କିଚିରି ମିଚିରି ପକ୍ଷୀଙ୍କ ପାଇଁ ଫ୍ଲାଟ, ଜିଡିଏ ପ୍ରସ୍ତୁତ କରିଛି ପକ୍ଷୀ ରହିବା ପାଇଁ ଘର
ପକ୍ଷୀଙ୍କ ପାଇଁ ଫ୍ଲାଟ୍। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ସତ। ଗାଜିଆବାଦ ବିକାଶ ପ୍ରାଧିକରଣ ପକ୍ଷରୁ ପକ୍ଷୀମାନଙ୍କର ପ୍ରଜାତିକୁ ରକ୍ଷା କରିବା ପାଇଁ ଏପରି ଉପାୟ କରାଯାଇଛି। ଏହି ପକ୍ଷୀ ଫ୍ଲାଟ ଜିଡିଏ ଉପାଧ୍ୟକ୍ଷଙ୍କ ଆବାସରେ ନିର୍ମାଣ କରାଯାଇଛି। ଏହି ଫ୍ଲାଟରେ ୬୦ଟି ପକ୍ଷୀ ରହିବାର ବ୍ୟବସ୍ଥା କରାଯାଇଛି। ପକ୍ଷୀମାନେ ରହିବା ପାଇଁ ଏହି ଫ୍ଲାଟକୁ ଲୁହା ଖୁଣ୍ଟରେ ନିର୍ମାଣ କରାଯାଇଛି ଏବଂ ଉପରେ ଛତା ଭଳି ଛାତ ରହିଛି। ପକ୍ଷୀମାନଙ୍କୁ ଖରା ଏବଂ ବର୍ଷାରୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହିତ ପକ୍ଷୀମାନେ ପାଣି ପିଇବା ଏବଂ ଗାଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ସେମାନଙ୍କ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏହାସହ ପଢ଼ନ୍ତୁ ; ଏହି ଦେଶରେ ହୁଏ ଅଦ୍ଭୁତ ସଂଗୀତ ପ୍ରତିଯୋଗିତା, ଯେଉଁଠି ଗୀତ ଗାଇବାକୁ ଆସନ୍ତି ତିନିଟି ଦେଶର ପକ୍ଷୀ
ଜିଡିଏର ଭାଇସ ଚେୟାରପର୍ସନ କଞ୍ଚନ ବର୍ମାଙ୍କ କହିବା ଅନୁସାରେ, ‘ବାର୍ଡ ଫ୍ଲାଟ ନିର୍ମାଣ କରିବା ପଛରେ ଆମର ଲକ୍ଷ୍ୟ କିଛି ଅଲଗା ରହିଥିଲା। ଏପରି କରି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ସହିତ ପକ୍ଷୀମାନଙ୍କୁ ନିକଟତର କରିବା ଆମର ମୂଳ ଲକ୍ଷ୍ୟ ଥିଲା। ଏହି ଫ୍ଲାଟକୁ ତିଆରି କରିବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମେ ଫ୍ଲାଟକୁ ଚାରିପାଖରୁ ଲୁହାର ଫ୍ରେମ ଦିଆଯାଇଥିବା ବେଳେ ଭିତରେ ୬୦ଟି କାଠର ପ୍ଲେଟ ରହିଛି। ଏହାର ଉଚ୍ଚତା ପାଖାପାଖି ୧୫ ଫୁଟ ରହିଛି। ଏଥିରେ ୧୦ ଫୁଟ ଉଚ୍ଚର ପୋଲ ଏବଂ ୫ ଫୁଟ ଉଚ୍ଚର ପ୍ଲେଟ ତିଆରି ହୋଇଛି।