ସୋମ ପ୍ରଦୋଷ ବ୍ରତ : ୭ ଓ ୮ ଜୁନ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ମୁହୂର୍ତ୍ତ, ଶିବ ଶଙ୍କର ହେବେ ପ୍ରଶନ୍ନ

ଆସନ୍ତା ସୋମବାର ଅର୍ଥାତ ଜୁନ ୭ ତାରିଖ ପଡ଼ୁଛି ସୋମ ପ୍ରଦୋଷ ବ୍ରତ । ଏହାର ଠିକ୍ ପରଦିନ ଅର୍ଥାତ ମଙ୍ଗଳବାର ଜୁନ ୮ ତାରିଖ ମାସିକ ଶିବରାତ୍ରି ପଡ଼ୁଛି । ତେଣୁ ଲଗାତାର ଏହି ଦୁଇ ଦିନ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ଯୋଗ ବନୁଛି । ଏହି ସମୟରେ ପୂଜା କଲେ ଶିବ ଶଙ୍କର ପ୍ରଶନ୍ନ ହେବା ସହ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏଥର ପ୍ରଦୋଷ ବ୍ରତ ବହୁତ ଲାଭକାରୀ ବୋଲି କୁହାଯାଇଛି ।
ପ୍ରଦୋଷ ବ୍ରତ ଶୁଭ ମୁହୂର୍ତ୍ତ :
ଜ୍ୟୋଷ୍ଠ ମାସ କୃଷ୍ଣ ପକ୍ଷର ପ୍ରଦୋଷ ବ୍ରତ ସୋମବାର କରାଯିବ । ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି ୭ ଜୁନ ସୋମବାର ସକାଳ ୮ଟା ୪୮ ମିନିଟରେ । ତ୍ରୟୋଦଶୀ ତିଥି ସମାପ୍ତ ହେଉଛି ୮ଜୁନ ମଙ୍ଗଳବାର ସକାଳ ୧୧ ଟା ୨୪ ମିନିଟରେ ।

ପୂଜା ମୁହୂର୍ତ୍ତ :
ଜ୍ୟୋତିଷଙ୍କ ଅନୁଯାୟୀ ସୋମ ପ୍ରଦୋଷ ଦିନ ଅର୍ଥାତ ୭ ଜୁନ ସନ୍ଧ୍ୟା ୭ ଟା ୧୭ ମିନିଟ୍ ରୁ ରାତି ୯ ଟା ୧୮ ମିନିଟ ଯାଏ ପୂଜା କରିବା ଉଚିତ୍ । ସୋମ ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କ ପୂଜା ପାଇଁ ଆପଣଙ୍କୁ ପ୍ରଦୋଷ ସମୟରେ ମାତ୍ର ୨ ଘଣ୍ଟା ୦୧ ମିନିଟ୍ ସମୟ ମିଳିବ ।
ସୋମ ପ୍ରଦୋଷ ପୂଜା ବିଧି :
ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରେ ନିତ୍ୟ କର୍ମ ସାରି ଦିଅନ୍ତୁ । ପରେ ସଫା ବସ୍ତ୍ର ପିନ୍ଧି ମନ୍ଦିର ଯାଇ ହାତରେ ଜଳ ଓ ପୁଷ୍ପ ନେଇ ସଂକଳ୍ପ କରନ୍ତୁ । ସଂକଳ୍ପ ନେଲା ପରେ ଭଗବାନ ଶିବଙ୍କ ପୂଜା କରନ୍ତୁ । ଦିନରେ ଥରେ ମାତ୍ର ଫଳ ଆହାର କରନ୍ତୁ । ପୁରା ଦିନ ମନରେ ଶିବଙ୍କୁ ଆରାଧନା କରନ୍ତୁ । ପୁଣି ସନ୍ଧ୍ୟାରେ ପ୍ରଦୋଷ ପୂଜା ମୁହୂର୍ତ୍ତରେ ପୁଣି ସ୍ନାନ କରି ପୂଜା ସ୍ଥଳରେ ଭଗବାନ ଶିବଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନ କରନ୍ତୁ ।
ଏବେ ଭଗବାନ ଶିବଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ । ପୁଣି ଧୂପ, ଦୀପ,ଅକ୍ଷତ, ପୁଷ୍ପ, ଧତୁରା(ଦୁର୍ଦ୍ଦୁରା), ଫଳ, ଚନ୍ଦନ, ଗାଇ ଦୁଧ ଓ ଭାଙ୍ଗ ଆଦି ଅର୍ପଣ କରନ୍ତୁ । ଏହା ସହିତ ଭୋଗରେ ମୌସମୀ ଫଳ ଓ ଧଳା ମିଠା ଭଗବାନଙ୍କୁ ଲଗାନ୍ତୁ ।