Below header

ଓଡ଼ିଆ ଖାଦ୍ୟ ପ୍ରେମ! କର୍ପୋରେଟ୍‌ ଚାକିରି କରୁଥିବା ସ୍ନେହା ସେନାପତି ପାଲଟିଛନ୍ତି ସେଫ୍‌

ପୁଣିଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ। ବଡ଼ କମ୍ପାନୀରେ ଚାକିରି କରୁଥିଲେ ବି ଓଡ଼ିଆ ଖାଦ୍ୟ ପରଷି ରାଜ୍ୟର ଟେକ ରଖିଛନ୍ତି। ଜି କ୍ୟାଫେରେ ପ୍ରସାରିତ ହେଉଥିବା ରୋଷେଇଭିତ୍ତିକ ପ୍ରତିଯୋଗିତା ‘Chef Vs Fridge’ ରେ ଓଡ଼ିଆ ଖାଦ୍ୟ ରାନ୍ଧି ନାଁ କରିଛନ୍ତି ଓଡ଼ିଆ ଝିଅ ସ୍ନେହା ସେନାପତି। ତାଙ୍କ ହାତ ରନ୍ଧାକୁ ଖୁବ୍‌ ପସନ୍ଦ କରିଛନ୍ତି ଜଜ୍‌ମାନେ। ହାତ ଚାଟି ଚାଟି ଖାଇଛନ୍ତି ଓ ଓଡ଼ିଶାର ସ୍ୱାଦକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଭୁବନେଶ୍ୱରର ଝିଅ ସ୍ନେହା ମୁମ୍ବାଇର ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରନ୍ତି। କିନ୍ତୁ ନିଶା ହେଉଛି ରୋଷେଇ କରିବା। ଭଳି ଭଳିକି ଟେଷ୍ଟି ଟେଷ୍ଟି ଖାଦ୍ୟ ରାନ୍ଧିବାକୁ ଖୁବ୍‌ ଭଲ ପାଆନ୍ତି ସ୍ନେହା। କେବଳ ନିଜେ ଖାଆନ୍ତିନି, ଅନ୍ୟମାନଙ୍କୁ ଖୁଆଇବାକୁ ବି ପସନ୍ଦ କରନ୍ତି। ଏଣୁ ଚିନ୍ତା କରିଥିଲେ ନିଜ ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଓ ଓଡ଼ିଆ ଖାଦ୍ୟର ସ୍ୱାଦକୁ ମହାରାଷ୍ଟ୍ରରେ ବି ପରିଚୟ ଦେବାକୁ।


ଏଣୁ ସେ ସେଫ୍‌ ଭରସେସ୍‌ ଫ୍ରିଜ୍‌ ଶୋ’ରେ ଭାଗ ନେଇଥିଲେ। ପ୍ରଥମ ଦିନ ସେ ସେଫ୍‌ଙ୍କ ଆଗରେ ପରଷିଥିଲେ କାନିକା, ଚିକେନ୍‌ କଷା, ଚିକେନ୍‌ ଗ୍ରେଭି,ବଡ଼ି ଚୁରା, ଟମାଟୋ ପୋଡ଼ା ଓ କାକୁଡ଼ି-ପିଆଜର ଏକ ନିଆରା ଡିସ୍‌। ତାଙ୍କ ହାତରନ୍ଧା ଜଜ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।

ତେବେ ମୁମ୍ବାଇରେ ବି ଫ୍ରି-ଟାଇମ୍‌ରେ ସ୍ନେହା କିଛି ଲୋକଙ୍କ ଅର୍ଡର ଆଣି ଯୋଗାଇଥାନ୍ତି। ସେ ମୁମ୍ବାଇରେ ଆରମ୍ଭ କରିଥିବା କ୍ୟାଟରିଂର ନାଁ ରଖିଛନ୍ତି ‘ଓଡ଼ିଆ ଭୋଜି’। ଆରପିଜି ଗ୍ରୁପର ଚେୟାରମ୍ୟାନ୍‌ ହର୍ଷବର୍ଦ୍ଧନ ଗୋୟଙ୍କା ଓ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିନୀ ଦାସଙ୍କୁ ବି ସେ ନିଜ ହାତ ତିଆରି ଖାଇବା ଖୁଆଇଛନ୍ତି। ସେମାନଙ୍କୁ ବି ସ୍ନେହାଙ୍କ ହାତ ରନ୍ଧା ଖୁବ୍‌ ପସନ୍ଦ ଆସିଛି। ଓଡ଼ିଆ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ସ୍ନେହା ମୁମ୍ବାଇର ଏକ ରେସ୍ତୋରାଁ ସହ ମିଶି କାମ କରୁଛନ୍ତି।

ତେବେ କରୋନା ଲକ୍‌ଡାଉନ୍‌ ଯୋଗୁ ସ୍ନେହା ଏବେ ଭୁବନେଶ୍ୱର ଫେରିଆସିଛନ୍ତି। ସେ ଘରେ ରହି ଅଫିସ୍‌ କାମ କରୁଛନ୍ତି। ତଥାପି ଛାଡ଼ିନାହାନ୍ତି ରୋଷେଇ କରିବା। ମହାମାରୀ ସମୟରେ ସେ ହୋମ୍‌ ଆଇସୋଲେସନ୍‌ରେ ଥିବା ରୋଗୀଙ୍କୁ ରୋଷେଇ କରି ଖାଇବା ଯୋଗାଉଛନ୍ତି। ଏ ନେଇ ସ୍ନେହା କହିଛନ୍ତି, ମୁଁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଅଫିସ୍‌ କରେ। ଏଣୁ ୯ ଟା ପୂର୍ବରୁ ଓ ସନ୍ଧ୍ୟା ୬ଟା ପରେ ରୋଷେଇ କରେ ଓ ଲୋକଙ୍କୁ ପଠାଏ। ଉବେର ଇଟ୍ସ ଓ ସ୍ୱିଗି ମାଧ୍ୟମରେ ଏବେ ଯାଏଁ ସେ ପ୍ରାୟ ୫୦୦ରୁ ୬୦୦ ଲୋକଙ୍କୁ ଖାଇବା ଯୋଗାଇଥିବା କହିଛନ୍ତି। ଗୋଟିଏ ମିଲ ପାଇଁ ମାତ୍ର ୫୦ଟଙ୍କା ହିଁ ନେଉଛନ୍ତି ବୋଲି କୁହନ୍ତି ସ୍ନେହା। ତେବେ ଏହି ଟଙ୍କାରେ ସେ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିପାରୁନଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବେ ବୋଲି କହିଛନ୍ତି।

ତେବେ ଆଗକୁ ମଧ୍ୟ ସେ ଏହି ମହତ୍‌ କାମ ଜାରି ରଖିବେ ବୋଲି କହିଛନ୍ତି ସ୍ନେହା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.