ହଇରାଣ କରୁଥିବା ବ୍ୟାଙ୍କକୁ ଏମିତି ପାନେ ଦେଲେ ସତ୍ୟ ନାରାୟଣ, ଆପଣ ବି ସଜାଗ ରୁହନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍) : ଲୋକ ଟଙ୍କା ଜମା କଲେ ବ୍ୟାଙ୍କ ଚାଲେ । ଲୋକଙ୍କ ଜମା ଟଙ୍କା ହିଁ ବ୍ୟାଙ୍କର ପୁଞ୍ଜି । ସେଥିପାଇଁ ଲୋକଙ୍କୁ ସେବା ଯୋଗାଇ ବ୍ୟାଙ୍କ କର୍ମଚାରୀ ଦରମା ପାଆନ୍ତି । ହେଲେ ଏହି ବ୍ୟାଙ୍କ କର୍ମଚାରୀମାନେ ବେଳେ ବେଳେ ଏଭଳି ହଇରାଣ କରନ୍ତି ଯାହା କେବଳ କଷ୍ଟ ଭୋଗିଥିବା ଲୋକ ହିଁ ବୟାନ୍ କରି ପାରିବ ତାର ଦୁର୍ଦ୍ଦଶା । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ପୁରୀ ବାଲିଘାଟର ସତ୍ୟ ନାରାୟଣ ସାହୁ ।
ସତ୍ୟ ନାରାୟଣ ପୁରୀ ସିଟିରୋଡ୍ରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ, ଶାଖାରେ ପ୍ରାୟ ଚାରି ବର୍ଷ ତଳେ ଆକାଉଣ୍ଟ ଖୋଲିଥିଲେ । ତେବେ କିଛି ଦିନ ତଳେ ଅଚାନକ ତାଙ୍କ ଆକାଉଣ୍ଟରେ ଚେକ୍ ଡିପୋଜିଟ୍ ହେଲା । ଚେକ୍ ବାଉନ୍ସ ହେଲା ଓ ତା ବାବଦରେ ଜରିମାନା ଭାବେ ତାଙ୍କ ଆକାଉଣ୍ଟରୁ ପଇସା ବି କଟିଗଲା । ଅଥଚ ସତ୍ୟନାରାୟଣ ଜାଣି ପାରିଲେ ନାହିଁ, କିଏ ଚେକ୍ ଡିପୋଜିଟ୍ କଲା ? ଆଉ ବ୍ୟାଙ୍କ କାହିଁକି ପଇସା କାଟିଲା । ଏହି ଅଜଣା ଚେକ୍ ଓ ତା ବାବଦରେ ଅର୍ଥ କଟିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ । ହେଲେ ଉତ୍ତର ତ ମିଳିଲା ନାହିଁ ତା ସହିତ ବ୍ୟାଙ୍କ ଅଧିକାରୀ ତାଙ୍କୁ ୟାଡୁସାଡୁ କହିଲେ । ଫଳରେ ସତ୍ୟ ନାରାୟଣ ଭାବିଲେ କାହିଁକି ଏଭଳି ଏକ ବ୍ୟାଙ୍କର ଗ୍ରାହକ ହେଲି ବୋଲି । କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ତ ନେଲେ ନାହିଁ ତା ଉପରେ ଓଲଟା ଦୁର୍ବ୍ୟବହାର ମଧ୍ୟ କଲେ ।
ତେବେ ଏହି ଘଟଣା ସତ୍ୟନାରାୟଣଙ୍କୁ ଆହୁରି ଦୃଢ଼ କଲା । ସେ ନିଜର କଷ୍ଟ ଅର୍ଜିତ ଟଙ୍କା କିଭଳି ଫେରି ପାଇବେ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଉଚିତ ଶିକ୍ଷା ଦେବେ ସେ ନେଇ ଚିନ୍ତା କଲେ । ବ୍ୟାଙ୍କର ନିୟମ କାନୁନ ସବୁକୁ ଖୋଜିଲେ । ଦେଖିଲେ କିଭଳି ସେବା ଯୋଗାଇ ଦେବା ପାଇଁ ଆଇନ୍ ସବୁ ରହିଛି ଓ ନିଜେ ବ୍ୟାଙ୍କ କର୍ତ୍ତପୃପକ୍ଷ ଗ୍ରାହକଙ୍କ ପାଇଁ କି ବ୍ୟବସ୍ଥା ସବୁ ରଖିଛନ୍ତି । ଏସବୁ ବୁଝିଗଲା ପରେ ଯେତେବେଳ ଜାଣିଲେ ସିଧା ଆଙ୍ଗୁଠିରେ ଘିଅ ବାହାରିବ ନାହିଁ, ସେତେବେଳେ ଚିଠି ଲେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ। ଅର୍ଥ ମନ୍ତ୍ରାଳୟରୁ ଉତ୍ତର ଆସିଲା । ବିଭାଗର ନିର୍ଦ୍ଦେଶ ପରେ ଚେକ୍ ବାଉନ୍ସ ବାବଦ କଟିଥିବା ଅର୍ଥ ତାଙ୍କୁ ଫେରାଇ ଦିଆଗଲା ।
ଏହା ପରେ ସତ୍ୟ ନାରାୟଣ ମେଲ୍ କଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ । ଅବଶ୍ୟ ଭାବି ନଥିଲେ କେବେ ତାଙ୍କର ପତ୍ରର ଉତ୍ତର ଆସିବ । ହେଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତାଙ୍କ ପତ୍ର ଉପରେ ଦୃଷ୍ଟି ଦେଲେ ଓ ଉତ୍ତର ବି ଦେଲେ । ତଦନ୍ତ ପାଇଁ ଆସିଲା ନିର୍ଦ୍ଦେଶ । ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଭୁଲ ମାନିଲେ ।
ଏଭଳି ସମସ୍ୟା ହେଲେ ଅନେକ ଲୋକ ଏହାର ସାମନା ନକରି ନିଜ କାନମୁଣ୍ଡ ଆଉଁସି ନିରବ ରହିଯାନ୍ତି । ତେବେ ସତ୍ୟ ନାରାୟଣ କେବଳ ନିଜ ପାଇଁ ନୁହେଁ ଅନ୍ୟ ହଜାର ହଜାର ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମକୁ ଆସିଛନ୍ତି । କେନ୍ୟୁଜ୍ ଜରିଆରେ ନିଜ କଥା କହିଛନ୍ତି ଅନ୍ୟମାନେ କିଭଳି ଏ ସମ୍ପର୍କରେ ଜାଣିବେ। କେଉଁ ବାଟରେ ଗଲେ ଏମିତି ହଇରାଣ କରୁଥିବା ବ୍ୟାଙ୍କକୁ ପାନେ ଦେଇ ପାରିବେ ସେ କଥା ଜଣାଇଛନ୍ତି ଆମ ଜରିଆରେ । ତାଙ୍କୁ କେ ନ୍ୟୁଜ୍ ଅଶେଷ ଧନ୍ୟବାଦ ଜଣାଉଛି । ଆଶା କରୁଛୁ, ଏଭଳି ସମସ୍ୟା ଉପୁଜିଲେ ଆପଣମାନେ ମଧ୍ୟ ଠିକ୍ ସତ୍ୟନାରାୟଣଙ୍କ ଭଳି ଲଢ଼େଇ କରିବେ ।
ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା