କଣ ଏହି ବାଦଲ ଫଟା ବର୍ଷା ? କାହିଁକି ଏହା କରିଥାଏ ତାଣ୍ଡବ

ଉତ୍ତରାଖଣ୍ଡରେ ତାଣ୍ଡବ କରୁଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ରବିବାର ଦିନ ବାଦଲ ଫାଟି ୧୭ ଜଣଙ୍କ ଜୀବନ ନେଇଥିବା ବେଳେ ନିଖୋଜ ଅଛନ୍ତି ୨୨ ଜଣ । ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ୍‌ । ତେବେ ବାଦଲ ଫାଟିବାର ଏହା ଘଟଣା ନୁହେଁ । ଇତିହାସରେ ଏମିତି ଅନେକ ଥର ବାଦଲ ଫଟା ବର୍ଷା ଯୋଗୁ ଲିଭି ଯାଇଛି ଅନେକ ଜୀବନ ଦୀପ । ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି କଣ ଏହି ବାଦଲ ଫାଟିବା ?

ବାଦଲ ଫାଟିବା ଏକ ପ୍ରାକୃତିକ ଘଟଣା । ଯେତେବେଳେ ବାଦଲ ଫାଟିଥାଏ ସେତେବେଳେ ହଠାତ୍‌ ଜୋରରେ ବର୍ଷା ହୋଇଥାଏ । ଆଉ ବନ୍ୟା ପରିସ୍ଥିିତି ଉପୁଜିଥାଏ । ତେବେ ଏସବୁ ହୋଇଥାଏ Pregnant Cloud କାରଣରୁ । ପ୍ରେଗନେଣ୍ଟ କ୍ଲାଉଡ୍‌ ଅର୍ଥ ପାଣିରେ ଭର୍ତ୍ତି ବାଦଲ । ଯେତେବେଳେ ଏହା କୌଣସି ବାଧା ସହ ଧକା ହୋଇଥାଏ ସେତେବେଳେ ପ୍ରଳୟ ରୂପରେ ବର୍ଷିଥାଏ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ନିଜ ଭିତରେ ଭାରି ମାତ୍ରାରେ ପାଣି ନେଇ ଆକାଶରେ ଚାଲିଥାଏ ବାଦଲ । ଯଦି ଏହାର ବାଟରେ କୌଣସି ବାଧା ଆସିଥାଏ ତେବେ ଏହା ହଠାତ୍‌ ଫାଟି ବର୍ଷା ହୋଇଥାଏ । ଏମିିତିରେ ଲକ୍ଷ ଲକ୍ଷ ଗାଲନ୍‌ ପାଣି ଏକା ସାଥିରେ ପୃଥିବୀରେ ପଡିଥାଏ । ତାହା ବି ଏକ ସୀମିତ ଅଞ୍ଚଳରେ । ଯାହା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥାଏ ।

ବାଦଲ ଫଟା ଘଟଣା ଅଧିକାଂଶ ସମୟରେ ପାହାଡିଆ ଅଞ୍ଚଳରେ ହୋଇଥାଏ । ଯେମିତି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ କଶ୍ମୀର । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଜରୁରୀ ନୁହେଁ କୌଣସି କଠିନ ବସ୍ତୁ ବାଦଲ ସାମ୍ନାକୁ ଆସିଲେ ଏହା ଫାଟି ଥାଏ । ଗରମ ପବନ ସହ ଧକା ଖାଇଲେ ମଧ୍ୟ ବାଦଲ ଫାଟିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.