ଲିଙ୍ଗରାଜ ମନ୍ଦିର ନିକଟରେ ବସୁଥିବା ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ବ୍ୟକ୍ତି ଜଣଙ୍କ କଥା ଆମେ କହୁଛୁ ତାଙ୍କ ନାଁ ହେଉଛି ରାମ ଚନ୍ଦ୍ର ସାହୁ । ଯିଏକି ଏହି ମନ୍ଦିର ନିକଟରେ ବେଲ ପତ୍ର ଫୁଲ ବିକ୍ରି କରୁଛନ୍ତି। ତାଙ୍କ ଉପରେ ଆପଣମାନଙ୍କ ନଜର କେବେ ବା କେବେ ପଡ଼ିଥିବ ନିଶ୍ଚୟ । ଯଦି ପଡ଼ି ନାହିଁ ତେବେ ଆମେ ତାଙ୍କୁ ଆଜି ଆପଣମାନଙ୍କ ସହ ଭଲ ଭାବେ ପରିଚିତ କରାଇ ଦେବୁ । ସେ ଜଣେ ସାମାନ୍ୟ କି ସାଧାରଣ ବ୍ୟକ୍ତି ନୁହନ୍ତି । ବେଲ ପତ୍ର ବିକ୍ରୀ କରୁଥିବା ରାମ ଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜଣେ ତାଳପତ୍ର ଲେଖକ । ତାଳପତ୍ର ଲେଖନୀର ଜଣେ ନିଖୁଣ ଶିଳ୍ପୀ। ଘର ତାଙ୍କର ପୁରୀ ଜିଲ୍ଲା, ନୟା ହାଟ ନିକଟ ନରସିଂହପୁର ଗାଁରେ ।
ପିଲାଟି ବେଳୁ ଚିତ୍ର କଳାରେ ମନ ଥିଲା। ଭଲ ଚିତ୍ର ଆଙ୍କିବାରେ ବେଶ୍ ପାରଦର୍ଶିତା ଅର୍ଜନ କରିଥିଲେ। ବାପା ଥିଲା ବେଳେ ଯାହା କିଛି ପାଠ ପଢ଼ିଥିଲେ। ବାପା ଆରପାରିକୁ ଚାଲିଗଲା ପରେ ଖେଳ କୁଦ ଛାଡ଼ି ନିଜ କୁନି କାନ୍ଧରେ ଘରର ଦାୟିତ୍ୱ ନେଲେ । ଦିନେ ପ୍ରାଚୀ ନଈ କୂଳର ସେହି ନରସିଂହପୁର ଗାଁରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ପାଦ ବଢ଼ାଇଲେ । କିଛି ରୋଜଗାର ଉଦ୍ଦେଶ୍ୟରେ । ପ୍ରଥମେ ତାଳପତ୍ରରେ ଲେଖିବା ଓ ଏଥିରେ ଚିତ୍ର କରିବା ପାଇଁ ତାଲିମ ନେଲେ ଗଣ୍ଡମୁଣ୍ଡା ନିକଟ ସରକାରୀ ତାଲିମ କେନ୍ଦ୍ରରେ ।