ଏ ଦଳରୁ ସେ ଦଳ, ଜମୁଛି ଡିଆଁଡେଇଁ ଖେଳ…

କଥାରେ ଅଛି ପ୍ରେମ ଓ ଯୁଦ୍ଧରେ ଯାହାବି କଲେ କିଛି ଅନ୍ୟାୟ ନୁହେଁ । ତେବେ ଅନେକ ଦିନରୁ ଏଥିରେ ଯୋଡ଼ି ହୋଇଯାଇଛି ରାଜନୀତିର ନାଁ । ରାଜନୀତିରେ ଯାହା ବି କରାଗଲେ ତାହା ଅନ୍ୟାୟ ନୁହେଁ । ଅବଶ୍ୟ ଏହା ହେଉଛି ଅଲିଖିତ ଆଇନ୍‌ । ତେଣୁ ନିର୍ବାଚନ ଆସିଲେ ଆଦର୍ଶ ଆଚରଣ ବିଧି ସିନା ଲାଗୁ ହୁଏ ହେଲେ ରାଜନୈତିକ ଦଳ ଭିତରେ ନା ରହେ ଆଦର୍ଶ ନା ନେତା ରୁହନ୍ତି ଆଚରଣ ଭିତରେ । ପରଦା ପଛରେ ତ ଯାହା ହୁଏ, ଲୋକଙ୍କ ଆଗରେ ବି ଅନେକ କଥା ହୁଏ । ଏକଥା ଅଧିକାଂଶ ନିଶ୍ଚୟ ଅଙ୍ଗେ ନିଭେଇ ଥିବେ ।
ତେବେ ସବୁ ଲୋକଙ୍କ ମୁହଁରେ ଗୋଟିଏ କଥା । ଏଥର ଓଡ଼ିଶା ରାଜନୀତିରେ ଏମିତି କିଛି ହେବ ଯାହା ରାଜ୍ୟ ରାଜନୈତିକ ଇତିହାସରେ କେବେ ହୋଇନଥିଲା । ଏକଥାର ସତ୍ୟତା ଅଳ୍ପ କିଛି ଦିନ ହେବ ଦେଖିବାକୁ ବି ମିଳିଲାଣି । ପ୍ରଥମରେ ଚାଲିଛି ଡିଆଁଡେଇଁ ଖେଳ । ଏଦଳରୁ ସେ ଦଳ, ସେ ଦଳରୁ ଏଦଳ । ଯାହାର ମନ ମାନିଲା ନାହିଁ ଅର୍ଥାତ୍‌ ଟିକେଟ୍‌ ମିଳିଲା ନାହିଁ କିମ୍ବା ଥଇଥାନର ପ୍ରତିଶ୍ରୁତି ମିଳିଲା ନାହିଁ ସେ ଡେରି ନକରି ଅନ୍ୟ ଦଳକୁ ଲଙ୍ଗଜମ୍ପ୍‌, ହାଇଜମ୍ପ ମାରି ପହଞ୍ଚିଗଲା ।

EVMଏଇ ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ମନକୁ ଆସେ । କିଛି ଦିନ ପୂର୍ବରୁ ନେତାମାନଙ୍କୁ ପ୍ରଶ୍ନ ହେଲେ ଗଣମାଧ୍ୟମ ଆଗରେ ବେଲଜ୍ଜ୍ୟା ଭଳି କୁହନ୍ତି, ଆମେ ଦଳର ଶୃଙ୍ଖଳିତ କର୍ମୀ, ହାଇକମାଣ୍ଡ ବା ଦଳ ମୁଖ୍ୟ ଆମକୁ ଯେଉଁ ଦାୟିତ୍ୱ ଦେବେ ଆମେ ତାହା କରିବୁ । ଠିକ୍‌ ଜଣେ ସଚ୍ଚା ସମାଜସେବୀ ଭଳି ସେମାନଙ୍କ କଥା ଓ କାମ ଥାଏ । ଯେମିତି ସତରେ କେବଳ ଜଗତ ଉଦ୍ଧାର ପାଇଁ ଏମାନଙ୍କ ଜନ୍ମ । ହେଲେ ସେଇ ନେତା ପଲ୍‌ଟି ଯାଇ ଟିକେଟ୍‌ ନମିଳିଲେ ଅନ୍ୟ ଦଳକୁ ବାଟ କାଟୁଛନ୍ତି । ଡାଇଲଗ୍‌ ସବୁ ଏମିତି, ‘‘ଆମକୁ ଦଳ ଅଣଦେଖା କରୁଛି । ଆମେ ଦଳ ପାଇଁ ଲୁହଲହୁ ଢାଳି କାମ କରିଛୁ । ଆମକୁ ଟିକେଟ୍‌ ଦେବାକୁ କହି ଦେଲେ ନାହିଁ । ଅମେ ସିନା ମାନିଯିବୁ ହେଲେ ଆମ ସମର୍ଥକ ମାନୁ ନାହାନ୍ତି ।’’ ଇତ୍ୟାଦି ଇତ୍ୟାଦି ।
ଅବଶ୍ୟ ଲୋକେ ଜାଣନ୍ତି ଏସବୁ ପଛରେ ରହିଛି ସେହି ଗୋଟିଏ କଥା, ନିଜ ସ୍ୱାର୍ଥ । ଯେଉଁଠି ସ୍ୱାର୍ଥ ଉପରେ ଆଞ୍ଚ ଆସିବ, ସେଠି ରାଜନୀତିରେ ସବୁ ବେନିୟମ କାମ ବି ନିୟମ ଅନ୍ତର୍ଗତ ହୋଇଯିବ । ନିଜ ପୁରୁଣା ଦଳ ଓ ସାଥୀଙ୍କୁ ପଦାଘାତ କରି, ମୁହଁ ଆଡ଼େଇ ଚାଲିଯିବୁ । ଆଗରୁ ଏ କାମ କେବଳ କୁଜି ନେତା ଓ ହାତଗଣତି କିଛି ବଡ଼ ନେତା କରୁଥିଲେ । ହେଲେ ଏବେ ଯେମିତି ସମସ୍ତେ ଏଇ ଡିଆଁଡେଇଁ ଖେଳରେ ସାମିଲ ହେବାକୁ ଆଗଭର । ଆଜି ଗୋଟିଏ ଦଳର ନୀତି ଆଦର୍ଶ କଥା କହୁଥିବା ନେତାଟି କାଲି ଆଉ ଗୋଟିଏ ଦଳର ନୀତିକୁ ଆପଣାଇ ନେଉଛନ୍ତି ।
ତେଣୁ ହେ ଜନବନ୍ଧୁମାନେ ଚିହ୍ନ ରଖିଥାନ୍ତୁ ଏଭଳି ଭ୍ରାତାଙ୍କ ବଦନ । ଏମାନେ କାହାରି ନୁହନ୍ତି । କେବଳ ନିଜ ଚିନ୍ତା କରନ୍ତି । ଆଉ ସେ ଯୁଗ ନାହିଁ ଯେ ନିଜ ହାତରୁ ଖାଇ ଘୋଡ଼ା ଆଗରେ ନାଚିବ । ତେଣୁ କୌଣସି ରାଜନୈତିକ ଦଳରେ ସମାଜ ବା ଦେଶ ସେବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବ୍ୟକ୍ତି ଖୋଜିଲେ ମିଳିବେ ତ ? ଏପ୍ରଶ୍ନ ଆମ ସମସ୍ତଙ୍କ ପାଇଁ । କାରଣ ଆମେ ପାଞ୍ଚ ବର୍ଷରେ ଥରେ ନିଜ ହାତରେ ଭୋଟ୍‌ ଦେଇ ନିଜେ ଗଢୁଛୁ ଆମରି ଭାଗ୍ୟ । ତେଣୁ ସାବଧାନ୍‌ । ଅଶିକ୍ଷିତଙ୍କ ଭୋଟ୍‌କୁ ଟାର୍ଗେଟ୍‌ କରିଥିବା ରାଜନେତାଙ୍କୁ ସାବାଡ୍‌ କରି ପାରିବେ କେବଳ ସଚେତନ ଓ ଶିକ୍ଷିତ ନାଗରିକ । ତା ପରେ ସିନା ବଦଳିବ ଆମରି ଭାଗ୍ୟ !

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.