ବନ୍ଧୁତ୍ବର ସଠିକ୍ ଉଦାହରଣ : ତିନି ବର୍ଷ ହେବ ପିଠିରେ ସାଙ୍ଗକୁ ବୋହି ନେଉଛନ୍ତି ସ୍କୁଲ

ବର୍ତ୍ତମାନ ଦୁନିଆରେ ପ୍ରାୟ ପ୍ରତିଦିନ କିଛି ନା କିଛି ବିଷୟ ଇଣ୍ଟରନେଟରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ଏବେ ଦୁଇ ସାଙ୍ଗଙ୍କ ବନ୍ଧୁତା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଘଟଣାଟି ଚାଇନାର ସିଞ୍ଚୁହା ସହରର ଅଟେ। ଏଠାରେ ଏକ ସ୍କୁଲରେ ସୁ ଏବଂ ଜାହାଙ୍ଗ ନାମକ ଦୁଇ ବାଳକ ଏକ ସାଙ୍ଗରେ ଗୋଟିଏ ଶ୍ରେଣୀରେ ପାଠ ପଢ଼ନ୍ତି। ଜାହାଙ୍ଗ ଚାଲିପାରନ୍ତି ନାହିଁ ଏହି କାରଣରୁ ତାଙ୍କ ସାଙ୍ଗ ସୁ ପ୍ରତିଦିନ ତାଙ୍କୁ ପିଠିରେ ଲଦି ସ୍କୁଲ ନେବା ଆଣିବା କରନ୍ତି।
ଜାହାଙ୍ଗ ୪ ବର୍ଷର ହୋଇଥିବା ସମୟରେ ତାଙ୍କୁ ଏକ ରୋଗ ହୋଇଥିଲା। ଯାହାର ନାମ muscular dystrophy ରହିଥିଲା। ଏଥିକାରଣରୁ ସେ ସାଧାରଣ ଲୋକଙ୍କ ଭଳି ଚଲାବୁଲା କରିପାରନ୍ତି ନାହିଁ। ସ୍କୁଲରେ ସାଙ୍ଗ ପାଲଟିଥିବା ସୁ ନିଜ ସାଙ୍ଗର ରୋଗପାଇଁ ତାଙ୍କର ସାଥ ଛାଡିନାହାନ୍ତି। ଏନେଇ ସେ ନିଜ ସାଙ୍ଗକୁ ଦୈନିକ ପିଠିରେ ଲଦି ସ୍କୁଲ ନିଅନ୍ତି।
ଏହା ବିଷୟରେ ସୁ କହିଛନ୍ତି, ନିଜ ସାଙ୍ଗର ସାହାଯ୍ୟ କରିବାରେ ତାଙ୍କୁ କୌଣସି ପ୍ରକାରର ଅସୁବିଧା ହୋଇନଥାଏ। ତାଙ୍କ ଓଜନ ୪୦ କିଲୋ ରହିଥିବା ବେଳେ ତାଙ୍କ ସାଙ୍ଗ ଜାହାଙ୍ଗର ଓଜନ ୨୫ କିଲୋ। ଏଣୁ ତାଙ୍କୁ ଉଠାଇବାରେ କୌଣସି ସମସ୍ୟା ହୋଇନଥାଏ।
ସେହିପରି ଜାହାଙ୍ଗ କହିଛନ୍ତି, ଆମେ ଖୁବ ଘନିଷ୍ଠ ବନ୍ଧୁ। ଦୁହେଁ ଏକା ସାଙ୍ଗରେ ବସି ପାଠ ପଢ଼ିଥାଉ। ଆମେ ଏକା ସାଙ୍ଗରେ କଥା ହେଉ, ଖେଳ ସବୁ କିଛି କରୁ। ମୁଁ ସୁ ଭଳି ସାଙ୍ଗ ପାଇଁ ନିଜକୁ ଖୁବ ଧନ୍ୟ ମନେ କରୁଛି।