Below header

ଆରମ୍ଭ ହେଲା ଓଳାଶୁଣି ଗୁମ୍ଫା ମେଳା, କରୋନା କଟକଣା ଲାଗି ଖାଁ ଖାଁ ପଡିଛି ପୀଠ

ଯାଜପୁର (କେନ୍ୟୁଜ) : ପବିତ୍ର ମାଘମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହେଉଛି ଏହି ପ୍ରସିଦ୍ଧ ମେଳା । ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ଧାରା । କେବଳ ବିଧି ମୁତାବକ ପୂଜାର୍ଚ୍ଚନା ଚାଲିବା ସହ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ଏପଟେ ନବମ ରାଜ୍ଯସ୍ତରୀୟ ଓଳାଶୁଣୀ ଗୁମ୍ପା ମହୋତ୍ସବରେ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଛି ।

ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ଯଟନସ୍ଥଳ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଓଳାଶୁଣୀ ପାହାଡ଼ ଶୀର୍ଷ ଦେଶରେ ରହିଛି ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧିପୀଠ । ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସରୁ ମହାପୁରୁଷଙ୍କ ସମାଧି ପୀଠରେ ୧୮୫ ବର୍ଷ ଧରି ଆରମ୍ଭ ହୋଇ ଆସୁଅଛି ଓଳାଶୁଣୀ ଗୁମ୍ଫା ଯାତ୍ରା । ପ୍ରତିବର୍ଷ ମାଘକୃଷ୍ଣ ଏକାଦଶୀଠାରୁ ୯ଦିନ ବ୍ଯାପୀ ପାଳନ କରାଯାଇଥାଏ ଏହି ମେଳା ।

pooja

ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହୁଏ । ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେବି ପୂଜାପାଇ ଆସୁଛି । ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇ ଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ ।

ଏହି ପ୍ରସିଦ୍ଧ ମେଳାରେ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡପିଠା ଭୋଗ କରିଥାନ୍ତି । ଅରକ୍ଷିତଙ୍କ ଆଶୀର୍ବାଦ ସହ ଶ୍ରୀକ୍ଷେତ୍ର ଦର୍ଶନର ପୁଣ୍ଯଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବାପରେ ବେଢା ପରିକ୍ରମା କରିଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଏହି ମେଳାକୁ ପାଳନ କରାଯାଉଛି । କେବଳ ଦର୍ଶନ ସହ ଭୋଗ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ଦିଆଯାଇଛି ।

jajpuar

ଓଳାଶୁଣୀ ମେଳା ଅବସରରେ ଆୟୋଜିତ ହୋଇଥାଏ ଓଳାଶୁଣୀ ଗୁମ୍ଫା ମହୋତ୍ସବ । ଚଳିତ ବର୍ଷ ନିକଟସ୍ଥ ଗାଙ୍ଗୀ ପାହାଡରେ ଓଳାଶୁଣୀ ଗୁମ୍ଫା ଉନ୍ନୟନ ନ୍ଯାସ ଓ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ ପକ୍ଷରୁ ନବମ ରାଜ୍ଯସ୍ତରୀୟ ଓଳାଶୁଣୀ ଗୁମ୍ଫା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବକୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ରାମକୃଷ୍ଣ ଦାସ ମହାରାଜ ଉଦଘାଟନ କରିଥିଲେ । ଏହି ଅବସରରେ ସନ୍ଥ ଅରକ୍ଷିତ ଦାସ ସମ୍ମାନରେ ସାଧୁ ଡ. ବିଜୟ ନାରାୟଣ ରାମାନୁଜ ଦାସ ଏବଂ ମା’ ଓଳାଶୁଣୀ ସମ୍ମାନରେ ଅଧ୍ୟାତ୍ମିକ ପ୍ରବକ୍ତା ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହ ଓଳାଶୁଣୀ ପତ୍ରିକାର ସ୍‌ୱତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଲୋକାର୍ପତ କରିଥିଲେ । ଏହି ଉତ୍ସବରେ ବହୁ ସାଧୁ ସନ୍ଥଙ୍କ ସମାଗମ ହୋଇଥିଲା ।

ତେବେ କୋଭଡି କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମେଳାରେ କୈାଣସି ଦୋକାନ ବଜାର ପଡିନାହିଁ । ଫଳରେ ଜନସମାଗମ କମ୍‌ ଥିବା ବେଳେ ପାହାଡ ପରିସର ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ (କେନ୍ୟୁଜ, ଓଡିଶା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.