ଔଷଧୀୟ ବୃକ୍ଷ ପତ୍ରରୁ ତେଲ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି ଗଜପତି ଜିଲ୍ଲାର ଆଦିବାସୀ

ପାରଳାଖେମୁଣ୍ଡି (ସନ୍ତୋଷ ପଟ୍ଟନାୟକ, କେନ୍ୟୁଜ୍‌) : ସରକାର ଆଦିବାସୀଙ୍କର ସାମୂହିକ ବିକାଶ ପାଇଁ ଅନେକ କାମ ହାତକୁ ନେଇଛନ୍ତି । ବିଶେଷ କରି ଶିକ୍ଷା ଏବଂ ଆର୍ଥିକ ବିକାଶ ଲାଗି ଯୋଜନା ସବୁ ପ୍ରସ୍ତୁତ ହୋଇଛି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପଦକ୍ଷେପ ନିଆଯାଇଛି । ଯେଉଁଥିରେ ଆଶାର ଆଲୋକ ଦେଖାଇଛି ତେଲ ଉତ୍ପାଦନ ପ୍ରକଳ୍ପ । ଗଜପତି ଜିଲ୍ଲା ବାରାଙ୍ଗସିଂ ଗାଁରେ ଏଭଳି ଏକ ପ୍ରକଳ୍ପରୁ ସ୍ୱାବଲମ୍ବୀ ହୋଇଛନ୍ତି ଆଦିବାସୀମାନେ । ପତ୍ରରୁ ତେଲ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗାଁ ହେଉଛି ବାରାଙ୍ଗସିଂ । ଦୁର୍ଗମ ଅଞ୍ଚଳରେ ଥିବା ଏହି ଗାଁଟି ବର୍ତ୍ତମାନ ଜିଲ୍ଲାକୁ ଆଶାର ଆଲୋକ ଦେଖାଇ ପାରିଛି । ଏଠାରେ ୩ ମାସ ତଳୁ ଆରମ୍ଭ ହୋଇଛି ତେଲ ବାହାର କରିବା ପ୍ରକଳ୍ପ । ପାହାଡର ଔଷଧୀୟ ଗଛରୁ ତେଲ ବାହାର କରି ବେଶ୍‌ ଲାଭବାନ ହେଉଛନ୍ତି ସ୍ଥାନୀୟ ଆଦିବାସୀ । କେବଳ ସ୍ୱାବଲମ୍ବୀ ହୋଇଛନ୍ତି କହିଲେ ଭୁଲ ହେବ, ପାହାଡ଼ ଜଙ୍ଗଲରେ ନଷ୍ଟ ହେଉଥିବା ଔଷଧୀୟ ବୃକ୍ଷର ଫୁଲ, ଫଳ ଓ ପତ୍ର ଆଦିକୁ ମନୁଷ୍ୟ ସମାଜର ବ୍ୟବହାରକୁ ଆଣି ପାରିଛନ୍ତି । ଯାହାକୁ ଦେଖି ନିର୍ବାଚିତ ପ୍ରତିନିଧି କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ନିଜ ନିଜ ଅଞ୍ଚଳରେ ମଧ୍ୟ ଏହି ପ୍ରକଳ୍ପ ଆରମ୍ଭ କରିବା ସହ ଆଦିବାସୀଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି ।

ନିମ୍ବ, ହଳଦୀ, ଭୁରୁସୁଙ୍ଗା, ନୀଳଗିରି ପତ୍ର ଓ ଗୋଲାପ ଭଳି ଫୁଲରୁ ତେଲ ବାହାର କରି ସ୍ଥାନୀୟ ଆଦିବାସୀ ବେଶ୍‌ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଗଜପତି ଜିଲ୍ଲାର ୭ଟି ବ୍ଲକରୁ ୫ଟି ବ୍ଲକକୁ ଟାର୍ଗେଟରେ ନିଆଯାଇଛି । ଗୋଟିଏ ଗୋଟିଏ ବ୍ଲକରେ ଏପରି ତିନି ଚାରିଟି ପ୍ରକଳ୍ପ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି ।

ସ୍ଥାନୀୟ ପ୍ରଶାସନର ସହାୟତାରେ ଏଠାରେ ପତ୍ର ଏବଂ ଫୁଲରୁ ତେଲ ବାହାର କରିବାର ପ୍ଲାଣ୍ଟ ବସା ଯାଇଛି । ତା ସହିତ ଏହି ସବୁ ଗଛ ଲଗାଇବା ଏବଂ ଏହାର କିଭଳି ଯତ୍ନ ନିଆଯିବ ସେ ସମ୍ପର୍କରେ ସଚେତନ ମଧ୍ୟ କରାଯାଉଛି ।
ଆଗକୁ ସରକାର ଯଦି ଅନ୍ୟ ସବୁ ଜିଲ୍ଲାରେ ଏଭଳି ପଦକ୍ଷେପ ନେଇ ଆଦିବାସୀମାନଙ୍କୁ ତାଲିମ ଦିଅନ୍ତେ ତେବେ ଅନେକ କିଛି ଲାଭ ମିଳନ୍ତା । ଏହାଯୋଗୁଁ ଆମ ଜଙ୍ଗଲ ଏବଂ ଔଷଧୀୟ ବୃକ୍ଷ ସୁରକ୍ଷିତ ରହିବା ସହ ଅର୍ଥନୀତିରେ ମଧ୍ୟ ପରିବର୍ତ୍ତନ ଆସି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.