ବାସି ରଥ ପରମ୍ପରା : କାହିଁକି ରାଜ୍ୟର ଅନେକ ସ୍ଥାନରେ ଗୁଣ୍ଡିଚା ପରଦିନ ରଥଯାତ୍ରା ହୁଏ ?
ଅପୂର୍ବ ସେ ଠାକୁର, ଅପୂର୍ବ ତାର ରୂପ ଓ ଠାଣି । ସେହିଭଳି ଅପୂର୍ବ ତାର ଲୀଳା । ଶ୍ରୀକ୍ଷେତ୍ରରେ ସିନା ତାର ଆସ୍ଥାନ । ହେଲେ ଖାଲି ରାଜ୍ୟ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଆବାସ ଗଢ଼ିଛି କାଳିଆ ଠାକୁର । ଭକ୍ତର ଭକ୍ତି ରଜ୍ଜୁରେ ବନ୍ଧା ହୋଇ ପୂଜା ପାଉଛନ୍ତି ।
ଅପୂର୍ବ ସେ ଠାକୁର, ଅପୂର୍ବ ତାର ରୂପ ଓ ଠାଣି । ସେହିଭଳି ଅପୂର୍ବ ତାର ଲୀଳା । ଶ୍ରୀକ୍ଷେତ୍ରରେ ସିନା ତାର ଆସ୍ଥାନ । ହେଲେ ଖାଲି ରାଜ୍ୟ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଆବାସ ଗଢ଼ିଛି କାଳିଆ ଠାକୁର । ଭକ୍ତର ଭକ୍ତି ରଜ୍ଜୁରେ ବନ୍ଧା ହୋଇ ପୂଜା ପାଉଛନ୍ତି । ରଥଯାତ୍ରାରେ ମନ୍ଦିରରୁ ବାହାରି ଭକ୍ତଙ୍କ ଗହଣରେ ରଥାରୂଢ଼ ହୁଅନ୍ତି ମହାପ୍ରଭୁ । ଏ ଅନନ୍ୟ ପରମ୍ପରା କେବଳ ଯେମିତି ଶ୍ରୀଜଗନ୍ନାଥଙ୍କର । ତେବେ କଥା ଉଠେ ଶ୍ରୀକ୍ଷେତ୍ର ସହ ବିଭିନ୍ନ ସ୍ଥାନରେ ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରା ହେଉଥିବା ବେଳେ ରାଜ୍ୟର ଅନ୍ୟ କେତେଙ୍କ ଅଞ୍ଚଳରେ ତା ପରଦିନ ରଥଟଣାଯାଏ । ଯାହାକୁ କୁହାଯାଏ ବାସି ରଥଯାତ୍ରା । ସେଇ ଭିନ୍ନ ପରମ୍ପରାକୁ ନେଇ ଏଥରର କଳିଙ୍ଗ ସ୍ୱତନ୍ତ୍ର ‘ବାସି ରଥ ଗଡ଼େ ଗଡ଼ଜାତରେ’ ।
() ଏକଥା ସତ ଯେ ରାଜାରାଜୁଡ଼ାଙ୍କ ଅମଳରେ ହିଁ ଧାର୍ମିକ ଅନୁଷ୍ଠାନଗୁଡ଼ିକର ବିକାଶ ଘଟିଛି । ତେବେ ଜଗନ୍ନାଥ ସଂସ୍କୃତି ବିଭିନ୍ନ ରାଜବଂଶ ପରମ୍ପରାରେ ଯୋଡ଼ି ହୋଇ ଯାଇଛି ଅତି ନିବିଡ଼ ଭାବରେ । ଯଦିଓ ରାଜ୍ୟ ସିନା ଅଛି ହେଲେ ରାଜା ଆଉ ଅତୀତର ରାଜା ହୋଇ ରହି ନାହାନ୍ତି । ତଥାପି କେତେକ ସ୍ଥାନରେ ପରମ୍ପରା ଅନୁସାରେ ସେମାନେ ପ୍ରଭୁଙ୍କ ରଥଯାତ୍ରା ପାଳନ କରୁଛନ୍ତି । ଯେଉଁଠି ରାଜାଙ୍କ ତରଫରୁ ହୋଇ ପାରୁନି ସେଠି ଲୋକେ ସେ ଦାୟିତ୍ୱ ନେଇଛନ୍ତି । ଆମ ରାଜ୍ୟରେ ବିଶେଷ କରି ଗଡ଼ଜାତ ଅଞ୍ଚଳରେ ବାସି ରଥ ଟଣାଯିବାର ପରମ୍ପରା ରହିଛି । ତେବେ କିଛି ଅଞ୍ଚଳରେ ଶ୍ରୀଗୁଣ୍ଡିଚାର େଗୋଟିଏ ଦିନ ପରେ ରଥ ଟଣାଯାଏ । କାହିଁକି ଏଭଳି ପରମ୍ପରା ? କଣ ପାଇଁ ପୁରୀର ଗୋଟିଏ ଦିନ ପରେ ଏସବୁ ଜାଗାରେ ରଥ ଟଣାଯାଏ ଆସନ୍ତୁ ଜାଣିବା ।
