୨୧ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ଗୀତା ଜ୍ଞାନ ଦେଉଛନ୍ତି ପ୍ରମୋଦ ସାର୍‌

ଯାଜପୁର (କେନ୍ୟୁଜ) : କୁହାଯାଏ ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢ଼େ। ତେଣୁ ଅବସର ପରେ ବି ସେ ଜାରି ରଖିଛନ୍ତି ବିଦ୍ୟାଦାନ । ହେଲେ କେବଳ ପୁସ୍ତକର ପାଠ ନୁହେଁ ବାଣ୍ଟୁଛନ୍ତି ଗୀତା ଜ୍ଞାନ । ମଣିଷ ଜୀବନରେ ଆଧ୍ୟାତ୍ମିକ ଶିକ୍ଷା ଲାଭ ଅତି ଜରୁରୀ । ଅଧ୍ୟାତ୍ମିକତା ମାର୍ଗ ହିଁ ମଣିଷକୁ ସଫଳତାର ସୋପାନରେ ପହଂଚାଇ ପାରିବ । ଏହି ଲକ୍ଷ୍ୟ ନେଇ ପ୍ରତ୍ୟେକ ପିଲାଙ୍କୁ ଭଗବତ୍‌ ଗୀତା ଅଧ୍ୟୟନ କରାଇବା ସହ ସେମାନଙ୍କ ମଧ୍ୟରେ ଅଧ୍ୟାତ୍ମିକ ଚେତନା ଜାଗ୍ରତ କରିବାର ବାଟ ତିଆରି କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ଦାସ । ଦୀର୍ଘ ୨୧ବର୍ଷ ଧରି ସେ ପିଲାମାନଙ୍କୁ ଗୀତା ଜ୍ଞାନ ଦେଇ ଆସୁଛନ୍ତି ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମୁଗପାଳ ଗାଁର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ଦାସ । ସ୍ଥାନୀୟ ମୁଗପାଳ ହାଇସ୍କୁଲରୁ ଅବସର ନେଇଛନ୍ତି । ରିଟାୟାର୍ଡ଼ ପରେ ଘରେ ଆଦୌ ବସିପାରିଲେନି। ତେଣୁ ନିଜର ଆତ୍ମସନ୍ତୋଷ ସହ ଆଧ୍ୟାତ୍ମିକତା ଦ୍ୱାରା ବର୍ତ୍ତମାନ ପିଢ଼ିକୁ ସଂସ୍କୃତି ସମ୍ପନ୍ନ ଓ ଶୃଙ୍ଖଳିତ କରିବା ପାଇଁ ଲାଗି ପଡ଼ିଛନ୍ତି ଦୀର୍ଘ ୨୧ବର୍ଷ ହେଲା । ଶ୍ରୀମଦ ଭଗବତ ଗୀତା ଅଧ୍ୟୟନ କେନ୍ଦ୍ର ନାମରେ ଏକ ଅନୁଷ୍ଠାନ କରି ଆଖପାଖ ଅଂଚଳର ବିଭିନ୍ନ ମଠ ମନ୍ଦିରରେ ସେ ପିଲାମାନଙ୍କୁ ଏହି ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦିନ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ଗୀତା ବହି ବଂଟନ କରିଥାନ୍ତି । କୌଣସି ପାରିଶ୍ରମିକ ନନେଇ ଗୀତା ଅଧ୍ୟୟନ କରିବା ସହିତ ସେମାନଙ୍କୁ ଜୀବନ ମୂଲ୍ୟବୋଧର ପରାମର୍ଶ ଦେଇଥାନ୍ତି ।

ପ୍ରତ୍ୟେକ ଶନିବାର ଓ ରବିବାର ଛାତ୍ରଛାତ୍ରୀମାନେ ଗୀତା ପଢିବାକୁ ଧାଇଁ ଆସିଥାନ୍ତି । ହାତରେ ଗୀତା ବହି ଧରି ନିଜ ନିଜ ଆସ୍ଥାନରେ ବସି ଶ୍ଳୋକ ଆବୃତ୍ତି କରିବା ସହ ପ୍ରମୋଦ ସାରଙ୍କ ଠାରୁ ବିଭିନ୍ନ ଉପଦେଶ ଶୁଣିଥାନ୍ତି । ନିଜ ଅଞ୍ଚଳର ଆଖପାଖ ଅଂଚଳର ୫ରୁ ଅଧିକ ସ୍ଥାନରେ ସେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଏହି ଜ୍ଞାନ ପ୍ରଦାନ କରିଆସୁଛନ୍ତି । ମଣିଷ ସତ୍‌ମାର୍ଗରେ ଚାଲିଲେ ଏ ସମାଜ ଏ ଦୁନିଆ ବଦଳିଯିବ । ଆଉ ଗଢ଼ି ହେବ ଏକ ସୁନ୍ଦର ବିଶ୍ୱ। ତେଣୁ ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ପ୍ରୟାସ ଜାରି ରଖିଥିବା ପ୍ରାମୋଦ ସାର୍‌ଙ୍କୁ କେନ୍ୟୁଜ ପ୍ରଣାମ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.