ଘରେ ଘରେ ପରିଚିତ ଓଆରଏସ୍‌ କିଏ ବାହାର କରିଥିଲେ, ଜାଣନ୍ତୁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତାଙ୍କର ଅବଦାନ

ଯେତେବେଳେ ହଠାତ୍ ସ୍ଵାସ୍ଥ୍ୟଗତ ସମସ୍ୟା ହୁଏ କିମ୍ୱା ପେଟ ଜନିତ କୌଣସି ଅସୁବିଧା ଦେଖାଯାଏ, ପ୍ରଥମେ ମନକୁ ଆସେ ଔଷଧ ଏବଂ ORS କଥା । ଓଆରଏସ୍‌କୁ ପାଣିରେ ମିଶାଇ ପିଇବା ପାଇଁ କୁହନ୍ତି। ତା ସହିତ ଏବେ ଲିକୁଇଡ୍‌ ଓଆରଏସ୍‌ ମଧ୍ୟ ବାହାରିଲାଣି । ଯାହାକୁ ପିଇଲେ ଶରୀରର ଜଳୀୟ ଅଂଶ ପୂର୍ଣ୍ଣ ରୁହେ । ସେ ଝାଡ଼ାବାନ୍ତି ହେଉ ଅବା, ଏସବୁ ପାଇଁ ରାମବାଣ ପରି କାମ କରେ ଏହି ORS । ଲୋ ବ୍ଲଡ ପ୍ରେସର୍ ପାଇଁ ମଧ୍ୟ ଭଲ କାମ କରେ।

କିନ୍ତୁ ଲାଇଫ ସେଭ୍ କରୁଥିବା ଏହି ORS କେବେ ଓ କିଏ ତିଆରି କରିଥିଲେ ଆପଣ କ’ଣ ଜାଣିଛନ୍ତି କି? ଆଜି ଆମେ ସେହି ମହାନ୍ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଏହି ଜୀବନ ବଞ୍ଚାଉଥିବା ମିଶ୍ରଣ ତିଆରି କରିଥିଲେ। କିନ୍ତୁ ସେ ଆଜି ଆମ ଗହଣରେ ନାହାନ୍ତି। ଗତ ଅକ୍ଟୋବର ୧୬ ତାରିଖରେ ଡାକ୍ତର ଦିଲୀପ ମହଲାନାବିସଙ୍କ ଦେହାନ୍ତ କୋଲକାତା ଡାକ୍ତରଖାନାରେ ହୋଇଛି। କିନ୍ତୁ ସେ ଯେଉଁ ସଂଜୀବନୀ ମଣିଷ ସମାଜକୁ ଦେଇଛନ୍ତି ସେଥି ପାଇଁ ଆମେ ତାଙ୍କୁ କୋଟି କୋଟି ଧନ୍ୟବାଦ୍ ଦେବା ଉଚିତ୍।

ors
ors

୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଡାକ୍ତର ଦିଲୀପ ଶରଣାର୍ଥୀ ଶିବିରରେ କାର୍ଯ୍ୟ କରୁଥିଲେ ଯେତେବେଳେ ସେ ORS ଆଣିଥିଲେ, କୁହାଯାଇଥିଲା କି ଏହା ହେଉଛି “ବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବିଷ୍କାର” । ଡିହାଇଡ୍ରେସନ୍ ପାଇଁ ଏକ ସରଳ, ପ୍ରଭାବଶାଳୀ ପ୍ରତିକାର ଭାବରେ ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ (ORS) ସାରା ବିଶ୍ୱରେ ଜଣାଶୁଣା, ତେବେ ଚିକିତ୍ସା ଦୁନିଆକୁ ଏଭଳି ଅବଦାନ ଦେଇଥିବା ଡାକ୍ତରଙ୍କୁ ହୁଏତ ଖୁବ୍‌ କମ୍ ଲୋକ ଜାଣିଥିବେ । ଏହି ୮୭ ବର୍ଷୀୟ ବୟସ୍କ ଡାକ୍ତର ଫୁସଫୁସ ସଂକ୍ରମଣ ଏବଂ ଅନ୍ୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁଯାୟୀ, ବିକାଶଶୀଳ ଦେଶମାନଙ୍କରେ ଶିଶୁ ଏବଂ ଛୋଟ ପିଲାମାନଙ୍କ ମୃତ୍ୟୁର ମୁଖ୍ୟ କାରଣ ମଧ୍ୟରେ କଲେରା ଭଳି ଡାଇରିଆ ରୋଗ ଅଧିକ ମାତ୍ରାରେ ହୋଇଥାଏ । ଯେଉଁଠାରେ ରୋଗୀ ଡିହାଇଡ୍ରେସନ ବା ଜଳ ଶୁଷ୍କତା ହେତୁ ମୃତ୍ୟୁବରଣ କରନ୍ତି। ORS ହେଉଛି ଜଳ, ଗ୍ଲୁକୋଜ ଏବଂ ଲୁଣର ମିଶ୍ରଣ, ଏହାକୁ ରୋକିବା ପାଇଁ ଏକ ସରଳ ଉପାୟ। ୧୯୭୫ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଡାକ୍ତର ମହଲାନାବିସ୍ କଲେରା ନିୟନ୍ତ୍ରଣ କରିବା ପାଇଁ ଆଫଗାନିସ୍ତାନ, ଇଜିପ୍ଟ ଏବଂ ୟେମେନରେ WHO ପାଇଁ କାର୍ଯ୍ୟ କରିଥିଲେ। ଅଶି ଦଶକରେ ସେ ରୋଗର ପରିଚାଳନା ନେଇ ହେଉଥିବା ଗବେଷଣା ଉପରେ WHO ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ୨୦୦୨ରେ ସେ ଡାକ୍ତର ନାଥାନିଏଲ ଏଫ ପିରେସଙ୍କ ସହ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପୋଲିନ ନୋବେଲ ପୁରସ୍କାର ପାଇଥିଲେ। କହିବାକୁ ଗଲେ ତାଙ୍କର ମୃତ୍ୟୁରେ ଏକ ଯୁଗର ଶେଷ ବୋଲି ବିବେଚନା କରାଯାଉଛି। ପିଲାମାନଙ୍କର ଡାଇରିଆ ରୋଗ ପାଇଁ ଚିକିତ୍ସାର ମୁଖ୍ୟ ଔଷଧ ହେଉଛି ଓରାଲ୍ ରିହାଇଡ୍ରେସନ୍ ବା ORS।

ORS ହେଉଛି ଏକମାତ୍ର ଚିକିତ୍ସା ଯାହା କୌଣସି ଔଷଧ ନୁହେଁ କିନ୍ତୁ ମଣିଷକୁ ସୁସ୍ଥ ସବଳ କରିବାରେ ସହାୟକ ହୁଏ । ଏହି ଜନିଷଟି ଅତି କମ୍ ଦାମ । ଯାହାକୁ ଧନୀ ଗରିବ ସମସ୍ତେ ବ୍ୟବହାର କରିଥାନ୍ତି । ଡାକ୍ତର ମହଲାନାବିସଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଓଆରଏସ୍‌ ଘରେ ଘରେ ପରିଚିତ ହୋଇପାରିଥିଲା । ଏବେବି ଆପଣ ଦେଖିବେ କି ପ୍ରତ୍ୟେକ ଘରେ ଔଷଧ ଥାଉ କି ନଥାଉ ଓଆରସ୍‌ ନିଶ୍ଚୟ ଥିବ । ତେବେ ଡାକ୍ତରଙ୍କ କାହାଣୀ ଏବଂ ତାଙ୍କ ଆବିଷ୍କାର ବିଷୟରେ କହିବାକୁ ଗଲେ ସେ ଏହି ORS ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ନଭେମ୍ବର ୧୨, ୧୯୩୪ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିବା ଡାକ୍ତର ମହଲାନାବିସ୍ କୋଲକାତା ଏବଂ ଲଣ୍ଡନରେ ଶିକ୍ଷା ଲାଭ କରିଥିଲେ । ୧୯୬୦ ଦଶକରେ କୋଲକାତାରେ ଜନ୍ ହପକିନ୍ସ ୟୁନିଭରସିଟି ଇଣ୍ଟରନ୍ୟାସନାଲ ସେଣ୍ଟର ଫର ମେଡିକାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଓରାଲ ରିହାଇଡ୍ରେସନ୍ ଥେରାପିରେ ଗବେଷଣା କରିଥିଲେ।

