Below header

ପଡିଛି ମୃତଦେହ ବାଜୁଛି ମୋବାଇଲ, କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ

ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଏହା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ଗତକାଲି ବି ଶୁକ୍ରବାର ।

କେନ୍ୟୁଜ୍(ବ୍ୟୁରୋ): ସମୟ ଜୁନ୍ ୨ ତାରିଖ ଶୁକ୍ରବାର ୭ଟା ୫ ପାଖାପାଖି ହେବ। କରମଣ୍ଡଳ ଏକ୍ସପ୍ରେସ୍‌ ଅପ୍‌ ଟ୍ରେନ୍‌ ଏବଂ ଯଶୋବନ୍ତପୁର-ହାଓଡ଼ା ଟ୍ରେନ୍‌ ଡାଉନ୍‌ ଲାଇନ୍‌ରେ ଚାଲିଥିଲା। ଯାତ୍ରୀମାନଙ୍କ ମଧ୍ୟରୁ କିଏ ଖାଉଥିଲେ, କିଏ ଶୋଇଥିଲେ, କିଏ ମୋବାଇଲ୍‌ ଦେଖୁଥିଲେ। ଆଉ କିଏ ଘର ଲୋକଙ୍କ ସହ କଥା ହେଉଥିଲେ। ବାଲେଶ୍ବର ଜିଲ୍ଲା ବାହାନଗା ରେଳଷ୍ଟେସନ୍‌ ନିକଟ ପଣପଣାଠାରେ ହଠାତ୍‌ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଟ୍ରେନ୍‌ ର ବଗିଗୁଡ଼ିକ ସତେଯେମିତି ପବନରେ ଉଡ଼ିବାକୁ ଲାଗିଲା। ଯାତ୍ରୀମାନେ କିଏ କେଉଁଆଡ଼େ ଛିଟିକି ପଡ଼ିଲେ, କାହାର କିଛି ଠିକଣା ନଥିଲା। ଯେଉଁମାନେ ଭଲ ଥିଲେ, ସେମାନେ ଜାଣିଲେ ଯେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇଟି ଟ୍ରେନ୍‌ ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା। ଏହିସମୟରେ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ୫ କିଲୋମିଟର ଦୂରକୁ ଶୁଭିଥିଲା। ସ୍ଥାନୀୟ ଲୋକ କେହି କିଛି ବୁଝିପାରି ନଥିଲେ। ହେଲେ, କେଇ ମିନିଟ୍‌ ପରେ ଘଟଣା ବିଷୟରେ ଚାରିଆଡେ ପଡିଲା ହୁରି।

ବାଲେଶ୍ଵର ଜିଲ୍ଲାର ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଏବେ ସମସ୍ତେ ହତବାକ୍‌। ଦୁର୍ଘଟଣା ପରର ଛାତିଥରା ଦୃଶ୍ୟ ଦେଖି କେହି ସହଜରେ ନିଜକୁ ବିଶ୍ବାସ କରିପାରୁନାହାନ୍ତି ସତରେ କଣ ଦୁର୍ଘଟଣା ଏତେ ଭୟଙ୍କର ହୋଇପାରେ। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗିରେ ଖାଲି ହାତଗୋଡ଼, ମୁଣ୍ଡ ଛିଣ୍ଡି ପଡ଼ିଥିବା ବେଳେ ଯୁଆଡ଼େ ଦେଖିବ ଗଦା ହୋଇଛି ଶହ ଶହ ଶବ। ଆଉ ପଡିଥିବା ସେହି ମୃତଦେହ ପକେଟରେ ବାଜୁଛି ମୋବାଇଲ। ହଁ ଆଜ୍ଞା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଜୀବନ ଚାଲିଯିବା ପରେ ଶବ ପକେଟରେ ବାଜୁଛି ଫୋନ୍ । ଟ୍ରେନ୍ ଦୁର୍ଘଟଣା ଖବର ପାଇବା ପରେ ନିଜର ଲୋକଟି କେମିତି ଅଛି ପଚାରି ବୁଝିବା ପାଇଁ କଲ୍ କରୁଛନ୍ତି ଭାଇ, ବନ୍ଧୁ ତଥା ସମ୍ପର୍କୀୟ। ହେଲେ ଫୋନ ଉଠାଇ ଘର ଲୋକଙ୍କୁ ମୃତକଙ୍କ ବିଷୟରେ ସୂଚନା ଦେଉଛନ୍ତି ଲୋକେ । ସୋରରୁ ଆସିଛି ଏଭଳି ହୃଦୟ ବିଦାରକ ଖବର।

ତେବେ ବର୍ତ୍ତମାନ ନିଜର ଲୋକକୁ ହରାଇବା ପରେ ଘଟଣାସ୍ଥଳରେ ପହଁଚୁଛନ୍ତି ମୃତକଙ୍କ ପରିବାର ଲୋକେ। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ ଏବେ ସେଠାରେ ମୃତଦେହ ଚିହ୍ନଟ କରିବା ସହଜସାଧ୍ୟ ହେଉ ନଥିବା ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେବ ବୋଲି କୁହାଯାଉଛି।

ଏପଟେ ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍‌ ଟ୍ରାଜେଡି । ଭୟଙ୍କର ଓ ଛାତିଥରା ଦୁର୍ଘଟଣା । ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କା ସମସ୍ତଙ୍କ ନିଦ ହଜାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି । ଆହତ ହୋଇଛନ୍ତି ପ୍ରାୟ ୯ଶହରୁ ଅଧିକ । ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ୩ ଶହ ବି ଛୁଇଁପାରେ । ଏବେ ଦୁର୍ଘଟଣା ସ୍ଥଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍‌ ।

ଏପଟେ ଖବର ଥାଉକି, ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଏହା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ଗତକାଲି ବି ଶୁକ୍ରବାର । ସେଦିନ ବି ରାତି ପ୍ରାୟ ୭ଟା ପରେ ଗତକାଲିର ଦୁର୍ଘଟଣା ବି ପାଖାପାଖି ସେହି ସମୟରେ ଘଟିଥିଲା । ୧୪ ବର୍ଷ ତଳର କାଳ ଶୁକ୍ରବାର ଯେମିତି ଦୋହରାଇଛି ତାର ସେହି ସମାନ ଦୁର୍ଘଟଣାକୁ । ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ୍‌ ପାଇଁ କାଳ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.