Below header

ବ୍ୟାଣ୍ଡ, ବାଜା ସହିତ ଶୋଭାଯାତ୍ରା: ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ

ଦୁଇ ପଟେ ଛାତ୍ରଛାତ୍ରୀ ମଝିରେ ଶିକ୍ଷକ। ପଛରେ ଥିଲେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନୁଷ୍ଠାନର କର୍ମଚାରୀମାନେ । ଦୃଶ୍ୟ ଯେତିକି ସୁନ୍ଦର ଥିଲା ସେହି ପରିମାଣରେ ଭାବ ପୂର୍ଣ୍ଣ ମଧ୍ୟ ଥିଲା । ମନ ଭିତରେ ଥିବା କୋହ ସ୍ପଷ୍ଟ ବାରି ହୋଇ ପଡୁଥିଲା ଶହ ଶହ ପିଲାଙ୍କ ଆଖିରେ ।

କଟକ(କେନ୍ୟୁଜ): ବ୍ୟାଣ୍ଡ, ବାଜା ସହ ହେଲା ଶୋଭାଯାତ୍ରା । ଦୁଇ ପଟେ ଛାତ୍ରଛାତ୍ରୀ ମଝିରେ ଶିକ୍ଷକ। ପଛରେ ଥିଲେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନୁଷ୍ଠାନର କର୍ମଚାରୀମାନେ । ଦୃଶ୍ୟ ଯେତିକି ସୁନ୍ଦର ଥିଲା ସେହି ପରିମାଣରେ ଭାବ ପୂର୍ଣ୍ଣ ମଧ୍ୟ ଥିଲା । ମନ ଭିତରେ ଥିବା କୋହ ସ୍ପଷ୍ଟ ବାରି ହୋଇ ପଡୁଥିଲା ଶହ ଶହ ପିଲାଙ୍କ ଆଖିରେ । ଏହି ଅବସର ଥିଲା ଜଣେ ଶିକ୍ଷକଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ।

ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିବା ପରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ସାହୁ ଗତ ମାସରେ ନେଇଛନ୍ତି ଅବସର । ତାଙ୍କରି ଉଦ୍ଦେଶ୍ୟରେ ଆୟୋଜିତ ଅବସରଜନିତ ବିଦାୟକାଳୀନ ସମ୍ବର୍ଦ୍ଧନା ଶୋଭାଯାତ୍ରାର ଥିଲା ଏଭଳି ଦୃଶ୍ୟ । ସାଙ୍ଗରେ ଅଛନ୍ତି ତାଙ୍କ ପତ୍ନୀ । ଉଭୟଙ୍କ ଆଖି ଛଳଛଳ । ଶ୍ରୀଯୁକ୍ତ ନାରାୟଣ ସାହୁ ୧୯୮୯ ମସିହା ଅକ୍ଟୋବର ମାସ ୧୮ ତାରିଖରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଦୀର୍ଘ ୩୫ବର୍ଷ କାଳ ବୋର୍ଡ଼ ହାଇସ୍କୁଲର ଶୈକ୍ଷିକ ବାତାବରଣକୁ ଋଦ୍ଧିମନ୍ତ କରିବାରେ ତାଙ୍କର ଥିଲା ଏକ ଭିନ୍ନ ଭୂମିକା । ତାଙ୍କ ଜୀବନବ୍ୟାପୀ ଶିକ୍ଷା ସାଧନାର ପଟାନ୍ତର ନାହିଁ ।

ନାରାୟଣ ସାରଙ୍କ ବିଦାୟକାଳୀନ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଏହିପରି କିଛି ଯୋଜନା କରିଥିଲେ ଛାତ୍ରଛାତ୍ରୀ । ସମ୍ବର୍ଦ୍ଧନା ସଭା ପରେ ବିଦ୍ୟାଳୟ ଠାରୁ ବୋର୍ଡ଼ ଅଫିସ୍ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଫୁଲ ମାଳ ପକାଇ, ବାଜା ବଜାଇ ପ୍ରିୟ ସାରଙ୍କୁ ବାଟେଇ ଦେଇ ଆସିଥିଲେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ । ସାର ଗାଡ଼ିରେ ବସିବା ପର୍ଯ୍ୟନ୍ତ ଚାହିଁ ରହିଥିଲେ ପିଲାମାନେ।

ଭାବ,ଭକ୍ତି, ବନ୍ଧନ, ସମ୍ମାନବୋଧ, ଭଲ ପାଇବାର ଏକ ଚମତ୍କାର ମିଶ୍ରଣ ସୃଷ୍ଟି କରିଥିଲା ଏହି ପରିବେଶ । ନା ସାରଙ୍କର ବିଦ୍ୟାଳୟ ଛାଡି ଯିବାକୁ ଇଚ୍ଛା ଥିଲା ନା ସାରଙ୍କୁ ଛାଡି ବାକୁ ପିଲେ ଇଛୁକ ଥିଲେ । କିନ୍ତୁ ବିଧି ବ୍ୟବସ୍ଥା ଭିତରେ ସମସ୍ତେ ନିଜ ନିଜ କର୍ତ୍ତବ୍ୟ କରିବାକୁ ଭୁଲି ନ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.