ଶୀତର ପହିଲି ସ୍ପର୍ଶରେ ଆପଣ କୁଆଡେ ବୁଲିବାକୁ ପ୍ଲାନ କରିଛନ୍ତି କି ନାହିଁ? ଯଦି କରିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜଣାଇବୁ। ଯେଉଁ ସ୍ଥାନକୁ ଯାଇ ଆପଣ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ। କଟକ ସହର ଠାରୁ ଚାଳିଶ କିଲୋମିଟର ଦୂରରେ ମହାନଦୀ କୂଳେ କୂଳେ ଆସିଲେ ପଡେ ବାଙ୍କୀ ପାଥପୁର ଗାଁ । ଏହି ଗାଁ ଠାରୁ ଦୁଇ କିଲୋମିଟର ଦୂର ଆଉ ଚନ୍ଦକା ଅଭୟାରଣ୍ୟର ଉତ୍ତର ଦିଗକୁ ଲାଗି ରହିଛି ପାହାଡ଼। ସେହି ପାହାଡ଼ ଉପରେ ଅଛି ପାଣ୍ଡବ ଗୁମ୍ଫା। ଲୋକେ ଏହି ଗୁମ୍ଫାର ନାଁ ରଖିଛନ୍ତି ପାଣ୍ଡବ ବଖରା।
ଦ୍ୱାପର ଯୁଗରେ ଯେତେବେଳେ ପାଣ୍ଡବମାନେ ଅଜ୍ଞାତ ବାସରେ ଥିଲେ ସେତେବେଳେ କୁଆଡେ ପାଣ୍ଡବମାନେ ଏହି ପାହାଡ଼ ଉପରେ ରହୁଥିଲେ। ପାଞ୍ଚ ଭାଇଙ୍କ ସହିତ ଧର୍ମପତ୍ନୀ ଦ୍ରୌପଦୀ ମଧ୍ୟ ଥିଲେ ସେମାନଙ୍କ ସହ । ତଥାପି ମନରେ ପ୍ରଶ୍ନ ଆସେ ସତରେ କଣ ପାଣ୍ଡବମାନେ ଆସି ଏହି ପାହାଡ଼ରେ ରହିଥିଲେ ? ଏହି ଗୁମ୍ଫାରେ ପାଞ୍ଚ ଭାଇଙ୍କର ପାଞ୍ଚ ଗୋଟି ବଖରା ରହିଛି। କିଛି ଶିଳାରେ ଲିପିବଦ୍ଧ ମଧ୍ୟ ହୋଇ ରହିଛି। ଯାହାକି ଆଠ ହଜାରରୁ ଦଶହଜାର ବର୍ଷ ତଳର ଭାଷା ବୋଲି ଗବେଷକମାନେ କୁହନ୍ତି।
ଏହି ପାହାଡ଼ ଉପରେ ଏକ ପାଣିକୁଣ୍ଡ ମଧ୍ୟ ରହିଛି । ଏହାକୁ ପାଣ୍ଡବମାନେ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଅନୁମାନ କରାଯାଏ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେହି କୁଣ୍ଡରୁ ଯେତେ ପାଣି ନେଲେ ବି ତାହା ଖାଲି ହୋଇ ନଥାଏ । ଯେତିକି ପାଣି ଯାଏ ସେତିକି ଭର୍ତ୍ତି ହୋଇଯାଏ। ଯାହା ସ୍ଥାନୀୟ ଲୋକେ ଅଙ୍ଗେ ନିଭାଇଛନ୍ତି। ରାଧାଷ୍ଟମୀରେ ଏଠାରେ ଖିରି ଭୋଜି କଲେ ବାସ୍ନାରେ ମହକିଯିବାର ଏବେ ବି ବିଶ୍ବାସ ରହିଛି।
ମଧ୍ୟମ ପାଣ୍ଡବ ପାର୍ଥ ବା ଅର୍ଜୁନଙ୍କ ନାମ ଅନୁସାରେ ଏହି ପାହାଡ଼କୁ ଲାଗି ରହିଥିବା ଗାଁର ନାଁ ଥିଲା ପାର୍ଥପୁର । କୁହାଯାଉଛି କି ଏହା ଅପଭ୍ରଂଶ ହୋଇ ଏବେ ନାଁ ହୋଇଛି ପାଥପୁର । ସେହିପରି ଏହି ପାହାଡ଼ ଉପରୁ ଅର୍ଜୁନ ତାଙ୍କ ଧନୁରୁ ନିକଟରେ ଥିବା ଏକ ସ୍ଥାନକୁ ଶର ମାରିଥିଲେ । ସେଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ତେଣୁ ଏହି ଗାଁର ନାମ ରଖା ଯାଇଛି ଚକୁଳେଶ୍ୱର।
ଲୋକକଥା ଓ କିମ୍ବଦନ୍ତୀ ଭିତରେ ଏବେବି ଅତୁଟ ଓ ଅକ୍ଷୁଣ୍ଣ ରହିଛି ଏହି ପାଣ୍ଡବ ଗୁମ୍ଫା । ତଥାପି ଆବଶ୍ୟକ ହେଉଛି ରକ୍ଷଣା ବେକ୍ଷଣ । ଏହି ପୌରାଣିକ ମହତ୍ୱ ଥିବା ଜାଗାଟି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରିବ । ତେବେ ଏଥିପାଇଁ ଲୋଡ଼ା କେବଳ ପର୍ଯ୍ୟଟନ ବିଭାଗ ଓ ପ୍ରତ୍ନତତ୍ବ ବିଭାଗ ମିଳିତ ସହଯୋଗ ।