ମୋ ପିତାମାତାଙ୍କର ଆଶୀର୍ବାଦ ଏବଂ ଶ୍ରୋତାମାନଙ୍କର ସ୍ନେହ ହିଁ ମତେ ତିଷ୍ଠି ରହିବାରେ ସହାୟକ ହୋଇଥିଲା

ଆଜି ଚିରନିଦ୍ରାରେ ଶୋଇପଡିଲେ ଲତା ମଙ୍ଗେସକର। ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ନୀରବି ଗଲେ ସ୍ୱର ସାମ୍ରାଜ୍ଞୀ। ତାଙ୍କ ବିୟୋଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ପାଇଁ ୨ ଦିନିଆ ରାଷ୍ଟ୍ରୀୟ ଶୋକ ସହିତ ଜାତୀୟ ପତାକା ଅର୍ଦ୍ଧନିର୍ମିତ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ କରାଯିବ। ଆଉ ତାଙ୍କ ଶେଷକୃତ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇବେ। ଲତାଙ୍କ ସହିତ ଏମିତି ଅନେକ କଥା ରହିଛି, ଯାହା ବିଷୟରେ ହୁଏତ ଆପଣ ଜାଣିନଥିବେ।

କୋକିଳ କଣ୍ଠୀ ଲତାଙ୍କ ଗୀତ ଶୁଣିବାକୁ ସମସ୍ତେ ପାଗଳ। ଗୀତକୁ ଭଲ ପାଉଥିବା ରସିକନାଗରମାନେ ତାଙ୍କ ଗୀତକୁ ବାରମ୍ବାର ଶୁଣୁଥିଲେ ମଧ୍ୟ ନିଜେ ଗାଇଥିବା ଗୀତଗୁଡିକୁ କଦାପି କେବେ ଶୁଣୁନଥିଲେ ବୋଲି ଥରେ କହିଥିଲେ। କାରଣ, ସେ ଗାଇ ସାରିଥିବା ଗୀତଗୁଡ଼ିକରେ ଅସଂଖ୍ୟ ତ୍ରୁଟି ଥିବା ଜାଣି ପାରୁଥିଲେ।

ଥରେ ୨୦୨୦ରେ ‘ବଲିଉଡ୍ ହଙ୍ଗାମା’ ସହ ସାକ୍ଷାତକାର ବେଳେ ସେ କହିଥିଲେ, କଦାପି ନୁହେଁ! ମୁଁ ମୋ ଗୀତ ସବୁ ଶୁଣେ ନାହିଁ। ଯଦି ଶୁଣିବି, ମୋ ଗାୟନରେ ଅସଂଖ୍ୟ ତ୍ରୁଟି ପାଇବି। ଅତୀତରେ ବି ମୁଁ ଗୀତଟିଏ ରେକର୍ଡିଂ କରି ସାରିଲେ, ତାହାକୁ ପୁନର୍ବାର ଶୁଣୁ ନ ଥିଲି।

ତାଙ୍କ ପରି ଆଉ କେହି ଗାଇ ପାରିବେ ନାହିଁ ବୋଲି ଉକ୍ତ ସାକ୍ଷାତ୍କାରରେ ପଚରା ଯିବାରୁ ଲତା ତାହାକୁ ଅଗ୍ରାହ୍ୟ କରି କହିଥିଲେ, ସେ ଅଳକା ୟାଗ୍ନିକ୍, ଶ୍ରେୟା ଘୋଷାଲ୍ ଏବଂ ସୁନିଧି ଚୌହାନଙ୍କ କଣ୍ଠକୁ ପସନ୍ଦ କରନ୍ତି। ସେ କହିଥିଲେ, ମୁଁ ଆପଣଙ୍କ କଥାରେ ଏକମତ ନୁହେଁ। ମୋ ପୂର୍ବରୁ ଓ ପରେ ଅନେକ ପ୍ରତିଭାବାନ୍ ଗାୟିକା ଥିଲେ ଓ ଅଛନ୍ତି। ସେମାନେ ମୋ ସହ ତୁଳନୀୟ ନ ହେବେ କାହିଁକି? ମୋ ପୂର୍ବରୁ ଗାୟିକା ନୂର ଜହାଁ, ଶମ୍ଶାଦ୍ ବେଗମ୍, ଗୀତା ଦତ୍ତ ଏବଂ ମୋ ଭଉଣୀ ଆଶା ମଧ୍ୟ ଅତ୍ୟନ୍ତ ପ୍ରତିଭାବାନ। ଏବେ ଗାଉଥିବା ଅଳକା ୟାଗ୍ନିକ୍, ଶ୍ରେୟା ଘୋଷାଲ୍ ଏବଂ ସୁନିଧି ଚୌହାନ୍ ମଧ୍ୟ ଭଲ ଗାଉଛନ୍ତି।

ଲତା ମଙ୍ଗେସକର ଥିଲେ ଅତ୍ୟନ୍ତ ବିନୟୀ। ପ୍ରଶଂସକମାନଙ୍କ ଅସୀମ ଶ୍ରଦ୍ଧା ନିମନ୍ତେ ମଧ୍ୟ ସେ ଥିଲେ ଅତ୍ୟନ୍ତ କୃତଜ୍ଞ। ତାଙ୍କ ଭାଷାରେ, ମୋର ବିଶ୍ୱାସ ହେଉନାହିଁ, ୭୫ ବର୍ଷ ହେବ ସଙ୍ଗୀତପ୍ରେମୀମାନେ ମତେ ସହ୍ୟ କରିଆସୁଛନ୍ତି। ସେମାନଙ୍କ ସ୍ନେହ ଓ ଆନୁଗତ୍ୟ ବିନା ମୋର କୌଣସି ମୂଲ୍ୟ ନ ଥାନ୍ତା। ସଫଳତାକୁ ମୁଁ ଅହଙ୍କାର ମନେକରି ନାହିଁ। ଅହଙ୍କାର ଯୋଗୁଁ ମୁଁ ଅନେକ ଶିଳ୍ପୀଙ୍କର ପତନ ଦେଖିଛି। ମୋ ଉପରେ ଈଶ୍ବରଙ୍କର ଅପାର କରୁଣା। ମୋ ନିମ୍ନମାନର ଗୀତଗୁଡ଼ିକୁ ମଧ୍ୟ ଶ୍ରୋତାମାନେ ଗ୍ରହଣ କରିଛନ୍ତି। ମୋ ପିତାମାତାଙ୍କର ଆଶୀର୍ବାଦ ଏବଂ ଶ୍ରୋତାମାନଙ୍କର ସ୍ନେହ ହିଁ ମତେ ତିଷ୍ଠି ରହିବାରେ ସହାୟକ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.