Below header

ଏଥର ବିଭାଘରରେ ମନ କିଣିବ ହେଲିକପ୍ଟର କାର୍, ଦେଖିଲେ ମନ ଭରିଯିବ

କିଛି ନୂଆ ରୂପରେ ନିଜ ବାହାଘର କିମ୍ବା ବ୍ରତଘରରେ ଗାଡିକୁ ସଜାଇବାକୁ ମନ କରୁଛନ୍ତି ଆଜିକାଲି ଯୁବପିଢି । ତେବେ ଏହାକୁ ନଜରରେ ରଖି ମାନସଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ହେଲିକପ୍ଟର ଗାଡିଟି ଯୁବପିଢିଙ୍କୁ ବେଶ ପସନ୍ଦ ଆସିଛି ।

କାକଟପୁର(କେନ୍ୟୁଜ୍‌): ଗାଁ ରାସ୍ତାରେ ଗଡୁଛି ହେଲିକପ୍ଟର। ଯାହାକୁ ଦେଖିବାକୁ ଲାଗୁଛି ଲୋକମାନଙ୍କ ଭିଡ। ଗାଁ ରାସ୍ତାରେ ପୁଣି ହେଲିକପ୍ଟର! ଜମାରୁ ଚକିତ ହୁଅନ୍ତୁନି । ଆମେ କହୁଛୁ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଛତିଅନା ଗ୍ରାମର ମାନସ ରଞ୍ଜନ ସ୍ଵାଇଁ ପ୍ରସ୍ତୁତ କରିଥିବା ହେଲିକପ୍ଟର କଥା । ସବୁଠୁ ବଡ କଥା ଏହି ହେଲିକପ୍ଟର ଆକାଶରେ ନୁହେଁ ବରଂ ଗଡୁଛି ଗାଁ ରାସ୍ତାରେ।

ମନାସ ରଞ୍ଜନ ସ୍ଵାଇଁ ହେଉଛନ୍ତି ଜଣେ ମଧ୍ୟବିତ ଚାଷୀ ପରିବାର ର ଯୁବକ। ବାପା ତାଙ୍କର ଚାଷ କାର୍ଯ୍ୟ କରୁଥିବା ବେଳେ ମାନସ ହେଉଛନ୍ତି ଜଣେ ଆଇ ଟି ଆଇ ପାଠ ପଢିଥିବା ଯୁବକ। ଆଇ ଟି ଆଇ ପାଠ ପଢିସାରିବା ପରେ ସେ କୌଣସି ଚାକିରି ନ କରି ନିଜେ ଏକ ଇଣ୍ଡିକୋ କାରଟିଏ ଆଣି ସେଥିରେ ଭଡା ବ୍ୟବସାୟ ଆରମ୍ଭ କରିଥିଲେ। ସମୟ ଅନୁଯାୟୀ ଏହି କାରର ଚାହିଦା କମିବା ପରେ ପୂର୍ବ ପରି ଆଉ ଅଧିକ ଭଡା ହେଲାନାହିଁ । ତେଣୁ କଣ କରିବେ ଭାବି ଭାବି ୟୁଟ୍ୟୁବରେ ଏକ ଭିଡିଓ ଦେଖିବାକୁ ପାଇଲେ । ଯାହା ଏକ କାରକୁ ହେଲିକପ୍ଟରର ଲୁକ ଦେଇଥିଲା।

ଭିଡିଓ ଦେଖିବା ପରେ ମାନସ ଚିନ୍ତା କଲେ ନିଜର ଏହି କାରଟିକୁ ହେଲିକପ୍ଟରର ଲୁକ ଦେବେ। ନିଜେ ଯେହେତୁ ଜଣେ ଆଇ ଟି ଆଇ ଛାତ୍ର ତେଣୁ ନିଜେ ଏକ ନକ୍ସା ପ୍ରସ୍ତୁତ କରି ଏକ ଗ୍ୟାରେଜକୁ ଗାଡିକୁ ନେଇ ସେଠାରେ କାର କୁ ଏକ ହେଲିକପ୍ଟର ଲୁକ ଦେଇଛନ୍ତି । ହେଲିକପ୍ଟରର ଲୁକ ପାଇବା ପରେ ସେଥିରେ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ଖଞ୍ଜିଛନ୍ତି। ସେହିଭଳି ହେଲିକପ୍ଟରର ଉପରେ ଏକ ପଙ୍ଖା ଏବଂ ପଛ ପାଖ ଡେଣାର ଶେଷ ଭାଗରେ ଏକ ପଙ୍ଖା ଲଗାଇଛନ୍ତି। ଗାଡି ଚାଲିବା ସମୟରେ ସେହି ପଙ୍ଖା ଦୁଇଟି ବୁଲୁଛି ଏବଂ ସେଠାରେ ରଙ୍ଗୀନ ଲାଇଟ ଜଳୁଛି ଯାହା ଲୋକ ମାନଙ୍କୁ ବେଶ ଆକୃଷ୍ଟ କରୁଛି।

ଛଇତନା ଗ୍ରାମରେ ମାନସଙ୍କ ହେଲିକପ୍ଟର କାର ଯେତେବେଳେ ରଙ୍ଗ ବେରଙ୍ଗ ଲାଇଟ ଜଳାଇ ଯାଏ ସେହି ସମୟରେ ଗାଁ ଲୋକେ ଏହାକୁ ଦେଖିବାକୁ ଗାଁ ଦାଣ୍ଡକୁ ଚାଲିଆସୁଛନ୍ତି। ସେହିଭଳି ଅନେକ ଯୁବକ ମାନେ ଏହି କାର ସାମ୍ନାରେ ଫୋଟୋ ଉଠାଇବା ସହିତ ସେଲଫି ନେଉଥିବାର ଦେଖିବାକୁ ମିଳୁଛି ।

ତେବେ ଆଜିକାଲି ବିବାହ କିମ୍ବା ବ୍ରତଘର ମାନଙ୍କରେ ବିଭିନ୍ନ ଫୁଲ ସଜିଆ ହୋଇ ଗାଡି ମାନଙ୍କରେ ପ୍ରୋସେସନ୍ କରି ଯିବାର ଏକ ପରମ୍ପରା ରହିଥିବା ବେଳେ ସବୁବେଳେ କିଛି ନୂଆ ରୂପରେ ନିଜ ବାହାଘର କିମ୍ବା ବ୍ରତଘରରେ ଗାଡିକୁ ସଜାଇବାକୁ ମନ କରୁଛନ୍ତି ଆଜିକାଲି ଯୁବପିଢି । ତେବେ ଏହାକୁ ନଜରରେ ରଖି ମାନସ ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ହେଲିକପ୍ଟର ଗାଡିଟି ଯୁବପିଢିଙ୍କୁ ବେଶ ପସନ୍ଦ ଆସିଛି। ଆଗକୁ ବିବାହ ଋତୁ ଆସୁଥିବାରୁ ଏହି ଗାଡିଟି ବିଭାଘର ପ୍ରୋସେସନ୍ ରେ ବେଶ ଚାହିଦା ରହିବ ବୋଲି ମାନସ ଆଶା ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.