ଜଗନ୍ନାଥ ସଂସ୍କୃତିରେ ରଥ ଯାତ୍ରା ହେଉଛି ସବୁଠୁ ବଡ଼ ପର୍ବ । ଯାହା ଯୁଗ ଯୁଗ ଧରି ପାଳିତ ହୋଇ ଆସୁଛି ଭକ୍ତି ଭାବନାରେ । ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗଡଜାତ ମଧ୍ୟରୁ ଧରାକୋଟ ଗଡରେ ନିଆରା ରଥଯାତ୍ରା ଦେଖିବାକୁ ମିଳିଥାଏ । ଧରାକୋଟ ଗଡରେ ଗୁଣ୍ଡିଚା ପରଦିନ ହୁଏ ରଥଟଣା । ସେହିଭଳି ବାହୁଡା ପରଦିନ ଏକାଦଶୀ ତିଥିରେ ଏଠି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଅନ୍ୟ ସବୁସ୍ଥାନରେ ରାଜା କିମ୍ବା ମୁଖ୍ଯ ପୁରୋଧା ଠାକୁରଙ୍କ ଆଦ୍ୟ ସେବକ ହୋଇଥିବା ବେଳେ ଧରାକୋଟ ଗଡ଼ରେ ମହିଳା ରାଜା ଠାକୁରଙ୍କ ସେବକ ରୂପେ ସୂଚାରୁ ରୂପେ ସମସ୍ତ କାମ କରି ଆସୁଛନ୍ତି। ଧରାକୋଟର ରାଜା କିଶୋର ସିଂହଙ୍କ ଦେହାନ୍ତ ପରେ ତାଙ୍କ ଝିଅ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ୧୪ ବର୍ଷ ବୟସରେ ରାଜ ସିଂହାସନ ଆରୋହଣ କରିଥିଲେ। ଏହାପରେ ସେ ହିଁ ରଥର ସମସ୍ତ ରୀତିନୀତି ସମ୍ପନ୍ନ କରି ଆସୁଛନ୍ତି । ତେବେ କାହିଁକି ଏଠାରେ ଦିନକ ପରେ ବା ବାସି ରଥଯାତ୍ରା ହୁଏ ? କୁହାଯାଏ କି ଏଠାକାର ରାଜା ପୁରୀ ଯାଇ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖି ଫେରନ୍ତି । ତେଣୁ ତାଙ୍କର ଅନୁପସ୍ଥିତିରେ ଗୁଣ୍ଡିଚା ଦିନ ରଥ ଟଣାଯାଏ ନାହିଁ । ତା ପରଦିନ ଏଠାରେ ରଥଯାତ୍ରା ହୋଇଥାଏ ।
