Below header

ଚାଲିପାରୁନି ମାନିନୀ , ଘୁସୁରୁଛି ଭବିଷ୍ୟତ

କୁନି କୁନି ଆଖି ଦେଖୁଛି ଅନେକ ସ୍ୱପ୍ନ । କୁନି କୁନି ପାଦ ଚାହୁଁଛି ଧାଇଁ ଯିବ ସାଙ୍ଗ ସାଥିଙ୍କ ମେଳକୁ । ହେଲେ ସେ ଅସହାୟ ନିରୁପାୟ । ସବୁ ସ୍ୱପ୍ନ ଆଉ ସବୁ ଇଚ୍ଛା ଯେମିତି ଅଟକି ଯାଉଛି ଅଧାବାଟରେ । ଜନ୍ମରୁ ନା ସେ ଚାଲିପାରୁଛି ନା ବସିପାରୁଛି ।

କେନ୍ଦ୍ରାପଡା ମାର୍ଶାଘାଇ ବ୍ଳକ୍ ବାଘଡିଆ ଗାଁର ମାନସ ରଞ୍ଜନ ବେହେରାଙ୍କ ଝିଅ ମାନିନୀ। ମାନିନୀର ପାଠ ପଢିବାକୁ ଭାରି ଇଚ୍ଛା, ତେଣୁ ବାପା ପ୍ରତିଦିନ ଝିଅକୁ କାଖେଇ ଅଙ୍ଗନବାଡି କେନ୍ଦ୍ରକୁ ନିଅନ୍ତି । ଦୁନିଆକୁ ଏଯାଏ ଠିକ୍ ଭାବେ ଦେଖିନି ମାନିନୀ । କିନ୍ତୁ ପ୍ରତିମୂହୁର୍ତ୍ତରେ ଜୀବନ ସହ ଯୁଝି ହେଉଛି ସେ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ମାନିନୀର ହାତ ଗୋଡ ସବୁ ବଙ୍କା ହୋଇ ଯାଉଛି । ତେଣୁ ଅନ୍ୟ ପିଲାଙ୍କ ଭଳି ସେ ସାଧାରଣ ଜୀବନ ବଞ୍ଚି ପାରୁନାହିଁ । ଗାଁ ଦାଣ୍ଡ ବଦଳରେ ବାପାମାଆଙ୍କ କୋଳରେ କଟୁଛି ତାର ଶୈଶବ ।

manini1

ଜନ୍ମ ହେବାର କିଛି ଦିନ ପରେ ମାନିନୀର ଗୋଡ ହାତ ଆସ୍ତେ ଆସ୍ତେ ବଙ୍କା ହେବାକୁ ଲାଗିଲା । ଏବେ ତାହା ବଙ୍କା ହୋଇ ପୁରା ଛନ୍ଦି ହୋଇଗଲା ଗୋଡ । ବାପାମାଆ ଝିଅକୁ ଧରି ଅନେକ ଡାକ୍ତରଖାନା ବୁଲିଲେ । ଶେଷରେ ଡାକ୍ତର କହିଲେ ଗୋଟିଏ ଇଞ୍ଜେକସନ ଦେବାକୁ ପଡିବ । ତା ପାଇଁ ୫୦ ହଜାର ଟଙ୍କା ଲାଗିବ । ଚିନ୍ତାରେ ପଡିଗଲେ ମାନସ । ଦିନ ମଜୁରୀଆ ଏତେ ଟଙ୍କା ବା ଆଣିବ କେଉଁଠୁ ? ଦିନ ପରେ ଦିନ ଗଡିଚାଲିଲା । ଅନେକ ସରକାରୀ ଓ ବେସରକାରୀ ମେଡିକାଲରେ ଦେଖାଇଲେ ।

