Below header

ନଦୀର ପ୍ରଖର ସ୍ରୋତରେ ହାତକୁ ହାତ ଛନ୍ଦି ତିଆରି କଲେ ଷ୍ଟ୍ରେଚର, ମାନବ ଶୃଙ୍ଖଳାରେ ପାର ହେଲେ ଗର୍ଭବତୀ

ମାଲକାନଗିରି: ବନ୍ୟାରେ ଉବୁଟୁବୁ ପାହାଡ଼ିଆ ନଦୀ । ସ୍ରୋତ ଏମିତି ଯେ ବନ୍ଧବାଡ଼ ମାନୁନି । ନଦୀ ପାରି ହେବାକୁ କୌଣସି ସାଧନ ନାହିଁ । କିଛି ଲୋକ ଜଣେ ମହିଳାଙ୍କୁ କୋଳେଇ ଧରି ନଦୀ ପାରି ହେଉଛନ୍ତି । ଆଉ ମହିଳା ଜଣକ ହେଉଛନ୍ତି ଗର୍ଭବତୀ । ପ୍ରସବ ବେଦନା ହେବାରୁ ଏଭଳି ଭୟଙ୍କର ବର୍ଷା ଓ ବନ୍ୟା ପରିସ୍ଥିତିରେ ବି ତାଙ୍କୁ ଡାକ୍ତରଖାନା ନେବା ଜରୁରୀ ଥିଲା । ହେଲେ ଗାଁ ରେ ନାଁ ଆମ୍ବୁଲାନ୍ସ ପହଞ୍ଚି ପାରିବ ନା ଅନ୍ୟ କୌଣସି ଯାନବାହନରେ ଆସିବା ସମ୍ଭବ । ତେଣୁ ଗାଁ ଲୋକେ ମିଶି ହାତକୁ ହାତ ଛନ୍ଦି ମାନବତା ପାଇଁ କଲେ ମାନବ ଶୃଙ୍ଖଳ । ମହିଳା ଜଣକୁ ପାଣି ଉପରେ ଉଠାଇ ଧରି ବଡ଼ କଷ୍ଟରେ ନଦୀ ପାରି ହେଲେ । କେଉଁଠି ବି ଗୋଡ଼ ଖସି ଯିବାର ଆଶଙ୍କା ଥିଲା । ପାଦେ ପାଦେ ଥିଲା ଜୀବନ ଚାଲିଯିବାର ଭୟ । ତଥାପି ସାହସ ଦେଖାଇ ଗାଁ ଲୋକେ ଗର୍ଭବତୀଙ୍କୁ ନଦୀ ଆରପାରିକୁ ଆଣି ଡାକ୍ତରଖାନାରେ ପହଞ୍ଚାଇଲେ । ହେଲେ ସେମାନଙ୍କ ଏତେ ପରିଶ୍ରମ ଅଧା ସଫଳ ହେଲା । ଅର୍ଥାତ୍‌ ମା’ର ଜୀବନ ବଞ୍ଚିଗଲା ହେଲେ ଡାକ୍ତର ବଞ୍ଚାଇ ପାରିଲେନି ଗର୍ଭସ୍ଥ ପିଲାଟିକୁ ।

ଘଟଣା ହେଉଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଅଞ୍ଚଳର । ଅପହଞ୍ଚ ଓ ମାଓ ପ୍ରବଣ ଇଲାକା ଲଙ୍କାପଲ୍ଲୀ । ଏଇ ଗାଁର କରୁଣା ବାଚମଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଗ୍ରାମବାସୀ ଏକ ହାତ ତିଆରି ଷ୍ଟ୍ରେଚରରେ ବୋହି ଆଣିଥିଲେ ଗାଁ ଠାରୁ ୯ କିମି ଦୂର ଚିଲମିଡ଼ି ଡାକ୍ତରଖାନାକୁ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଜାପୁର ମେଡିକାଲକୁ ନେବାକୁ ପଡ଼ିଲା । ଯେଉଁଠିକୁ ଯିବା ପାଇଁ କିଛି ବି ରାସ୍ତା ନଥିଲା । ତେଣୁ ଏଭଳି ବିପଜ୍ଜନକ ଭାବେ ନଦୀ ପାରି ହେଲେ ଲୋକେ । ତଥାପି ଯେମିତି କରୁଣାଙ୍କ ସପକ୍ଷରେ ନଥିଲା ଭାଗ୍ୟ । ଏତେ କଷ୍ଟରେ ଏତେ ଦୂର ଆସିଥିବା ଯୋଗୁଁ ତାଙ୍କ ପେଟରେ ଥିବା ପ୍ରଥମ ଗର୍ଭର ପିଲାଟି ମୃତ ଭାବେ ଜନ୍ମ ନେଲା । ଗାଁ ଲୋକେ ଖୁବ୍‌ ନିରାଶ ହୋଇ ପଡ଼ିଲେ । କାରଣ ଉଭୟ ମା ଓ ଶିଶୁକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ସତରେ ଏଭଳି ଘଟଣା ପାଇଁ ଆମେ ଦାୟୀ କରିବା କାହାକୁ ? କଣ ଭାଗ୍ୟକୁ ନା ଆମ ବ୍ୟବସ୍ଥାକୁ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.