ପ୍ରାୟ ଦୁଇ ଶହ ବର୍ଷର ପରାଧୀନତା ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଭାରତକୁ ମିଳିଲା ସ୍ୱାଧୀନତା । ନୂତନ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇ ଭାରତ ନୂଆ ସମ୍ବିଧାନ ସହ ଆଗକୁ ବଢିଲା। ଇତିମଧ୍ୟରେ ସ୍ୱାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଭାରତ ଗଢିଛି ନୂଆ ଭାରତ । ନୂତନ ସଫଳତାରେ ପଥେ ଅଗ୍ରସର ହୋଇଛି। ଚନ୍ଦ୍ରାୟଣ-୨ ଜରିଆରେ ମହାକାଶ ଗବେଷଣା କ୍ଷେତ୍ରରେ ନୂତନ ଇତିହାସ ସୃଷ୍ଟି କରିଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ହୋଇଛି। ଏକ ରାଷ୍ଟ୍ର, ଏକ ସମ୍ବିଧାନରେ ଭାରତ ଆଜି ସମୃଦ୍ଧ। ବିଭିନ୍ନତା ଭିତରେ ଭାରତ ହେଛି ଏକ ଓ ଅଭିନ୍ନ। ଭିନ୍ନ ଜାତି, ଭିନ୍ନ ଧର୍ମ, ଭିନ୍ନ ଭାଷାକୁ ନେଇ ଭାରତ ଆଜି ବିଶ୍ୱ ବିଦିତ ଓ ବିଶ୍ୱ ବନ୍ଦିତ। ଭାରତ ଚଳିତ ବର୍ଷ ୭୩ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି।
ରାଜା ଭରତଙ୍କ ନାମରୁ ହୋଇଛି ଭାରତ । ଭାରତ ସ୍ୱାଧୀନତା ପାଇବା ପରେ ଏହାର କୌଣସି ଜାତୀୟ ସଂଗୀତ ନଥିଲା। କିନ୍ତୁ ପଣ୍ଡିତ ଜବାଦାରଲାଲ ନେହେରୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଲିଖିତ ସଂଗୀତ ‘ଜନ ଗଣ ମନ..’କୁ ୧୯୫୦ରେ ଜାତୀୟ ସଂଗୀତର ମାନ୍ୟତା ଦେଇଥିଲେ। ଜାତୀୟ ପତାକା ଅଗଷ୍ଟ ୧୫ ନୁହେଁ, ପ୍ରଥମ ଥର ପାଇଁ ୧୯୦୬ ଅଗଷ୍ଟ ୭ରେ କଲିକତାର ପର୍ସି ବାଗାନ ଛକରେ ଉତ୍ତୋଳନ ହୋଇଥିଲା। ତେବେ ସେତେବେଳେ ଏହାର ରଙ୍ଗ କିଛି ଅଲଗା ଥିଲା । ଏଥିରେ ଲାଲ, ହଳଦିଆ ଓ ସବୁଜ ରଙ୍ଗ ରହିଥିଲା ।
ଭାରତ ସହିତ ଆଉ ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ ଦିନ ସ୍ୱାଧୀନତା ଦିବସ ପାଳିଥାନ୍ତି । ସେମାନେ ହେଲେ ବାହାରିନ୍, ଉତ୍ତର କୋରିଆ, ଦକ୍ଷିଣ କୋରିଆ, କଙ୍ଗୋ ଏବଂ ଲିଚେନ୍ଷ୍ଟେନ୍ ।
ଇଂରେଜମାନଙ୍କ କବଳରୁ ଭାରତକୁ ରକ୍ଷା କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଭଗତ ସିଂଙ୍କ ଯାଏଁ ଅନେକ ସ୍ୱାଧୀନତା ସଂଗ୍ରାମୀ ଏବଂ ବୀରମାନେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି ଦେଶକୁ ସ୍ୱାଧୀନ କରିବା ପାଇଁ। ସେମାନଙ୍କ ଜୀବନର ବଳିଦାନ ସ୍ୱରୂପ ଆମ୍ଭେମାନେ ଆଜି ଏହିସ୍ଥାନରେ ପହଞ୍ଚି ପାରିଛେ।
ତେବେ ୧୯୪୭ ମସିହା ଅଗଷ୍ଟ ୧୫ ଦିନ ସାରା ଦେଶ ଉତ୍ସବ ମନାଉଥିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧୀ ଏଥିରେ ସାମିଲ ନଥିଲେ । କାରଣ ଭାରତ ଠାରୁ ପାକିସ୍ତାନ ଅଲଗା ହେବା ପରେ ଯେଉଁ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେଲା ତାହା ତାଙ୍କୁ ଖୁବ୍ ମର୍ମାହତ କରିଥିଲା । ଏହାର ପ୍ରତିବାଦ କରି ବାପୁ ଆମରଣ ଅନଶନରେ ବସିଥିଲେ ।
ଭାରତ ଓ ପାକିସ୍ତାନ ଦୁଇଭାଗ ହେବା ପୂର୍ବରୁ ବ୍ରିଟେନ୍ର ଜଣେ ନାଗରିକ ସିରିଲ ଜନ୍ ରେଡ୍କ୍ଲିଫ୍ଙ୍କୁ ଦାୟିତ୍ୱ ଦିଆଯାଇଥିଲା ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବାକୁ । ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ରେଡ୍କ୍ଲିଫ୍ ତାଙ୍କ ଜୀବନରେ କେବେବି ଭାରତ ଆସି ନଥିଲେ । ଆଉ ସେ ହିଁ ଦୁଇ ଦେଶର ସୀମା ନିର୍ଦ୍ଧାରଣ କଲେ ।
ଦେଶ ବିଭାଜନର ନିଷ୍ପତ୍ତି ୧୯୪୭ ମସିହା ଜୁନ୍ ୩ ତାରିଖରେ ନିଆଯାଇଥିଲା । ହେଲେ ତାହା କାର୍ଯ୍ୟକାରୀ ହେଲା ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ ।
ଦେଶ ସ୍ୱାଧୀନ ହେବା ବେଳକୁ ଦଶ ଗ୍ରାମ୍ ସୁନାର ଦର ଥିଲା ୮୮ ଟଙ୍କା ୬୨ ପଇସା ।
ତେବେ ଆମକୁ ୧୯୪୭ ଅଗଷ୍ଟ ୧୫ରେ ବ୍ରିଟିଶ୍ ଶାସକଙ୍କ ହାତରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିନଥିଲା । ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଲା ତିନି ବର୍ଷ ବାଦ୍ ୧୯୫୦ ଜାନୁଆରୀ ୨୬ରେ । ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଉ ।