ଗଧମାନଙ୍କ ମେଳାରେ ଏତେ ଟଙ୍କାରେ ବିକ୍ରି ହେଲେ ସଲମାନ ଓ ଶାହରୁଖ! କ୍ୟାଟ୍ରିନାର ଝଲକ୍‌ ପାଇବା ପାଇଁ ଭିଡ଼ ଜମାଇଲେ ଲୋକେ

ମଧ୍ୟ ପ୍ରଦେଶର ସତନା ଜିଲ୍ଲାର ଧାର୍ମିକ ନଗରୀ ଚିତ୍ରକୂଟରେ ଏକ ନିଆରା ମେଳା ଲାଗିଛି। ଏହି ମେଳା ଏଠାରେ ପ୍ରବାହିତ ମନ୍ଦାକିନୀ ନଦୀ କୂଳରେ ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କୌଣସି ଘରକରଣା ଜିନିଷପତ୍ରର ବିକାକିଣା ହେଉନାହିଁ, ବରଂ ଏହା ହେଉଛି ଗଧମାନଙ୍କ ମେଳା, ଯେଉଁଠି ସଲମାନ ଓ ଶାହରୁଖ ନାମକ ଦୁଇ ଗଧ ବିକ୍ରି ହେବାକୁ ଆସିଛନ୍ତି। ଚିତ୍ରକୂଟରେ ଲାଗିଥିବା ଏହି ଗଧମାନଙ୍କ ମେଳାରେ ଭିନ୍ନ ଭିନ୍ନ ରାଜ୍ୟର ବ୍ୟବସାୟୀମାନେ ଖଚର (ଗଧ ପ୍ରଜାତି) ଓ ଗଧ ନେଇ ପହଞ୍ଚିଛନ୍ତି। ଏଠାରେ ସେମାନଙ୍କ ନିଲାମ ଡାକ ମଧ୍ୟ ଲାଗୁଛି।

ଏହି ମେଳାର ଖାସିୟତ୍‌ ହେଉଛି ଯେ ଏଠାରେ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରୁ ଅଧିକ ରହିଛି ଦେଖଣାହାରୀଙ୍କ ସଂଖ୍ୟା। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଅନୁସାରେ, ଏହି ମେଳା ଦୀପାବଳି ପରଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏଥର ମଧ୍ୟ ଏହି ମେଳା ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, ଏହି ମେଳା ଔରଙ୍ଗଜେବଙ୍କ ସମୟରୁ ନିରନ୍ତର ଭାବେ ଚାଲି ଆସୁଛି।

ଔରଙ୍ଗଜେବଙ୍କ ସମୟରେ ସେନାରେ ଯେତେବେଳେ ବିଭିନ୍ନ ଜିନିଷର ଅଭାବ ପଡ଼ିଥିଲା, ତ ଏହି ପୂରା ଅଞ୍ଚଳରେ ଥିବା ଖଚର ଓ ଗଧ ମାଲିକମାନଙ୍କୁ ଏକ ପଡ଼ିଆରେ ଏକତ୍ରିତ କରାଯାଇଥିଲା ଏବଂ ସେମାନଙ୍କୁ କିଣା ଯାଇଥିଲା। ସେବେଠାରୁ ଆରମ୍ଭ ହୋଇଥିବା ଏହି ମେଳା ଏ ପର୍ଯ୍ୟନ୍ତ ବି ଚାଲି ଆସୁଛି। ମେଳାରେ ଭିନ୍ନ ଭିନ୍ନ ପ୍ରଜାତିର ଗଧ ଓ ଖଚର ପହଞ୍ଚିଛି। ସେମାନଙ୍କ ନାମ ଫିଲ୍ମ ତାରକାଙ୍କ ନାମ ସହିତ ମେଳ ଖାଉଛି। ଅର୍ଥାତ୍‌ ବଲିଉଡ୍‌ ସେଲିବ୍ରିଟିମାନଙ୍କ ନାମ ଅନୁସାରେ ସେମାନଙ୍କ ନାମ ଦିଆଯାଇଛି। ସେଥି ମଧ୍ୟରୁ ୩ ଜଣଙ୍କୁ ଶାହରୁଖ, ସଲମାନ ଓ କ୍ୟାଟ୍ରିନା ନାମରେ ଡକାଯାଉଛି। ଗଧମାନଙ୍କ ଏହି ମେଳାରେ ସବୁଠୁ ଅଧିକ ଦାମ୍‌ରେ ବିକ୍ରି ହୋଇଥିବା ଗଧଙ୍କ ନାମ ସଲମାନ ଓ ଶାହାରୁଖ ବୋଲି କୁହାଯାଉଛି। ସେମାନଙ୍କ ମାଲିକମାନଙ୍କୁ ଯଥାକ୍ରମେ ୧ ଲକ୍ଷ ଏବଂ ୯୦ ହଜାର ଟଙ୍କା ମିଳିଛି। ବାକି ଗଧମାନେ ୩୦ ହଜାରରୁ ୬୦ ହଜାର ଟଙ୍କା ମଧ୍ୟରେ ବିକ୍ରି ହୋଇଛନ୍ତି।

ମେଳାର ସଂସ୍ଥାପକ ରମେଶ ପାଣ୍ଡେ କହିଛନ୍ତି କି, ଏହି ମେଳା ଔରଙ୍ଗଜେବଙ୍କ ସମୟରୁ ଚାଲିଆସୁଛି। ୮ ଦିନ ପୂର୍ବରୁ ମେଳାର ବ୍ୟବସ୍ଥା କରାଯାଇଥାଏ। ମେଳାରେ ଗଧମାନଙ୍କ ମୂଲ୍ୟ ଖଚର ପ୍ରଜାତି ତୁଳନାରେ ଅଧିକ ରହିଛି। ସେମାନେ ପ୍ରାୟ ୫୦ରୁ ୭୦ ହଜାର ଟଙ୍କା ଭିତରେ ବିକ୍ରି ହୁଅନ୍ତି। ସେ ଆହୁରି ମଧ୍ୟ କହିଥିଲେ କି, ସାଧାରଣ ଗଧମାନଙ୍କର ମୂଲ୍ୟ କମ୍ ରହିଥାଏ। ଯେଉଁମାନେ ଦେଖିବାକୁ ସୁନ୍ଦର ଥାଆନ୍ତି, ସେମାନଙ୍କୁ ଫିଲ୍ମ କଳାକାରଙ୍କ ନାମ ଅନୁସାରେ ନାମିତ କରାଯାଇଥାଏ। ଏମାନେ ଆକର୍ଷଣର କେନ୍ଦବିନ୍ଦୁ ପାଲଟନ୍ତି ଏବଂ ଏମାନଙ୍କ ମୂଲ୍ୟ ମଧ୍ୟ ଅଧିକ ରହିଥାଏ।