Below header

ଏହି ଦିନ ଲୁପ୍ତ ହୋଇଯିବ କେଦାରନାଥ ଧାମ, ସ୍ୱର୍ଗକୁ ଫେରିଯିବେ ଗଙ୍ଗା

ଦେଶର ପ୍ରମୁଖ ଧାମ ମଧ୍ୟରେ କେଦାରନାଥ ଅନ୍ୟତମ। ମହାଦେବର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ। ହିମାଳୟ ଶିଖରରେ ସ୍ଥିତ ଦେବଦେବ ମହାଦେବଙ୍କ ଏହି ପୁଣ୍ୟକ୍ଷେତ୍ରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ସମୁଦ୍ରତଟରୁ ପ୍ରାୟ ୩,୫୫୩ ମିଟର ଉଚ୍ଚତାରେ କେଦାରନାଥ ମନ୍ଦିର ରହିଛି। ଏଠାକୁ ଯିବା ରାସ୍ତା ମଧ୍ୟ ବେଶ୍‌ ଦୁର୍ଗମ। ତେବେ ଶାସ୍ତ୍ର ଅନୁସାରେ କଳିଯୁଗର ପାଞ୍ଚ ହଜାର ବର୍ଷ ପରେ ପୃଥିବୀରେ ପାପର ଭାର ବଢ଼ିବ। ପାପ ଏତେ ବଢ଼ିଯିବ ଯେ ଭଗବାନ ମଧ୍ୟ ପୃଥିବୀ ଛାଡ଼ି ଚାଲିଯିବେ।

Heavy snowfall affects reconstruction work in Kedarnath

କଳିଯୁଗରେ ପୃଥିବୀପୃଷ୍ଠରେ ପୁଣ୍ୟ କମିବା ସହ ପାପ ବଢ଼ି ବଢ଼ି ଯିବ। ଏହି ସମୟରେ ନାନା ପ୍ରକାରର ଚୋରି, ଡକାୟତି, ଲୁଣ୍ଠନ ବଢ଼ିବ। ପୁଅ ବାପାମା’କୁ ମାରିବ ହାଣିବ। ଦୁନିଆରେ ଅନ୍ୟାୟ, ଅନୀତି ବୃଦ୍ଧି ପାଇବ। ଲୋକମାନେ ଭଗବାନଙ୍କୁ ମାନିବେ ନାହିଁ। ସାଧୁସନ୍ଥଙ୍କୁ କେହି ସମ୍ମାନ ଦେବେ ନାହିଁ। ଏଭଳି ଘଟଣା ବଢ଼ିଲେ ଭଗବାନ ପୃଥିବୀ ଛାଡ଼ି ଚାଲିଯିବେ ବୋଲି ପୁରାଣରେ ବର୍ଣ୍ଣିତ ଅଛି।

କେଦାରନାଥ ମନ୍ଦିର ସହ ଜଡ଼ିତ କେତେକ ପୌରାଣିକ କଥା ମଧ୍ୟ ପ୍ରଚଳିତ ଅଛି। କୁହାଯାଏ ଯେ ୪୦୦ ବର୍ଷ ଯାଏଁ କେଦାରନାଥ ମନ୍ଦିର ବରଫରେ ଚାପି ହୋଇ ରହିଥିଲା। ପୌରାଣିକ ଭବିଷ୍ୟବାଣୀ ଅନୁସାରେ ଗୋଟିଏ ଦିନ କେଦାରନାଥ ମନ୍ଦିର ବି ଲୁପ୍ତ ହୋଇଯିବ।

କେଦାରଘାଟୀରେ ନର ଓ ନାରାୟଣ ନାମକ ଦୁଇଟି ପାହାଡ଼ ରହିଛି। ଯେଉଁ ଦିନ ଏହି ଦୁଇଟି ପର୍ବତ ପରସ୍ପର ସହ ମିଶିଯିବେ, ସେହିଦିନ କେଦାରନାଥ ମନ୍ଦିରକୁ ଯିବା ରାସ୍ତା ବନ୍ଦ ହୋଇଯିବ। ଫଳରେ କେଦାରନାଥ ମନ୍ଦିରକୁ ଯାଇ ହେବନି ଓ ଏହି ମନ୍ଦିର ସବୁଦିନ ପାଇଁ ଲୁପ୍ତ ହୋଇଯିବ ବୋଲି ପୁରାଣରେ ବର୍ଣ୍ଣିତ ରହିଛି।

Ganges - Wikipedia

ପୁରାଣ ଅନୁସାରେ ଗଙ୍ଗା ସ୍ୱର୍ଗର ଏକ ନଦୀ। ଏହି ନଦୀକୁ ଯଦି ଦୂଷିତ କରାଯିବ ତେବେ ସମଗ୍ର ଜମ୍ବୁଦ୍ୱୀପର ବିନାଶ ହେବ। ପରିଣାମ ସ୍ୱରୂପ ଗଙ୍ଗା ପୁଣି ଥରେ ସ୍ୱର୍ଗକୁ ଚାଲିଯିବ। ଗଙ୍ଗା ନଦୀ ନ ରହିଲେ ଏହାର ତଟରେ ଥିବା ମନ୍ଦିରର କୌଣସି ମହତ୍ତ୍ୱ ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.