ଆମେ ଗରିବ ବାପା ମାଆ ହେଲୁ ତ କଣହେଲା, ପୁଅ ମୋର ନିଶ୍ଚୟ ପାଠ ପଢ଼ିବ

ଗାଈ ଆଜି ବିକିଦେଲି ସିନା, ପୁଅ ପାଠ ପଢ଼ିଲେ ପୁଣି ନେଇ ଆସିବନି। ସେ ଯଦି ପାଠ ପଢ଼ି ବଡ ମଣିଷ ହେବ କେତେ ଗାଈ କିଣିଦେବ। ଏହା ଭାବି ପିଲାଙ୍କ ଅନ ଲାଇନ କ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ଦୁନିଆଁ ରେ ସବୁ ମିଛ ଗୋଟିଏ ସତ, ବାପା ମାଆ, ଏମାନଙ୍କ ଭଳି କେହି ହେବେନି । ୟା ଠୁ ବଡ଼ ଉଦାହରଣ କଣ ହେଇପାରେ?

cowଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ ଜାଣିଛି ଏଇ ଜୀବନ ବଞ୍ଚିବା କେତେ କଷ୍ଟକର । ଏଭଳି ବାପା ମାଆ ପିଲାଙ୍କ ପାଇଁ କଣ ସ୍ୱପ୍ନ ଦେଖନ୍ତି ଜାଣିଛନ୍ତି ? ପିଲା ବଡହୋଇ ଏଭଳି ଅବସ୍ଥା ନଭୋଗୁ । ପ୍ରତ୍ୟକ ମାଆ ବାପା ଚାହାଁନ୍ତି ପିଲା ଭଲ ପାଠ ପଢୁ ଭଲ ମଣିଷ ଟିଏ ହେଉ, ସଭ୍ୟ ସମାଜରେ ମୁଣ୍ଡଟେକି ଚାଲୁ । ଆଉ ଏସବୁ ପାଇଁ ଆବଶ୍ୟକ ଶିକ୍ଷା । ଅନେକ ମାତା ପିତା ପିଲାଙ୍କ ପାଠ ପାଇଁ ନିଜର ସବୁକିଛି ହରାଇ ଦେଇଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳପ୍ରଦେଶ କାଂଗଡ଼ା ଜିଲ୍ଲାର ଜ୍ୱାଳାମୁଖୀ ସହର ଗୁମେର ଗାଁରେ । କୁଲଦୀପ ନାମକ ଜଣେ ବ୍ୟକ୍ତି ପୁଅର ପାଠ ପଢା ପାଇଁ ନିଜ ରୋଜଗାରର ଏକମାତ୍ର ମାଧ୍ୟମ ଘରେ ଥିବା ଗାଈ ବିକି ଦେଲେ ।

fatherକରୋନା ମହାମାରୀ ପାଇଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ କୁଲଦୀପଙ୍କୁ ଚିନ୍ତା ଥିଲା ଦୁଇ ପୁଅ ଝିଅଙ୍କ ପାଠପଢ଼ା ଯେମିତି ବନ୍ଦ ନହେଉ । ସେ ନିଜେ ସ୍କୁଲ ଯାଇ ବୁଝିଲେ ଲକ୍‌ଡାଉନ୍‌ରେ ପିଲା ପାଠ ପଢିବେ କେମିତି । ସ୍କୁଲ ପ୍ରଶାସନ କହିଲା ଏଣିକି ଅନ ଲାଇନ ପାଠ ପଢ଼ାଯିବ । ସେଥିପାଇଁ ଦରକାର ଏକ ସ୍ମାର୍ଟ ଫୋନ। କୁଲଦୀପ ପଚାରି ବୁଝିଲେ ଏଇ ଫୋନ କେତେ ଟଙ୍କାରେ ମିଳିବ ? ସ୍କୁଲରେ କହିଲେ ୫ ରୁ ୭ ହଜାର ଟଙ୍କାରେ ସ୍ମାର୍ଟଫୋନ ଆସିଯିବ। ବାପା କୁଲଦୀପ ଚିନ୍ତାରେ ପଡ଼ିଗଲେ । କାରଣ ଫୋନ୍‌ ଦାମ୍‌ ୫ ଶହ ନୁହେଁ ୫ ହଜାର । ଏତେ ଟଙ୍କାର ମୁଣ୍ଡ ନୁହେଁ ମୋର…ମୁଁ ୫ ହଜାର କୋଉଠୁ ଆଣିବି ?

