ମୁଁ କାହାରିକୁ ବ୍ଲାକମେଲିଂ କରିନାହିଁ, ତଦନ୍ତ ହେଉ ସତ ବାହାରିବ: ଅର୍ଚ୍ଚନା ନାଗ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ କଡ଼ା ସୁରକ୍ଷାରେ ହାଜର ହେଲେ ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ଉଭୟ ଝାରପଡ଼ା ଜେଲ ଓ କୋର୍ଟ ପରିସରରେ ହୋଇଥିଲା ପୋଲିସ ଛାଉଣୀ । ଗିରଫ ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କହିଛନ୍ତି, ସେ କାହାରିକୁ ବ୍ଲାକମେଲିଂ କରିନାହାନ୍ତି । ସବୁ ଅଭିଯୋଗ ମିଛ । ତଦନ୍ତ ହେଉ ସତ ବାହାରିବ । ଏହି ମାମଲାରେ ଏସଡିଜେଏମ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ସରିଛି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ଜାମିନ ଆବେଦନ ପୂର୍ବରୁ ଅର୍ଚ୍ଚନାଙ୍କୁ ପୁଣି କଡ଼ା ସୁରକ୍ଷା ବଳୟରେ ପୋଲିସ ଝାରପଡ଼ା ଜେଲ୍‌କୁ ନେଇଯାଇଥିଲା । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଓକିଲ ଦେବାଶିଷ ମହାପାତ୍ର । କାଷ୍ଟିଂ କାଉଚ୍‌ରୁ ଆରମ୍ଭ ହୋଇଥିଲା ଅର୍ଚ୍ଚନାଙ୍କ କଳା କାହାଣୀ । ବହୁ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି । କଳାହାଣ୍ଡି କେସିଙ୍ଗାରୁ ରାଜଧାନୀ । ୫ ବର୍ଷରେ ବ୍ଲାକମେଲର ଅର୍ଚ୍ଚନା ପ୍ରାୟ ୩୦ କୋଟି ଟଙ୍କାର ମାଲିକାଣୀ । ଅକ୍ଟୋବର ୨ରେ ଜଣେ ଯୁବତୀ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ନାଁରେ ବ୍ଲାକମେଲିଂ କରୁଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ସେହି ଆଧାରରେ ଅକ୍ଟୋବର ୬ରେ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ଜଗବନ୍ଧୁକୁ ମଧ୍ୟ ପୋଲିସ ଗିରଫ କରିଛି । ଦିନେ ରାଜଉଆସରେ ଦିନ କାଟୁଥିବା ବଣ୍ଟି ବବଲି ଏବେ ଜେଲରେ ଅଛନ୍ତି । ହେଲେ ସହଯୋଗୀ ଖଗେଶ୍ୱରର ଏବେବି ପତ୍ତା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.