ଶିଖିବା ପରେ ରୋଜଗାର ପନ୍ଥା ଭାବରେ ଏହି ତାଳ ପତ୍ର ଖୋଦେଇ କୁ ଆପଣେଇ ନେଇଥିଲେ। ତାଳ ପତ୍ର ପଟଚିତ୍ର ରେ ସେ ହାତର ଏମିତି କଳା ଦେଖାଇବାରେ ଲାଗିଲେ ଯେ ସମସ୍ତେ ତାଙ୍କୁ ପ୍ରଶଂସା କଲେ । ଲଳିତକଳା ଏକାଡେମୀ ପକ୍ଷରୁ ତାଙ୍କୁ ୧୯୮୨ରେ ମିଳିଲା ପୁରସ୍କାର । ପୁଣି ୧୯୮୬ରେ ଓଡ଼ିଶା ସରକାର ତାଙ୍କର ଗୋପଲୀଳା ପଟଚିତ୍ର ରାମଚନ୍ଦ୍ରଙ୍କୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କଲେ। କିନ୍ତୁ କିଏ ଜାଣି ଥିଲା ତାଙ୍କ ଜୀବନର ଏକ ମୋଡ଼ ଆସିବା । ଆଉ ଏହି ତାଳପତ୍ର ଲେଖନୀର ଚିତ୍ର ତାଙ୍କୁ ଦିନେ ରାଜ୍ୟରୁ ଅନ୍ତର୍ଜତୀୟ ସ୍ତରକୁ ନେଇ ଯିବ? ୧୯୮୮ରେ ପାଇଲେ ରାଷ୍ଟ୍ରପତି ପୁରସ୍କାର ।
ଏସବୁ ପ୍ରଶଂସା ଓ ପୁରସ୍କାର ପାଇଲା ପରେ ଭାବିଥିଲେ କିଛି ନା କିଛି ପରିବର୍ତ୍ତନ ହେବ ତାଙ୍କ ଆର୍ଥିକ ସ୍ଥିତିରେ । ଆଉ ଅଧିକ କଷ୍ଟ କରିବାକୁ ପଡ଼ିବନି। ରୋଜଗାର ବଢ଼ିଲେ ଭଲ ଭାବେ ପରିବାର ଚଳାଇ ପାରିବେ । ହେଲେ ଭାଗ୍ୟର ବିଡମ୍ବନା, ତାଳପତ୍ର ଚିତ୍ରର ଚାହିଦା କମିଲା । ରୋଜଗାରର ବାଟ ବନ୍ଦ ହେଲା । ଆଉ କିଛି ଉପାୟ ନ ପାଇ ଶେଷରେ ପ୍ରଭୁ ଲିଙ୍ଗରାଜଙ୍କୁ ଆଶ୍ରା କଲେ । ତାଙ୍କରି ମନ୍ଦିର ନିକଟରେ ବସି ଫୁଲ, ବେଲପତ୍ର ବିକି ପରିବାର ପ୍ରତି ପୋଷଣ କଲେ।
ଅବଶ୍ୟ ରାମଚନ୍ଦ୍ର ଏକା ନୁହନ୍ତି, ତାଙ୍କ ଭଳି ଅନେକ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱ ଏଭଳି ଭାବେ ନିଜ ସ୍ୱାଭିମାନକୁ ଜଗି ପେଟ ପାଇଁ ଏମିତି ନାଟ କରୁଛନ୍ତି । ଜଣେ ବ୍ୟକ୍ତିଙ୍କୁ ଦୁନିଆ ଆଗରେ ପରିଚୟ ଦେଇ ସରକାର ଏମିତି ଚୁପ୍ ହୋଇ ରହି ଯାଆନ୍ତି। ତାଙ୍କୁ ଖୋଜନ୍ତିନି କି ତାଙ୍କ ସମସ୍ୟା କଥା ବୁଝନ୍ତି ନାହିଁ। ବୋଧହୁଏ ଏଭଳି ମଣିଷମାନେ କେବଳ ଦିନକ ପାଇଁ ପୁରସ୍କାର ମାନପତ୍ର ପାଇବାକୁ ଯୋଗ୍ୟ । ଏମାନଙ୍କ ଭବିଷ୍ୟତ କିନ୍ତୁ ସେମାନଙ୍କ ଯୋଗ୍ୟତାର ଆଧାରରେ ଚଳେ ନାହିଁ । ପୁରସ୍କାର ପାଇବା ପରେ ସେମାନେ ଏମିତି ରାମଚନ୍ଦ୍ରଙ୍କ ଭଳି ହୋଇଯାନ୍ତି ଅଲୋଡ଼ା ।