ବିଶ୍ୱର ସବୁ ହ୍ରଦରୁ କମୁଛି ଅମ୍ଳଜାନ, ଜଳଜୀବ ଓ ମାନବ ସମାଜ ପ୍ରତି ସୃଷ୍ଟି ହେବ ବଡ଼ ବିପଦ

ପୃଥିବୀ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ବିଶ୍ୱର ବିଭିନ୍ନ ହ୍ରଦରେ କମିବାରେ ଲାଗିଛି ଅମ୍ଳଜାନ ବା ଅକ୍ସିଜେନ୍‌ର ସ୍ତର । ଯାହା ଏଥିରେ ରହୁଥିବା ଜଳଜୀବଙ୍କ ବିନାଶର କାରଣ ସାଜି ପାରେ । ତେବେ ଏସବୁ ଶୁଣା କଥା କି ଗୁଜବ ନୁହେଁ । ବିଶେଷଜ୍ଞମାନେ ଗବେଷଣା କରି ଏହି ସୂଚନା ଦେଇଛନ୍ତି ।

ଆମେରିକାର ରେନସିଲିୟର ପଲିଟେକନିକ ଇନଷ୍ଟିଚ୍ୟୁସନ୍‌ର ପରିବେଶ ଜୀବ ବିଜ୍ଞାନୀ କେଭିନ୍‌ ରୋଜ ଏ ସମ୍ପର୍କରେ ଗବେଷଣା କରିଛନ୍ତି । ସେ କହିଛନ୍ତି କି ବିଶ୍ୱର ଶୀତୋଷ୍ଣ ଅଞ୍ଚଳର ୩୯୩ଟି ହ୍ରଦ ଉପରେ ଗତ ୧୯୪୧ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଗବେଷଣା କରାଯାଇଥିଲା । ସେହି ଗବେଷଣାରୁ ଜଣାପଡ଼ିଛି ଯେ ହ୍ରଦଗୁଡ଼ିକର ଅମ୍ଳଜାନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ଗ୍ଲୋବାଲ ଓ୍ଵାର୍ମିଂର ପ୍ରଭାବରେ ଏବେ ସାରା ବିଶ୍ୱ ଆଉଟୁ ପାଉଟୁ ହେବାରେ ଲାଗିଥିବା ବେଳେ ହ୍ରଦଗୁଡ଼ିକୁ ନେଇ ଆସିଥିବା ନୂଆ ତଥ୍ୟ କେବଳ ଜଳଜୀବ ନୁହେଁ ମାନବ ସମାଜ ପାଇଁ ମଧ୍ୟ ବଡ଼ ସମସ୍ୟା ଆଣିଦେବ । କାରଣ ହ୍ରଦଗୁଡ଼ିକ କୂଳରେ ଅନେକ ଜନବସତି ଗଢ଼ି ଉଠିଛି ଏବଂ ଏହାକୁ ନେଇ ସେମାନଙ୍କ ଜୀବନ ଜୀବିକା ମଧ୍ୟ ରହିଛି ।
ପରିବେଶ ସହିତ ହ୍ରଦଗୁଡ଼ିକର ଗଭୀର ସମ୍ପର୍କ ରହିଛି । ହେଲେ ଏହାକୁ ଆମେ ସେତେ ଗୁରୁତ୍ୱ ଦେଉନାହୁଁ । ଯାହାର ଫଳ ଭୋଗିବାକୁ ପଡ଼ିବ ଆଗାମୀ ସମୟରେ ।

ହଦ୍ରଗୁଡ଼ିକରେ ଅକ୍ସିଜେନ୍‌ର ମାତ୍ରା କମିଗଲେ ଏଥିରୁ ବିଷାକ୍ତ ମିଥେନ୍‌ ସୃଷ୍ଟି କରୁଥିବା ବ୍ୟାକଟେରିଆ ବ୍ୟାପି ଚାଲିଛନ୍ତି । ଏହା ସହିତ ଗୀନ୍‌ ହାଉସ୍‌ ଗ୍ୟାସ ମଧ୍ୟ ସୃଷ୍ଟି ହେଉଛି । ଯାହା ଅମ୍ଳଜାନକୁ ନଷ୍ଟ କରି ପ୍ରତିକୂଳ ପରିସ୍ଥିତି ତିଆରି କରୁଛି । ଅମ୍ଳଜାନ କମିଗଲେ ଜଳଜୀବ ଭୟଙ୍କର ଭାବେ ପ୍ରଭାବିତ ହେବେ । ଗବେଷଣାରୁ ଜଣାପଡ଼ିଛି ଯେ ମହାସାଗର ତୁଳନାରେ ହ୍ରଦଗୁଡ଼ିକରୁ ଅତି ଦ୍ରୁତ ଗତିରେ ଏବଂ ବହୁ ଅଧିକ ମାତ୍ରାରେ ଅକ୍ସିଜେନ୍‌ କମି ଚାଲିଛି । ଗତ ଚାରି ଦଶନ୍ଧି ଭିତରେ ହ୍ରଦଗୁଡ଼ିକରେ ୫.୫ ପ୍ରତିଶତ ହିସାବରେ ହ୍ରାସ ପାଉଛି ଅମ୍ଳଜାନର ସ୍ତର । ତା ସହିତ ତାପମାତ୍ରା ମଧ୍ୟ ବଢୁଛି । ଗ୍ଲୋବାଲ ଓ୍ଵାର୍ମିଂକୁ ନେଇ ସମସ୍ତେ ମହାସାଗର ଉପରେ ନଜର ଦେଉଥିବା ବେଳେ ହ୍ରଦଗୁଡ଼ିକୁ ଭୁଲି ଯାଉଛନ୍ତି ।

ବିଶ୍ୱର ପ୍ରତ୍ୟେକ ହ୍ରଦ ଜୈବ ବିବିଧତାରେ ଭରପୂର । ତେବେ ଏସବୁର ଉପଯୁକ୍ତ ଯତ୍ନ ନେଇ ପାରି ନାହିଁ ମଣିଷ । ଏପଟେ ଦିନକୁ ଦିନ ପରିବେଶ ନଷ୍ଟ ହେବାରେ ଲାଗିଥିବା ବେଳେ ପୃଥିବୀର ବନ୍ଧୁ ଭାବେ ରହିଥିବା ହ୍ରଦ ମଧ୍ୟ ପ୍ରଭାବିତ ହେଉଛି । ଯାହା ମାନବ ସମାଜ ପ୍ରତି ମଧ୍ୟ ବିପଦକୁ ଡାକି ଆଣୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.