ଯେତେବେଳେ ୧୯୭୧ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ପୂର୍ବ ପାକିସ୍ତାନର ଲକ୍ଷ ଲକ୍ଷ ଲୋକ ଭାରତରେ ଆଶ୍ରୟ ନେଇଥିଲେ। ଏହି ଶରଣାର୍ଥୀ ଶିବିରରେ ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ ସମସ୍ୟା ଥିଲା। ଅନେକ ଲୋକଙ୍କ କ୍ଷେତ୍ରରେ ଡିହାଇଡ୍ରେଡ୍ ହୋଇ କଲେରା ଏବଂ ଡାଇରିଆ ବାହାରିଥିଲା। ସେହି ସମୟରେ ତାଙ୍କ ଦ୍ଵାରା ତିଆରି ଏହି ORS ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଥିଲା।

ତାଙ୍କର ଆବିଷ୍କାର ବିଷୟରେ କହିବାକୁ ଗଲେ, ସେ କରିଥିବା ଅନୁସନ୍ଧାନରୁ ଡାକ୍ତର ଦିଲୀପ ମହଲାନାବିସ୍ ଜାଣିଥିଲେ ଯେ ଚିନି ଏବଂ ଲୁଣର ମିଶ୍ରଣ ଏକ ସମାଧାନ, ଯାହା ଶରୀରର ଜଳ ଅଭାବକୁ ବଢାଇବ ଓ ଜୀବନ ରକ୍ଷା କରି ପାରିବ। ତା’ପରେ ସେ ଏବଂ ତାଙ୍କ ଟିମ୍ ପାଣିରେ ଲୁଣ ଏବଂ ଗ୍ଲୁକୋଜର ମିଶ୍ରଣ ପ୍ରସ୍ତୁତ କରି ବଡ଼ ଡ୍ରମରେ ରଖି ପରୀକ୍ଷା କରିବା ଆରମ୍ଭ କଲେ, ଆଉ ଡାଇରିଆ ରୋଗୀଙ୍କୁ ସେହି ପାଣି ଦିଆଯାଇଥିଲା। ଯାହା ପିଇବା ପରେ ଅନେକ ଲୋକ ଠିକ୍ ହୋଇଥିଲେ। ପରେ ଡକ୍ଟର ମହଲାନାବିସ୍ ୧୯୭୧ ମସିହାରେ WHO ର ଦକ୍ଷିଣ-ପୂର୍ବ ଏସିଆ ଜର୍ଣ୍ଣାଲ ଅଫ୍ ପବ୍ଲିକ୍ ହେଲଥରେ ଲେଖି ଥିଲେ , “କଲେରାର ଚିକିତ୍ସା ପାଇଁ ଔଷଧ ତିଆରି ହୋଇଛି। ଏହାକୁ ଆହୁରି ଅଧିକ ପରିମାଣରେ ପ୍ରସ୍ତୁତ କରିବାକୁ ପଡିବ। ଲୋକଙ୍କୁ ଏହା ଅନେକ ବଡ଼ ସ୍ୱାସ୍ଥ୍ୟ ସମସସ୍ୟାରୁ ରକ୍ଷା କରିବ ।

ଉଭୟ ପାଉଡର ଓ ଲିକୁଇଡ୍‌ ଫର୍ମରେ ଏହି ଓଆରଏସ୍‌ ମିଳିଥଏ । ଇଣ୍ଡିଆ ହେଲ୍ଥ ପୋର୍ଟାଲ ସାଇଟରେ ରହିଥିବା ଗାଇଡଲାଇନରେ ଅନେକ ପରାମର୍ଶ ଦିଆଯାଇଛି । ଯାହାକୁ ଆପଣମାନେ ଭଲ ଭାବେ ପଢ଼ି ଯଦି ପାଳନ କରିବେ ତେବେ ଶରୀରାର ଜଳୀୟ ଅଂଶ କମୁଥିବା ସମସ୍ୟା ଦୂର ହୋଇ ପାରିବ ଏବଂ ଆପଣ ନିଜକୁ ତାଜା ଅନୁଭବ କରିବେ ।
ଇଏ ସିନା ଓଅରଏସ୍‌ର କଥା । ହେଲେ ଏତେ କାମ ଦେଉଥିବା ଛୋଟିଆ ଓଆରଏସ୍‌ ପ୍ୟାକେଟ୍‌ର ଜନ୍ମଦତା ଯେ କେତେ ମହାନ୍‌ ଏଥଇରୁ ବୁଝି ପାରୁଥିବେ । ତେଣୁ କେନ୍ୟୁଜ୍‌ ତରଫରୁ ଓଆରଏସ୍‌ର ଜନ୍ମଦାତା ଡାକ୍ତର ଦିଲୀପ ମହଲାନାବିସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.