Below header

ଦେଶର ଏହି ସବୁ ସ୍ଥାନରେ ଖେଳା ଯାଏନି ହୋଲି, କ’ଣ ରହିଛି ଏହା ପଛରେ କାରଣ ଆଜି ଜାଣନ୍ତୁ

ଏଠି ରଙ୍ଗ ଖେଳିବା ମନା । ଭାରତରେ ଅନେକ ଗାଁ ଏମିତି ବି ଅଛି, ଯେଉଁଠି ହୋଲି ଖେଳିବାର କୌଣସି ବିଧି ବିଧାନ ନାହିଁ। ଆଜି ଆମେ ଭାରତର ସେହି ଗାଁଗୁଡ଼ିକ ବିଷୟରେ କହିବୁ, ଯେଉଁଠି ହୋଲି ପର୍ବ ପାଳନ କରାଯାଏ ନାହିଁ।

ରଙ୍ଗ ଅବିରର ପର୍ବ ହୋଲି। ସ୍ନେହଶ୍ରଦ୍ଧା ର ପର୍ବ ହୋଲି। ଏହାକୁ ମନାଇବାର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଭାରତରେ ଅନେକ ଗାଁ ଏମିତି ବି ଅଛି, ଯେଉଁଠି ହୋଲି ଖେଳିବାର କୌଣସି ବିଧି ବିଧାନ ନାହିଁ। ଆଜି ଆମେ ଭାରତର ସେହି ଗାଁଗୁଡ଼ିକ ବିଷୟରେ କହିବୁ, ଯେଉଁଠି ହୋଲି ପର୍ବ ପାଳନ କରାଯାଏ ନାହିଁ।

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ କୁରଝାଁ ଏବଂ କ୍ୱିଲି ନାମକ ଦୁଇଟି ଗାଁ ରହିଛି। ଏଠାରେ ପାଖାପାଖି ୧୫୦ ବର୍ଷ ହେବ ହୋଲି ପାଳନ କରାଯାଇ ନାହିଁ। ଲୋକଙ୍କ ମାନ୍ୟତା ରହିଛି, ଅଞ୍ଚଳର ପ୍ରମୁଖ ଦେବୀ ତ୍ରିପୁର ସୁନ୍ଦରୀଙ୍କୁ କୋଳାହଳ ଆଦୌ ପସନ୍ଦ ନୁହେଁ।

ଏଥିପାଇଁ ଗାଁ ଲୋକେ ହୋଲି ଖେଳନ୍ତି ନାହିଁ। ରୁଦ୍ରପ୍ରୟାଗରେ ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ସଙ୍ଗମ ରହିଛି। ଶ୍ରଦ୍ଧାଳୁମାନେ ଏଠାରେ କାଟେଶ୍ୱର ମହାଦେବଙ୍କୁ ଦର୍ଶନ କରିବାକୁ ନିଶ୍ଚୟ ଆସନ୍ତି। ଏମିତି ବି ମାନ୍ୟତା ରହିଛି ଯେ ଭସ୍ମାସୁର ନାମକ ରାକ୍ଷସ ନଜରରୁ ବଞ୍ଚିବା ପାଇଁ ଭଗବାନ ଶିବ ଏଠାରେ ଏକ ଚମତ୍କାରୀ ଗୁମ୍ଫାରେ ନିଜକୁ ଲୁଚେଇ ରଖିଥିଲେ।
ସେହିପରି ତାମିଲନାଡ଼ୁରେ ରହୁଥିବା ଲୋକେ ମଧ୍ୟ ପାରମ୍ପରିକ ରୂପେ ହୋଲି ଉତ୍ସବ ପାଳନ କରନ୍ତି ନାହିଁ। କୁହାଯାଏ କି, ହୋଲି ପୂର୍ଣ୍ଣିମା ଦିନ ପଡ଼ିଥାଏ ଏବଂ ତାମିଲନାଡ଼ୁରେ ଏହି ଦିନ ମାସୀ ମାଗମଙ୍କୁ ସମର୍ପିତ ରହିଛି। ଏହି ଦିନ ତାଙ୍କ ପିତୃ ପୁରୁଷ ପବିତ୍ର ନଦୀ ଏବଂ ଜଳାଶୟରେ ବୁଡ଼ ପକାଇବା ପାଇଁ ଆକାଶରୁ ଧରାପୃଷ୍ଠକୁ ଓହ୍ଲାଇ ଥାଆନ୍ତି। ଏଣୁ ଏହି ଦିନ ହୋଲି ମନାଇବା ବର୍ଜିତ ରହିଛି।

ସେହିପରି ଝାଡ଼ଖଣ୍ଡର ଦୁର୍ଗାପୁର ଗାଁରେ ବି ହୋଲି ପାଳନ କରାଯାଏ ନାହିଁ। ଏଠି ରହୁଥିବା ପାଖାପାଖି ୧ହଜାର ଲୋକେ ୧୦୦ରୁ ଅଧିକ ବର୍ଷ ହେବ ହୋଲି ପାଳନ କରି ନାହାନ୍ତି। ସେମାନଙ୍କ କହିବା ହେଲା, ଯଦି କେହି ହୋଲି ରଙ୍ଗ ଉଡ଼ାଏ, ତ ତା’ର ମୃତ୍ୟୁ ସୁନିଶ୍ଚିତ। ୧୦୦ ବର୍ଷ ପୂର୍ବେ ଏଠାକାର ଜଣେ ରାଜା ହୋଲି ଖେଳିଥିଲେ, ଯେଉଁଥି ପାଇଁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା। ରାଜାଙ୍କ ପୁଅର ମୃତ୍ୟୁ ସେହି ହୋଲି ଦିନ ହିଁ ହୋଇଥିଲା। ଆଉ ଏହାପରେ ଖୋଦ୍ ରାଜାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ମରିବା ପୂର୍ବରୁ ରାଜା ଏଠାକାର ଲୋକଙ୍କୁ ହୋଲି ନ ଖେଳିବାକୁ ଆଦେଶ ଦେଇଥିଲେ।

ଗୁଜରାଟର ବନସକାନ୍ତା ଜିଲାର ରାମସନ ଗାଁରେ ବି ହୋଲି ପାଳିବା ମନା। ୨୦୦ ବର୍ଷ ହେବ ଏହି ହୋଲି ଉତ୍ସବ ପାଳନ କରାଯାଇ ନାହିଁ। ପ୍ରଥମେ ଏହି ଗାଁର ନାଁ ରାମେଶ୍ୱର ଥିଲା। କୁହାଯାଏ କି, ଭଗବାନ ରାମ ନିଜ ଜୀବନ କାଳରେ ଥରେ ଏଠାକୁ ଆସିଥିଲେ। କିମ୍ବଦନ୍ତୀ ରହିଛି, ଜଣେ ଅହଂକାରୀ ରାଜାଙ୍କ ଯୋଗୁ କିଛି ସାଧୁସନ୍ଥ ଏହି ଗାଁକୁ ରଙ୍ଗହୀନ ରହିବା ପାଇଁ ଅଭିଶାପ ଦେଇଥିଲେ। ସେବେଠାରୁ ଏଠାରେ ହୋଲି ପାଳନର ପ୍ରଥା ବନ୍ଦ ହୋଇଛି।… ଏମିତି ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ହୋଲି ପର୍ବକୁ କିଛି ଜାଗାରେ ବନ୍ଦ କରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.