ଯାହା ଦୁଇ ପଇସା ସଞ୍ଚି ରଖିଥିଲେ ଧିରେ ଧିରେ ସେ ସବୁ ସରିଗଲା । ବର୍ଷେ ପରେ ବି ମାନିନୀର ଶରୀରରେ କୌଣସି ଉନ୍ନତି ହେଲା ନାହିଁ । ଆବଶ୍ୟକ ହେଲା ଅଧିକ ଟଙ୍କା । ଚିକିତ୍ସାରେ ଅର୍ଥ ସାଜିଲା ବାଧକ । ଝିଅକୁ ଭଲ କରିବାକୁ ମାନସ ବିଡିଓ, ତହସିଲଦାର ଓ ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରୀ ଶୁଣାଇଛନ୍ତି । କିନ୍ତୁ କେହି ତାଙ୍କ ଦୁଃଖ ପ୍ରତି ଧ୍ୟାନ ଦେଇ ନାହାନ୍ତି ।

manini2

ମାନସଙ୍କ ପରିବାର କହିଲେ ବୁଢା ବାପା ମାଆ, ପତ୍ନୀ ଚିନୁଲତା, ଆଉ ୫ ବର୍ଷର ଝିଅ ମାନିନୀ । ଭଗବାନଙ୍କ ଆଶୀର୍ବାଦରୁ ବାହାଘରର ୩ ବର୍ଷ ପରେ ମାନସ ଓ ଚିନୁଲତାଙ୍କ ଔରସରୁ ଜନ୍ମ ନେଲା ଏକ କନ୍ୟା ସନ୍ତାନ । ଶ୍ରଦ୍ଧାରେ ପରିବାର ଲୋକେ ନାଁ ରଖିଲେ ମାନିନୀ । ଘରକୁ ଝିଅଟିଏ ଆସିବା ପରେ ସମ୍ପୂର୍ଣ୍ଣ ହୋଇଗଲା ପରିବାର । ଜେଜେବାପା ଜେଜେମାଆଙ୍କର ଭାରି ଗେହ୍ଲା ହୋଇଗଲା ମାନିନୀ । ତାର ଗୁଲୁଗୁଲିଆ ଚେହେରା ଆଉ ହସରେ, ଦିନ କେମିତି କଟିଯାଏ ସମସ୍ତଙ୍କର ଜଣାପଡେ ନାହିଁ । ଖନେଇ ଖନେଇ କହୁଥିବା ତା କଥା ଶୁଣିବାକୁ ସମସ୍ତେ କାନେଇ ବସିଥାନ୍ତି । କିନ୍ତୁ ଏବେ ଝିଅଟିର ଏପରି ଅବସ୍ଥା ଦେଖି ପୁରା ପରିବାର ଭାଙ୍ଗି ପଡିଛି । କିଛି ମାସ ହେବ ମାନିନୀର ମେରୁଦଣ୍ଡ ବି ଧିରେ ଧିରେ ବଙ୍କା ହେବାକୁ ଲାଗିଲାଣି ।

manini3

ଆଜି ପର‌୍ୟ୍ୟନ୍ତ ମାନସଙ୍କ ପରିବାରକୁ କୌଣସି ସରକାରୀ ସୁବିଧା ମିଳିନାହିଁ । ତେଣୁ ଆମ ପ୍ରତିନିଧି ମାନସ ଓ ମାନିନୀକୁ ସାଙ୍ଗରେ ଧରି ଭେଟିଥିଲେ ମାର୍ଶାଘାଇ ବିଡିଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ସହଳ ପରୀକ୍ଷା ଚିକିତ୍ସା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ଜନ ଶୁଣାଣି ସମେତ ସମସ୍ତ ପ୍ରାଶାସନିକ ଅଧିକାରୀମାନଙ୍କୁ ।

ପ୍ରଶାସନର ମାନିନୀକୁ ସହାୟତା ଯୋଗାଇ ଦେବା ସହ ରାଷ୍ଟ୍ରୀୟ ବାଳ ସୁରକ୍ଷା ଅଧିନରେ ତାର ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ହେଲେ କଥା ହେଉଛି ଏ ପ୍ରତିଶ୍ରୁତି ଯଦି ପ୍ରଶାସନ ଆଗରୁ ଦେଇଥାନ୍ତା ହୁଏତ ଏ କୁନି ଝିଅଟି ନିଜ ପାଦରେ ଚାଲିବା ସହ ଏବେ ସ୍ୱାଭାବିକ ଜୀବନ ବଞ୍ଚୁଥାନ୍ତା । ଆଶା କରୁଛୁ ଝିଅଟିକୁ ଭଲ କରିବା ଦିଗରେ ପ୍ରଶାସନ ଯଥାଶୀଘ୍ର କୌଣସି ପଦକ୍ଷେପ ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.