ମହିଳାଙ୍କ ପାଇଁ ନାସା ତିଆରି କଲା ସ୍ୱତନ୍ତ୍ର ସ୍ପେସ୍ ଟଏଲେଟ୍, ରହିଛି ଏହି ଅତ୍ୟାଧୁନିକ ସୁବିଧା

ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ମହିଳାମାନେ ଆଗକୁ ବଢ଼ୁଛନ୍ତି। ଦିନେ ଘରକୋଣରେ ଥିବା ନାରୀ ଆଜି ମହାକାଶରେ ଯାଇ ଗବେଷଣା କରୁଛନ୍ତି। ତେବେ ମହାକାଶରେ ମହିଳାଙ୍କୁ କମ୍ଫଟେବଲ ହେବା ଭଳି ଟଏଲେଟ୍ ଏବେ ଯାଏଁ ତିଆରି ହୋଇପାରିନଥିଲା। ଏଣୁ ମହାକାଶରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମହିଳାଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ନାସା ତରଫରୁ ୟୁନିଭର୍ସାଲ ବେସଡ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ନାମକ ଏକ ଟଏଲେଟ୍ ତିଆରି କରାଯାଇଛି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୧୭୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ମହିଳାଙ୍କ ପାଇଁ ଫନଲ-ସକ୍ସନ ସିଷ୍ଟମ୍ ରହିଛି।
ପୂର୍ବରୁ ଥିବା ଋଷୀୟ ଟଏଲେଟ୍ରେ ମହିଳା ମହାକାଶଚାରୀଙ୍କୁ ବହୁ ସମସ୍ୟା ହେଉଥିଲା। ଏଣୁ ନାସା ପ୍ରାୟ ୬ ବର୍ଷ ରିସର୍ଚ୍ଚ କରି ଏହି ଖାସ୍ ଡିଜାଇନ୍ର ଟଏଲେଟ୍ ତିଆରି କରିଛି। ଏହା ମହିଳାଙ୍କ ବ୍ୟବହାର ପାଇଁ ସୁବିଧାଦାୟକ ହେବ।
ଟଏଲେଟ୍ର ଉଚ୍ଚତା ୭୧ ସେମି ଓ ଓଜନ ପ୍ରାୟ ୪୫ କେଜି ରହିଛି। ଏହା ପୂର୍ବ ଟଏଲେଟ୍ ତୁଳନାରେ ୬୫ ପ୍ରତିଶତ ଛୋଟ ତଥା ୪୦ ପ୍ରତିଶତ ହାଲକା। ଏଥିରେ ମଳ ଓ ମୂତ୍ରର ଟ୍ରିଟ୍ମେଣ୍ଟ ସୁବିଧା ରହିଛି। ଟଏଲେଟ୍ରେ ବସିବା ବେଳେ ଯାତ୍ରୀଙ୍କ ପାଦ ବାନ୍ଧିହେବା ଭଳି ସୁବିଧା ରହିଛି। ଚନ୍ଦ୍ରକୁ ଯାଉଥିବା ଓରିୟନ୍ କ୍ୟାପସୁଲରେ ଏହି ଟଏଲେଟ୍ର ବ୍ୟବହାର କରାଯିବ।