ଆଜି ମା’ ସରସ୍ୱତୀଙ୍କ ପୂଜାର ଦିନ, ଜାଣନ୍ତୁ ଶୁଭମୁହୂର୍ତ୍ତ ଓ ପୂଜା କରିବା ବିଧି

ଆଜି ଶ୍ରୀପଞ୍ଚମୀ; ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ସଂଗୀତକାର, ଲେଖକ ତଥା କବିମାନେ ଉପାସନା କରିଥାନ୍ତି । କଣ୍ଠରେ ସରସ୍ୱତୀ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡିଥାନ୍ତି।

ଶୁଭମୁହୂର୍ତ୍ତ:

ଚଳିତବର୍ଷ ଫେବ୍ରୁଆରୀ ୧୬ରେ ପଡ଼ୁଛି ବସନ୍ତ ପଞ୍ଚମୀ। ୧୬ ତାରିଖ ଭୋର୍‌ ୩.୩୬ରେ ବସନ୍ତ ପଞ୍ଚମୀ ତିଥି ଆରମ୍ଭ ହୋଇ ୧୭ ଜାନୁଆରୀ ସକାଳ ୫.୪୬ ଯାଏଁ ରହିବ। ଏଣୁ ପୂରା ଦିନ ମା’ ସରସ୍ୱତୀଙ୍କ ପୂଜା କରିପାରିବେ। ବସନ୍ତ ପଞ୍ଚମୀର ପୂଜା ସୂର୍ଯ୍ୟୋଦୟ ପରେ ଓ ପୂର୍ବାହ୍ନ ପୂର୍ବରୁ କରାଯାଏ। ଏହି ଦିନ କୁନି କୁନି ପିଲାମାନେ ବିଦ୍ୟାରମ୍ଭ କରିଥାନ୍ତି।

ମା’ଙ୍କୁ ପୂଜା କରିବା ବିଧି:

ପ୍ରାତଃରୁ ସ୍ନାନାଦି କାର୍ଯ୍ୟ ସାରି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ମା’ ସରସ୍ୱତୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ଧୂପ, ଦୀପ, ଅର୍ଘ୍ୟ ଅର୍ପଣ କରନ୍ତୁ। ଏହାପରେ କଳସ ସ୍ଥାପନା କରି ଭଗବାନ ଗଣେଶ, ନବଗ୍ରହ ଏବଂ ମା’ ସରସ୍ୱତୀଙ୍କୁ ଯଥା ବିଧି ପୂଜା କରନ୍ତୁ। ମା’ ଶ୍ୱେତ ବସ୍ତ୍ର ଧାରଣ କରୁଥିବାରୁ ପ୍ରତିମାଙ୍କୁ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ। କ୍ଷୀରରେ ପ୍ରସ୍ତୁତ ହୋଇଥିବା ମିଠା ମା’ଙ୍କୁ ଭୋଗ ଲଗାଇ ପ୍ରଣାମ କରି ମା’ଙ୍କ ଆଶୀର୍ବାଦ ନିଅନ୍ତୁ। ଦେଖିବେ ସବୁ ମନୋବାଞ୍ଛା ପୂରଣ ହେବ।

You might also like