଜ ସୁରକ୍ଷା ପାଇଁ ବି ଅସମର୍ଥ ହୋଇଥାନ୍ତି ଏବଂ ଏଭଳି ଭାବେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟେ ।
ବ୍ୟୁରୋ ରିପୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.