ରୋଜଗାରର ବାଟ ଖୋଲିଛି ପଞ୍ଚାୟତ ନିର୍ବାଚନ, ପରିବାରର ପେଟକୁ ଦାନା ଯୋଗାଇ ପାରୁଛନ୍ତି ଏମାନେ

ଭଞ୍ଜନଗର (କେନ୍ୟୁଜ୍‌) : କରୋନା କଟକଣା ଯାହା ଛଡ଼େଇ ନେଇଥିଲା, ପଞ୍ଚାୟତ ନିର୍ବାଚନର ପ୍ରଚାର କାର୍ଯ୍ୟ ଏବେ ତାହା ଭରଣା କଲା। ହାତକୁ କାମ ମିଳିଲା ଆଉ କିଛି ରୋଜଗାର ବି ହେଲା । ଭଲରେ ଚଳିଲେ ଅଭାବୀ ପରିବାର। ଏବେ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରଚାର କାର୍ଯ୍ୟରେ କାମ କରୁଥିବା ଚିତ୍ରକର, ବାଦ୍ୟକାର, ସାଉଣ୍ଡ ଅପରେଟର, ଘୋଷକ ଏବଂ ଜୀବିକା ହରାଇଥିବା ଯୁବକଙ୍କୁ ରୋଜଗାର ମିଳିଛି। କିଭଳି ରହିଛି ଏମାନଙ୍କ ରୋଜଗାରର ମାଧ୍ୟମ ଆସନ୍ତୁ ଜାଣିବା…

ସୁଶାନ୍ତ ହେଉଛନ୍ତି ଜଣେ ଦିବ୍ୟାଙ୍ଗ। ତଥାପି ଖୁବ୍ ଚଳଚଞ୍ଚଳ। ଆଗରୁ କିଛି କିଛି କାମଧନ୍ଦା କରି ନିଜେ ଚଳୁଥିଲେ ଓ ପରିବାର ଚଳାଉଥିଲେ। ହେଲେ ଗତ କରୋନା କଟକଣା ସମୟରେ ହାତକୁ କିଛି କାମ ମିଳିଲାନି। ଏଣୁ ଚିନ୍ତାରେ ଥିଲେ। ଏବେ ପଞ୍ଚାୟତ ନିର୍ବାଚନ ଆସିବାରୁ ପ୍ରାର୍ଥୀଙ୍କ ପ୍ରଚାର ଗାଡିରେ ଯାଇ “ଘୋଷକ” ଭାବେ ପ୍ରଚାର କାର୍ଯ୍ୟ କରୁଛନ୍ତି ସୁଶାନ୍ତ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ, ଯାହା କିଛି ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି। ସେମିତି ଆଉ ଜଣେ ଯୁବକ ହେଉଛନ୍ତି ଧବଳେଶ୍ଵର। ଚାଷ କାମ କରନ୍ତି। ଚାଷ କାର୍ଯ୍ୟ ସରିବା ପରେ ହାତରେ ଆଉ କିଛି କାମନଥିଲା। ଏବେ ସେ’ ବି ପ୍ରଚାର ଗାଡିରେ ଯାଇ ପ୍ରଚାର କରୁଛନ୍ତି ଫଳରେ କିଛି ରୋଜଗାର ହେଉଛି ବୋଲି ସେ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ଏବେ ପ୍ରଚାର ଓ ପ୍ରସାର ଉପରେ ବେଶ୍ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ପ୍ରଚାରକୁ ଆକର୍ଷଣୀୟ କରି ଭୋଟରଙ୍କ ନଜରକୁ ଆଣିବାକୁ, ବାଜା-ପଟୁଆର ଓ ଡାକବାଜି ଯନ୍ତ୍ର ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ବାଦ୍ୟକାର ଓ ସାଉଣ୍ଡ୍ ଅପରେଟର୍ ମାନେ ବି ରୋଜଗାର କରିବାର ସୁଯୋଗ ପାଉଛନ୍ତି। ସାଉଣ୍ଡ୍ ଅପରେଟର୍ ରାଜା ସାହୁ ଏବେ ନିର୍ବାଚନ କାମରେ ଫୁଲ୍ ଜୋଶରେ ଲାଗି ପଡ଼ିଛନ୍ତି।

ଆଗରୁ ସବୁଠାରୁ ଅଧିକ ସମସ୍ୟା ଭିତରେ ଦିନ ବିତାଉଥିଲେ ଚିତ୍ରଶିଳ୍ପୀମାନେ। ବିଭିନ୍ନ “ଡିଜିଟାଲ” ଛାପା ବ୍ୟବସ୍ଥା ଆରମ୍ଭ ହେବା ପରେ ଗ୍ରାମାଞ୍ଚଳର ଅଧିକାଂଶ ଚିତ୍ରଶିଳ୍ପୀଙ୍କୁ ଜୀବିକା ହରାଇବାକୁ ପଡ଼ିଥିଲା । ତା’ ସତ୍ତ୍ୱେ କିଛି କିଛି କାମ କରୁଥିବା ଶିଳ୍ପୀଙ୍କୁ ଗତ କରୋନା କଟକଣା ସମୟରେ ସଂପୂର୍ଣ୍ଣ ଭାବେ ଜୀବିକା ହରାଇବାକୁ ପଡ଼ିଥିଲା। ଏବେ ଏମାନଙ୍କ ଆବଶ୍ୟକତା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନରେ ପ୍ରଚାର କାର୍ଯ୍ୟ ଯେତେ ଆଧୁନିକୀକରଣ ହେଉନା କାହିଁକି ଗାଁ କାନ୍ଥ-ବାଡରେ ପ୍ରାର୍ଥୀଙ୍କ ପାଇଁ ଲେଖୁଛନ୍ତି ଏହି ଶିଳ୍ପୀମାନେ। ଦିନ ତମାମ ପରିଶ୍ରମ କଲେ ଦୈନିକ ହଜାରେ ରୁ ଅଧିକ ଟଙ୍କା ରୋଜଗାର ହେଉଛି ବୋଲି ଚିତ୍ରଶିଳ୍ପୀ ଗଙ୍ଗା ନାୟକ ଓ ଜିତେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।

ନେତା ଓ ପ୍ରାର୍ଥୀଙ୍କ ନଜର ଲୋକଙ୍କ “ଭୋଟ” ଉପରେ ହେଲେ ”ବାଦ୍ୟକାର” “ଚିତ୍ରକର” “ଟେକ୍ନିସିଆନ୍” ଓ “ଘୋଷକ”ଙ୍କ ନଜର, ପରିଶ୍ରମର ରୋଜଗାର ଉପରେ। ଯାହା ଏବେ ପଞ୍ଚାୟତ ନିର୍ବାଚନ ଯୋଗୁ ତାଙ୍କୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.