ସେହି ଗଞ୍ଜାମ ଜିଲ୍ଲାର ବଡ଼ ଖେମୁଣ୍ଡି ଅଞ୍ଚଳ । କୁହାଯାଏ ୧୫୭୭ ମସିହା ବେଳକୁ ପାରାଦୀପ ନିକଟସ୍ଥ କୁଜଙ୍ଗରେ ବାସି ରଥ ଯାତ୍ରା ହୋଇଥିଲା । କାରଣ ପୁରୀରେ କଳା ପାହାଡ଼ର ଆକ୍ରମଣ ସମୟରେ ତିନି ଠାକୁରଙ୍କୁ କୁଜଙ୍ଗରେ କିଛି ଦିନ ପାଇଁ ରଖା ଯାଇଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ବିପଦ ଟଳିଗଲା ଠାକୁରଙ୍କୁ ପୁରୀ ନେବା ପାଇଁ ବ୍ୟବସ୍ଥା କରାଗଲା । କିନ୍ତୁ କୁଜଙ୍ଗ ରାଜା ସୁଭଦ୍ରାଙ୍କ ବିଗ୍ରହକୁ ଦେବା ପାଇଁ ଅମଙ୍ଗ ହୋଇଥିଲେ । ଏହାପରେ କୁଜଙ୍ଗରେ ଆରମ୍ଭ ହୋଇଥିଲା ଗୁଣ୍ଡିଚା ପର ଦିନ ରଥଯାତ୍ରା l ଏହି ପ୍ରକାର ପରମ୍ପରା ଗଞ୍ଜାମରେ ମଧ୍ୟ ଦେଖା ଦେଇଥିଲା । ଧରାକୋଟରେ ତତ୍କାଳୀନ ରାଜା ରାଜେନ୍ଦ୍ର ସିଂହ ୧୭୭୦ ମସିହାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଆରମ୍ଭ କରିଥିଲେ ଗୁଣ୍ଡିଚା ପରଦିନ ଓ ବାହୁଡା ପରଦିନ ରଥ ଯାତ୍ରା । ୧୮୦୬ ମସିହାରେ ବଡ଼ ଖେମୁଣ୍ଡିର ତତ୍କାଳୀନ ରାଜା ଚୈତନ୍ୟ ଦେବ ଦିଗପହଣ୍ଡିରେ ମନ୍ଦିର ପ୍ରତିଷ୍ଠା କରି ଯାତ୍ରା ଆରମ୍ଭ କରିଥିଲେ । ଏଠାରେ ମଧ୍ୟ ବାସି ଯାତ୍ରା ପ୍ରଚଳନ କରିଥିଲେ l ୧୮୩୨ ମସିହାରେ ସୁରଙ୍ଗି ରାଜା ଚୈତନ୍ୟ ଚନ୍ଦ୍ର ଦେଓ ଜଗନ୍ନାଥ ମନ୍ଦିର କରି ବାସି ଯାତ୍ରା ପରମ୍ପରା ଆରମ୍ଭ କରିଥିଲେ l କୁହାଯାଏ, ଗଞ୍ଜାମ ଜିଲ୍ଲାରେ ରହିଛି ସର୍ବାଧିକ ଜଗନ୍ନାଥ ମନ୍ଦିର । ଜିଲ୍ଲାରେ ଥିବା ୨୨ ଗୋଟି ଜମିଦାରୀରେ ରାଜାମାନେ ମଧ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ l ଖେମୁଣ୍ଡି ରାଜାଙ୍କ ଇଷ୍ଟ ଦେବତା ହେଉଛନ୍ତି ଜଗନ୍ନାଥ l ତେଣୁ ଜଗନ୍ନାଥ ସଂସ୍କୃତି ପ୍ରସାର ଗଞ୍ଜାମ ଜିଲ୍ଲାରେ ଅଧିକ ରହି ଆସିଛି l ଜିଲ୍ଲାର ଜରଡ଼ା ମନ୍ଦିରରେ ପାର୍ଥସାରଥୀଙ୍କ ସହିତ ଜଗନ୍ନାଥ ରହିଛନ୍ତି । ତେଣୁ ସେଠାରେ ଗୁଣ୍ଡିଚା ଦିନ ରଥ ଟଣା ହୁଏ l କଥିତ ରହିଛି ପୁରୀରେ ରଥ ଯାତ୍ରା ଦର୍ଶନ କରିବା ଯାହା ଜରଡ଼ାରେ ରଥ ଯାତ୍ରା ଦର୍ଶନ କରିବାରେ ସେତିକି ପୁଣ୍ୟ l ତେଣୁ ଜରଡ଼ା ଯାତ୍ରା ଦେଖିବା ପାଇଁ ଜିଲ୍ଲାର ବହୁ ଅଂଚଳର ଭକ୍ତ ରୁଣ୍ଡ ହୋଇଥାନ୍ତି । ତେଣୁ ସେତେବେଳେ ତତ୍କାଳୀନ ସୁରଙ୍ଗି, ବଡ଼ ଖେମୁଣ୍ଡି ଓ ଧରାକୋଟ ରାଜାମାନେ ନିଷ୍ପତ୍ତି କରିଥିଲେ ବାସି ଯାତ୍ରା କରିବା ପାଇଁ । ଅବଶ୍ୟ ବାସି ରଥଯାତ୍ରାକୁ ନେଇ ସଂସ୍କୃତି ଗବେଷକ ଆଉ ଏକ କାରଣ ମଧ୍ୟ କୁହନ୍ତି । ଗୁଣ୍ଡିଚା ଦିନ ସମସ୍ତଙ୍କ ନଜର ପୁରୀ ରଥଯାତ୍ରା ଉପରେ ରହିଥାଏ । ତେଣୁ ଲୋକ ଭିଡ଼ କମ୍ ରହିବ ଏବଂ ରଥ ଟାଣିବାକୁ ମଧ୍ୟ ଭକ୍ତ ମିଳିବେ ନାହିଁ । ସେଥିଲାଗି ବାସି ରଥଯାତ୍ରା ପରମ୍ପରା ଆରମ୍ଭ ହୋଇଥିଲା । ଏକ ପ୍ରବାଦ ରହିଛି, ଦିଗପହଣ୍ଡି ଯାତ…ପ୍ରତାପଗିରି ରଥ…ଶେରଗଡ଼ ମଣ୍ଡଣୀ…ଧରାକୋଟ ଆଢେଣୀ…l
ସେହିଭଳି ଶ୍ରୀଶ୍ରୀ ହରିବଳଦେବ ଜୀଉ ରୂପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଉଥିବା ବାରିପଦାରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଭଞ୍ଜ ବଂଶୀୟ ରାଜାଙ୍କ ଦ୍ୱାରା ଏଠାରେ ରଥଯାତ୍ରା କରାଯାଇ ଆସୁଛି । ବାରିପଦାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥାଏ ରଥଯାତ୍ରା। ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମା ମନ୍ଦିର ପହଁଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା। ପରମ୍ପରା ମୁତାବକ ସୁଭଦ୍ରା ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। ଏହି ଠାରୁ ହିଁ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବାର ପରମ୍ପରା ଆରମ୍ଭ ହୋଇ ଅନ୍ୟ ଜାଗାକୁ ବ୍ୟାପିଛି । ରଥରେ ରାଜାଙ୍କ ଦ୍ୱାରା ନିଯୁକ୍ତ ମନ୍ଦିର ପରିଚ୍ଛା ଛେରା ପହଁରା କରନ୍ତି । ଶ୍ରୀକ୍ଷେତ୍ରକୁ ସମ୍ମାନ ଦେଇ ଏଠାରେ ଦ୍ୱିତୀୟ ଦିନରେ ହିଁ ରଥଯାତ୍ରା ହୋଇଥାଏ । ଏଠି ଶାଳପତ୍ରରେ ଶ୍ରୀବିଗ୍ରହମାନଙ୍କୁ ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯାଏ । ପୁଣି ରଥ ପହଁଚିବା ପରେ ରଥ ଉପରୁ ଶ୍ରଦ୍ଧାଳୁଙ୍କ ପାଇଁ ଫିଙ୍ଗା ଯାଇଥାଏ ଶ୍ରଦ୍ଧାଲଡୁ।
ଏକଦା ରାଜାଙ୍କ ଶାସନରେ ଥିବା କୋରାପୁଟ ଜୟପୁରରେ ମଧ୍ୟ ସମାନ ପରମ୍ପରା ଦେଖିବାକୁ ମିଳିଥାଏ । ଗୁଣ୍ଡିଚା ପରଦିନ ଏଠାରେ ହୁଏ ଘୋଷଯାତ୍ରା । ମନ୍ଦିର ମୁଖ୍ୟ ପୁରୋହିତ ଛେରାପହଁରା କରିବା ପରେ ଶ୍ରୀଜିଉମାନଙ୍କ ସନ୍ଧ୍ୟା ଆଳତୀ ହୋଇଥାଏ । ଶ୍ରଦ୍ଧାଳୁମାନେ ରଥାରୂଢ ପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିଥାନ୍ତି ।
ଯଦିଓ ଏହା ଗଡ଼ଜାତ ଅଞ୍ଚଳ ନୁହେଁ ତଥାପି ଓଡ଼ିଶାର ପୁରାତନ ରାଜଧାନୀ ତଥା ବିରଜା କ୍ଷେତ୍ର ମଧ୍ୟ ଏହି ବାସି ରଥଯାତ୍ରା ପରମ୍ପରାରେ ସାମିଲ । ଯାଜପୁରର ପ୍ରସିଦ୍ଧ ଦଶାଶ୍ୱମେଧ ଘାଟ ନିକଟରେ ରହିଛି ବହୁ ପୁରାତନ ଜଗନ୍ନାଥ ମନ୍ଦିର । ପ୍ରତିବର୍ଷ ଗୁଣ୍ଡିଚା ଯାତ୍ରା ପରଦିନ ଏଠାରେ ମହାପ୍ରଭୁଙ୍କ ରଥ ଟଣା ହେବାର ପରମ୍ପରା ରହିଛି । ଗତ ଦୁଇ ବର୍ଷ ହେଲା ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଆସୁଛନ୍ତି । ସଦାବ୍ରତ ମଠ ହେଉଛି ପ୍ରଭୁଙ୍କ ମାଉସୀ ଘର । ମନ୍ଦିର ପୂଜକମାନେ ରଥରୁ ଶ୍ରୀଜୀଉଙ୍କୁ ପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥାନ୍ତି । ପୁରୀ ରଥଯାତ୍ରାକୁ ସମ୍ମାନ ଜଣାଇ ଏଠାରେ ବାସି ରଥଯାତ୍ରା କରାଯାଇଥାଏ । ତେବେ ଗବେଷକ କୁହନ୍ତି, ପାତାଳୀ ହୋଇଥିବା ମହାପ୍ରଭୁଙ୍କୁ ତାଙ୍କ ସମୟରେ ଉଦ୍ଧାର କରିଥିଲେ ରାଜା ଯଯାତି କେଶରୀ । ସେ ନିଜ ରାଜଧାନୀ ଯାଜପୁରରେ ଏକ ମନ୍ଦିର କରି ପ୍ରଭୁଙ୍କୁ ଏହିଠାରେ ରଖିବା ପାଇଁ ଚାହିଁଥିଲେ । ତେବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଚତୁର୍ଦ୍ଧା ମୂର୍ତ୍ତି ରହିଲେ ତାଙ୍କର ବିଜେସ୍ଥଳୀ ପୁରୀରେ । ପରେ ପରେ କିନ୍ତୁ ଯାଜପୁରରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରରେ ବିଗ୍ରହ କରାଯାଇ ପୂଜା ହୋଇ ଆସୁଛନ୍ତି । ଆଉ ଶ୍ରୀକ୍ଷେତ୍ରକୁ ସମ୍ମାନ ଜଣାଇ ଗୁଣ୍ଡିଚା ପରଦିନ ହୋଇ ଆସୁଛି ରଥଯାତ୍ରା ।
ନାଁ ତାଙ୍କର ନାଟୁଆ ଠାକୁର । କେତେ କେତେ ନାଟ କରି ଭକ୍ତଙ୍କ ମନକୁ ଜିଣିଛନ୍ତି ସେ । ଆଉ ସେହିଭଳି ତାଙ୍କର ଲୀଳାଖେଳା । ଯାହାକୁ କେବଳ ଭକ୍ତି ଥିବା ମନରେ ବୁଝି ପାରିବ ଭକ୍ତଟିଏ । ଜୟଜଗନ୍ନାଥ ।..