Below header

ଜ୍ବରରେ ପୀଡିତ ମହାବାହୁଙ୍କୁ ଆଜି ଲାଗି ହେଉଛି ଦଶମୂଳକ ମୋଦକ

ପୁରୀ(କେ ନ୍ୟୁଜ): ଶ୍ରୀବିଗ୍ରହ ରୂପରେ ପୂଜା ପାଉଛନ୍ତି ସେ । ହେଲେ ତାଙ୍କର ସବୁ ରୀତିନୀତି ଆମରି ମଣିଷ ଭଳି । ସେଇଥିପାଇଁ ତ ସେ ସବୁ ଓଡ଼ିଆଙ୍କ ଆପଣାର ଠାକୁର  ଶ୍ରୀଜଗନ୍ନାଥ । ସ୍ନାନପୂର୍ଣ୍ଣିମା ଦିନ ସୁବାସିତ ଜଳରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଅସୁସ୍ଥ ଅଛନ୍ତି । ଅଣସର ଘରେ ରହି ସେମାନଙ୍କର ଗୁପ୍ତନୀତି ଓ ଉପଚାର ଚାଲିଛି । ଗତ ଚାରି ଦିନ ଧରି ଓଷ ଲାଗି ଶେଷ ହେଲା ପରେ ମହାପ୍ରଭୁ ଜ୍ଵରରୁ ସୁସ୍ଥ ହୋଇ ଗତକାଲି ଚକା ଉପରେ ବିଜେ କରିଛନ୍ତି। ଦଶମୀତିଥିରେ ମହାପ୍ରଭୁଙ୍କ ଉପଚାର ପାଇଁ ରାଜବୈଦ୍ୟଙ୍କ ଘରୁ ମୋଦକ ଔଷଧି ବଡ଼ଦେଉଳକୁ ଆସିଥାଏ । ଏକାଦଶୀ ତିଥିରେ ଅର୍ଥାତ ଆଜି ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକ ଔଷଧ ଲାଗି କରାଯିବ। ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗି ପଡିଛନ୍ତି । ମହାପ୍ରଭୁଙ୍କ ଶରୀର ଖଇଫୁଟା ତାତିରେ କମ୍ପୁଥିବା ବେଳେ ଉପଶମ ପାଇଁ ବଡ ଓଡିଆ ମଠରେ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହୋଇଥିଲା ।

jagannatha modaka

ପରେ ଷଷ୍ଠୀ ଠାରୁ ଚାରିଦିନ ଧରି ଝୁଣା, ରାଶିତେଲ ଓ କର୍ପୂର ଆଦି ଔଷଧୀୟ ପଦାର୍ଥରେ ପ୍ରସ୍ତୁତ ଓଷ ଲାଗି ହୋଇଥିଲା। ଏହାପରେ ଶ୍ରୀଜୀଉଙ୍କ ଶରୀରରୁ ତାତି ଧୀରେ ଧୀରେ କମିଛି। ହେଲେ ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବ। ଗଜପତି ମହାରାଜଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଶମୂଳକ ପ୍ରସ୍ତୁତ କରାଯାଇଛି। ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହୁଏ । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ଓ ବିଦ୍ୟାପତିମାନେ ଚକା ବିଜେ କରାଇ ଚକଟା ଓ ପଣା ଭୋଗ ଲାଗି କରନ୍ତି ।

ସେପଟେ ସରି ସରି ଆସୁଛି ରଥ ନିର୍ମାଣ କାର୍ଯ୍ୟ । ତିନିରଥର ବେଦୀ ସିଂହାସନ ପଡି ଚାରିପଟେ ପଟାବାଡ଼ିଆ ଯିବା ପରେ ହଂସପଟା ଲଗାଯାଇଛି। ଚିତ୍ରକର ସେବକ ତିନିରଥ ପାଇଁ ପାର୍ଶ୍ଵ ଦେବାଦେବୀଙ୍କ ଆସ୍ଥାନ ବା ଶିଖର ଡମ୍ବରୁ, ପ୍ରତି ରଥ ପାଇଁ ୯ଟି ଲେଖାଏଁ ପାର୍ଶ୍ଵ ଦେବାଦେବୀ, ଦୁଇଟି ଲେଖାଏଁ ଦ୍ୱାରପାଳ, ୨୭ଟି ସଖୀ ଓ ସାରଥିଙ୍କ ରଙ୍ଗକାର୍ଯ୍ଯ ଶେଷ କରିଛନ୍ତି । କେବଳ ଏସବୁ ରଥରେ ସଂଯୋଗ ହେବ। ସେପଟେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.