Below header

ନୂଆ କାରର ଶୁଭାରମ୍ଭ ବୋହୁ ହାତରେ କରାଉଥିଲେ ଶାଶୁ, ଶୋରୁମ ଭାଙ୍ଗି ଅନ୍ୟ କାର ଉପରେ ଯାଇ ପଡିଲେ ବୋହୁ

କୁହାଯାଏ ‘ଅଳ୍ପ ବିଦ୍ୟା ଭୟଙ୍କରୀ’ । ଏହି କଥାର ଅର୍ଥ ହେଉଛି ଯଦି କୌଣସି ଏକ ବିଷୟ ଉପରେ ତୁମକୁ ସଠିକ ଜ୍ଞାନ ନାହିଁ ତେବେ ତାକୁ ନେଇ ତୁମେ ଆଗକୁ ବଢିବା ଉଚିତ ନୁହେଁ ନଚେତ ପରିଣାମ ଭୟଙ୍କର ହୋଇପାରେ । ଠିକ ସେହିପରି ଏକ ଘଟଣା ଘଟିଛି ଇନ୍ଦୋରର ଏକ ପରିବାର ସହ । ଘଟଣାଟି ଏପରି ଯେ ଇନ୍ଦୋରର ଏରୋଡ୍ରୋମ ଅଞ୍ଚଳରେ ରହୁଥିବା ଏକ ପରିବାର ମଙ୍ଗଳବାର ଦିନ ସହରର BRTS ରୋଡରେ ଥିବା ଏକ କାର ଶୋ’ରୁମକୁ କାର କିଣିବାକୁ ଯାଇଥିଲେ। ଶୋ’ରୁମର ସେଲ୍ସ କନସଲଟାଣ୍ଟ ନମାନ ତିୱାରୀଙ୍କ କହିବା ଅନୁଯାୟୀ ଏହି ପରିବାର ପୂର୍ବରୁ କାରଟିକୁ ବୁକ୍ କରିସାରିଥିଲେ । ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ଏହି ପରିବାରରର ସ୍ୱାମୀ, ସ୍ତ୍ରୀ , ଶାଶୁ ଏବଂ ଶ୍ବଶୁର କାର କିଣିବାକୁ ଶୋ’ରୁମରେ ପହଞ୍ଚିଥିଲେ। ମୁହୂର୍ତ୍ତ ପାଇଁ ଶାଶୁ ବୋହୂକୁ କାରକୁ ଟିକିଏ ଆଗକୁ ନେଇ ଅଟକାଇବାକୁ କହିଥିଲେ। ଏହି ସମୟରେ କାରଟିକୁ ବୋହୂ ସମ୍ଭାଳି ପାରିନଥିଲେ ଯାହା ଫଳରେ କାରଟି ଶୋ’ରୁମରେ ଥିବା କାଚ ଭାଙ୍ଗି ତିନି ଫୁଟ ତଳେ ଥିବା ଅନ୍ୟ ଏକ କାର ଉପରେ ପଡିଯାଇଥିଲା। ଏହି ଦୁର୍ଘଟଣାରେ ଉଭୟ କାର ନଷ୍ଟ ହୋଇଯାଇଥିଲେ କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ବି ଆହତ ହୋଇନଥିଲେ ।

ସୂଚନାନୁସାରେ ବୋହୂଙ୍କର ମୁହୂର୍ତ୍ତ ଡ୍ରାଇଭ୍ ସମୟରେ ତାଙ୍କ ପୁଅ ମଧ୍ୟ ପାଖ ସିଟରେ ବସିଥିଲେ। ବୋହୂ କାର୍ ଷ୍ଟାର୍ଟ କରି ଟିକିଏ ଆଗକୁ ଯାଇ ବ୍ରେକ୍ ଲଗାଉଥିଲେ କିନ୍ତୁ ସେହି ସମୟରେ ପାଦ ବ୍ରେକ୍ ବଦଳରେ ଏକସିଲେଟର ଉପରେ ପଡିଯାଇଥିଲା । ତେବେ ପରିବାର କିଣୁଥିବା କାରର ମୂଲ୍ୟ ପ୍ରାୟ ସାଢେ ସାତ ଲକ୍ଷ ଟଙ୍କା ହୋଇଥିବା ବେଳେ ଯେଉଁ କାର ଉପରେ ସେମାନେ ପଡିଲେ ତାର ମୂଲ୍ୟ ପ୍ରାୟ 15 ଲକ୍ଷ ଟଙ୍କା ଥିଲା ।

ଉଭୟ କାର ବୀମାଭୁକ୍ତ ହୋଇଥିବା କାରଣରୁ ପରିବାରକୁ କାରର କ୍ଷତିପୂରଣ ଜମା କରିବାକୁ ପଡିନାହିଁ କିନ୍ତୁ ଶୋ’ରୁମର କ୍ଷତି ପୂରଣ ପାଇଁ କାର କିଣିବାକୁ ଆସିଥିବା ପରିବାର ଏବଂ ଶୋ’ରୁମ୍ ମାଲିକ 50 ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ନିଜ ନିଜ ଭିତରେ ଏକ ଆପୋଷ ବୁଝାମଣା କରିନେଇଛନ୍ତି । ତେବେ ଉକ୍ତ ଶୋ’ରୁମର ଅପରେଟର ପରିବାର ବିଷୟରେ ସୂଚନା ଦେବାକୁ ମନା କରିଦେଇଥିଲେ।

ସାଧାରଣତଃ ସଠିକ୍ ଡ୍ରାଇଭିଂ ବିଷୟରେ ଜ୍ଞାନ ଅଭାବ ଏବଂ ଆତ୍ମବିଶ୍ୱାସ ଅଭାବରୁ ଏହିପରି ଦୁର୍ଘଟଣା ସାଧାରଣତଃ ଦେଖାଯାଇଥାଏ । ଯାହାକି ବେଳେବେଳେ ବଡ଼ ଦୁର୍ଘଟଣାର ରୂପ ନେଇଥାଏ । ଯଦି ଆପଣଙ୍କୁ ମଧ୍ୟ ଡ୍ରାଇଭିଂ ବିଷୟରେ ସଠିକ୍ ସୂଚନା ନାହିଁ ତେବେ କୌଣସି ସହଯୋଗୀ ବିନା ଗାଡି ଚଳାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ଆପଣ ନିଜ ସହିତ ଅନ୍ୟମାନଙ୍କର ଦୁର୍ଘଟଣାର ମଧ୍ୟ କାରଣ ହୋଇଯାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.