cow1କୁଲଦୀପ ଅନେକ ଦିନ ଧରି ରୋଗରେ ଘାଣ୍ଟି ହେଉଛନ୍ତି। ବିଶେଷ ଚଲା ବୁଲା କରି ପାରନ୍ତିନି । ସେଥିପାଇଁ ନିଜ ପେଟ ପୋଷିବାକୁ ଘରେ ଗାଈଟିଏ ରଖିଥିଲେ । ତାରି କ୍ଷୀର ବିକି ଗୁଜୁରାଣ ମେଣ୍ଟାଉ ଥିଲେ । କିନ୍ତୁ ସବୁ ଚିନ୍ତା ଛାଡ଼ି କୁଲଦୀପ ଚାଲିଲେ ବ୍ୟାଙ୍କ । ୬ ହଜାର ଟଙ୍କା ଲୋନ୍‌ ମାଗିଲେ ପୁଅର ସ୍ମାର୍ଟ ଫୋନ୍‌ କିଣିବାକୁ । ବ୍ୟାଙ୍କ କର୍ତ୍ତୃପକ୍ଷ ଲୋନ ଦେବାକୁ ମନା କଲେ। କୁଲଦୀପଙ୍କ ଘର କହିଲେ ସେହି ଛୋଟ ଗୁହାଳ… ସେଇଠି ଗାଈ ଓ ନିଜ ପରିବାରଙ୍କୁ ନେଇ ଚଳନ୍ତି । କୁଲଦୀପ ଅପେକ୍ଷା କଲେ ଲକଡାଉନ ପରେ ସ୍କୁଲ ଖୋଲିଲେ ପୁଅ ଅଧିକ ପରିଶ୍ରମ କରି ପାଠ ଧରିଦେଵ । ହେଲେ ୫ ମାସ ବିତିଗଲା ତଥାପି ଲକଡାଉନ ସରୁନି କି ସ୍କୁଲ ଆଗାମୀ ଦିନରେ ଖୋଲିବାର ନାହିଁ ।

onlineଏପଟେ ଚତଚର୍ଥ ଶ୍ରେଣୀର ଝିଅ ଅନୁ ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ପୁଅ ବଂଶ ପାଠ ପଢି ପାରୁ ନାହାନ୍ତି। ସେ ବହୁ ଚିନ୍ତା କଲେ ଆଉ ଶେଷରେ ଦୁଇ ପିଲାଙ୍କ ପାଠ ପଢ଼ା ପାଇଁ ଗାଈକୁ ୬ ହଜାର ଟଙ୍କାରେ ବିକି ଦେଲେ । ସେଇ ପଇସାରେ ଏକ ସ୍ମାର୍ଟଫୋନ ଆଣିଲେ । ଏହି ସ୍ମାର୍ଟଫୋନ୍‌ରେ ପିଲା ଅନଲାଇନରେ ପାଠ ପଢୁଛନ୍ତି। ହେଲେ ଏବେ କୁଲଦୀପଙ୍କୁ ଘାରିଛି ଏକାସାଙ୍ଗରେ କେମିତି ପରିବାର ଚଳାଇବେ ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ । ଅନୁସୂଚୀତ ଜାତିର ହୋଇଥିଲେ ମଧ୍ୟ କୁଲଦୀପଙ୍କର ବିପିଏଲ୍‌ କାର୍ଡ଼ଟିଏ ବି ନାହିଁ ।

sonuଏହି ଘଟଣା ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିଲା । ସେହି ଖବରକୁ ଜଣେ ବ୍ୟକ୍ତି ଟ୍ୱିଟର ପେଜରେ ଯୋଡ଼ି ଦେଇଥିଲେ । ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦ୍‌ଙ୍କର ନଜର ପଡିଲା ଏହି ଟ୍ୱିଟ ଉପରେ । ସେ ରିଟ୍ୱିଟ କଲେ “ଚାଲନ୍ତୁ ଏହି ଭାଇଙ୍କୁ ତାଙ୍କ ଗାଈ ଫେରାଇ ଦେବା । କେହି ଭାଈ କୁଲଦୀପ ଭାଈଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ମୋତେ ସାହାଯ୍ୟ କରିବ ? ପ୍ରଥମେ ଖବରକୁ ଟ୍ୱିଟ କରିଥିବା ବ୍ୟକ୍ତି କୁଲଦୀପଙ୍କ ସମ୍ପୂର୍ଣ୍ଣ ଠିକଣା ଟ୍ୱିଟରେ ପୋଷ୍ଟ କଲେ । ତା ପରେ ସୋନୁ ସୁଦ୍‌ କୁଲଦୀପଙ୍କୁ ସହାୟତା କରି ତାଙ୍କ ଗାଈ ଫେରାଇବାର ଦାଇତ୍ୱ ନେଇଛନ୍ତି । ସତରେ ଏସବୁ କଥାରୁ ଲାଗୁନି, ଅରକ୍ଷିତକୁ ଦଇବ ସାହା । ଯଦି ଆପଣଙ୍କ ଭିତରେ ସତ୍‌ ଇଚ୍ଛା ଅଛି ତେବେ ଆପେ ଆପେ ଆପଣଙ୍କ ନିକଟକୁ ସହଯୋଗ ଓ ସହାୟତାର ହାତ ବଢ଼ି ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.