ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ମାଗିଲେ ବରଯାତ୍ରୀ; ନ ମିଳିବାରୁ ୨୦ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ମାରିଦେଲେ

ଉତ୍ତର ପ୍ରଦେଶର ଆଗ୍ରାରେ ଏକ ବିବାହ ଭୋଜିରେ ତୁମୁଳ କାଣ୍ଡ ଘଟି ଯାଇଛି। ଏଠାରେ ବରପକ୍ଷ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଏହି ସମୟରେ ହୋଇଥିବା ମାରପିଟରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଖବର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବିବାହର ଖୁସି ଶୋକରେ ପରିଣତ ହୋଇଛି।

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜାଖୋଜି କରୁଛି। ମିଳିଥିବା ସୂଚନା ମୁତାବକ, ଏଠାରେ ରହୁଥିବା ଉସ୍‌ମାନ ନାମକ ବ୍ୟକ୍ତିଙ୍କର ଦୁଇ ଝିଅ ଜୈନବ ଓ ଶାଜିୟାଙ୍କ ବିବାହ ଉକ୍ତ ଅଞ୍ଚଳର ଓ୍ଵାକର ନାମକ ବ୍ୟକ୍ତିଙ୍କର ଦୁଇ ପୁଅ ଜାଭେଦ ଓ ରଶିଦଙ୍କ ସହିତ ହେବାର ଥିଲା।

ବିବାହ ଦିନ ଦୁଇ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ରସଗୋଲାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାହ ରୀତି ଆରମ୍ଭ ହେବା ପୂର୍ବରୁ ଭୋଜି ସମୟରେ ବରଯାତ୍ରୀମାନେ ରସଗୋଲା ଦାବି କରିଥିଲେ। କିନ୍ତୁ ରସଗୋଲା ନ ଥିବାରୁ ଝଗଡ଼ାର ସୂତ୍ରପାତ ହୋଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମାରପିଟ ଆରମ୍ଭ ହୋଇ ଯାଇଥିଲା। ଆଶ୍ଚର୍ଯ୍ୟର କଥା, ମାରପିଟ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଉଭୟ ପକ୍ଷର ଲୋକେ ପରସ୍ପରକୁ ଛୁରୀରେ ଆକ୍ରମଣ କରିବାକୁ ଲାଗିଥିଲେ। ବିବାହ ସ୍ଥଳ ଏକ ପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା।

ବରଯାତ୍ରୀଙ୍କ ମଧ୍ୟରେ ମାରପିଟ ସମୟରେ ବାକି ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହାରି ଭିତରେ କେହି ଜଣେ ୨୦ ବର୍ଷୀୟ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ନାଁ ସନି ବୋଲି ଜଣାପଡ଼ିଛି। ଏଥିସହ ଏହି ଘଟଣାରେ ୬ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାରତ ଅଛନ୍ତି।

ସ୍ଥାନୀୟ ଏସ୍‌ପିଙ୍କ କହିବା ହେଲା, ରସଗୋଲାକୁ ନେଇ ବିବାଦ ହୋଇଥିଲା। ଏହି ସମୟରେ ଛୁରୀରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିଲେ। କିନ୍ତୁ ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି। ଏଥିସହ ଭିଡିଓ ଫୁଟେଜ୍‌ର ମଧ୍ୟ ଯାଞ୍ଚ ଚାଲିଛି। ଏ ନେଇ ମାମଲା ରୁଜୁ କରାଯାଇ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.