ରୋଗ ଓ ଅକାଳ ମୃତ୍ୟୁରୁ ମୁକ୍ତି ପାଇବା ପାଇଁ କରନ୍ତୁ କାଳାଷ୍ଟମୀ ବ୍ରତ; ଜାଣି ରଖନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ

କାଳାଷ୍ଟମୀ ବ୍ରତ ଭଗବାନ ଶିବଙ୍କ ରୁଦ୍ର ଅବତାର ‘କାଳଭୈରବ’ଙ୍କୁ ସମର୍ପଣ ରହିଛି। ପ୍ରତିମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ବ୍ରତ ରଖାଯାଇଥାଏ। ବୈଶାଖ ମାସର କାଳାଷ୍ଟମୀ ବ୍ରତ ଏପ୍ରିଲ ୨୩ ତାରିଖ ଶନିବାର ପାଳନ କରାଯିବ। ଏହି ଦିନ କାଳଭୈରବଙ୍କୁ ବିଧି ବିଧାନର ସହ ପୂଜା କରାଯାଇଥାଏ। ବିଶେଷ କରି ଯେଉଁମାନଙ୍କ ଜାତକରେ ରାହୁ ଦୋଷ ରହୁଛି, ସେମାନେ କାଳଭୈରବଙ୍କ ପୂଜା ନିଷ୍ଠାର ସହ କରିବା ଉଚିତ୍‌।

ମାନ୍ୟତା ରହିଛି, କାଳଭୈରବଙ୍କ ପୂଜା କରିବା ଦ୍ୱାରା ଭକ୍ତମାନଙ୍କୁ ରୋଗ, ଅଜଣା ଭୟ ଓ ଅକାଳ ମୃତ୍ୟୁ ଡରରୁ ମୁକ୍ତି ମିଳିଥାଏ। ଏଥିପାଇଁ ବ୍ରତଧାରୀମାନେ ଶୁଭ ମୁହୂର୍ତ୍ତରେ ନିଶ୍ଚୟ ପୂଜା କରନ୍ତୁ। ଏଥର ବୈଶାଖ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ସକାଳ ୬ଟା ୨୭ରୁ ଆରମ୍ଭ ହୋଇ ରବିବାର ଅପରାହ୍ନ ୪ଟା ୨୯ରେ ସମାପ୍ତ ହେବ।

କାଳାଷ୍ଟମୀ ପୂଜା ମୁହୂର୍ତ୍ତ ୨୦୨୨

ଏଥର କାଳାଷ୍ଟମୀ ବ୍ରତ ଦିନ ତ୍ରିପୁଷ୍କର ଯୋଗ ଏବଂ ସର୍ଭାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେଉଛି। ଏମିତି ଶୁଭ ଯୋଗରେ ପୂଜା କରିବା ଦ୍ୱାରା ମିଳୁଥିବା ଫଳ ବଢ଼ିଯାଇଥାଏ। ସର୍ଭାର୍ଥ ସିଦ୍ଧି ଯୋଗ ୨୩ ଏପ୍ରିଲ ସନ୍ଧ୍ୟା ୬ଟା ୫୪ରୁ ଆରମ୍ଭ ହୋଇ ୨୪ ଏପ୍ରିଲ ସକାଳ ୫ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏଣୁ ଭକ୍ତମାନେ ସକାଳୁ ରାତି ପର୍ଯ୍ୟନ୍ତ କେତେବେଳେ ବି ପୂଜା କରି ପାରିବେ। ସେପଟେ ଅଭିଜିତ ମୁହୂର୍ତ୍ତ ପୂର୍ବାହ୍ନ ୧୧ଟା ୫୪ରୁ ଦ୍ୱିପ୍ରହର ୧୨ଟା ୪୬ ମିନିଟ୍‌ ପର୍ଯ୍ୟନ୍ତ ରହିବ।

ଏମିତି କରନ୍ତୁ ପୂଜା

କାଳାଷ୍ଟମୀ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ନିଅନ୍ତୁ। ଏହାପରେ ବ୍ରତର ସଂକଳ୍ପ ନେଇ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାନ୍ତୁ। ପୁଣି କାଳଭୈରବ ଦେବଙ୍କୁ ପୂଜା କରନ୍ତୁ। ଭଗବାନଙ୍କୁ ପଞ୍ଚାମୃତ, କ୍ଷୀର, ଦହି, ବେଲପତ୍ର, ଫଳ, ଫୁଲ, ଧୂପ, ଦୀପ ଆଦି ଅର୍ପଣ କରନ୍ତୁ। ଶେଷରେ ଭଗବାନ ଶିବଙ୍କ ଆଳତି କରନ୍ତୁ। ଭଗବାନଙ୍କ ନିକଟରେ ନିଜର ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତୁ। କାଳାଷ୍ଟମୀ ବ୍ରତରେ ପୂରା ଦିନଯାକ କିଛି ଖିଆଯାଇ ନ ଥାଏ। କିନ୍ତୁ ସନ୍ଧ୍ୟା ଆଳତି ପରେ ଆପଣ ଫଳ ଆହାର କରି ପାରିବେ। ପରଦିନ ସକାଳେ ସ୍ନାନ-ପୂଜା ସାରି ବ୍ରତର ସମାପ୍ତି କରିବେ।

କିପରି କରିବେ କାଳଭୈରବଙ୍କୁ ପ୍ରସନ୍ନ

-କୌଣସି କାମରେ ଆସୁଥିବା ବାଧାକୁ ଦୂର କରିବା ପାଇଁ କାଳାଷ୍ଟମୀ ଦିନ ଭଗବାନ ଭୈରବଙ୍କୁ ଗୋଲମରିଚ, କଳା ବିରିକୁ ଏକ କଳା କପଡ଼ାରେ ବାନ୍ଧି ଅର୍ପଣ କରନ୍ତୁ। ଏହାଦ୍ୱାରା ଶତ୍ରୁଠାରୁ ବିଜୟ ହାସଲ କରିବା ସହ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହୋଇଥାଏ।

-କାଳଭୈରବଙ୍କ କୃପା ଜୀବନରେ ଚାହୁଁଥିଲେ କାଳାଷ୍ଟମୀ ଦିନ ମନ୍ଦିର ଯାଇ ସିନ୍ଦୁର ଓ ତେଲ ଅର୍ପଣ କରନ୍ତୁ। ଏହାପରେ କାଳଭୈରବଙ୍କ ମନ୍ତ୍ର ମଧ୍ୟ ଜପ କରିପାରିବେ।

-କାଳଭୈରବଙ୍କୁ କାଳାଷ୍ଟମୀ ଦିନ ଲେମ୍ବୁ ଚଢ଼ାଇବା ଦ୍ୱାରା ମନବାଞ୍ଝା ପୂରଣ ହୋଇଥାଏ।

-ଶାସ୍ତ୍ରରେ କୁକୁରକୁ କାଳଭୈରବଙ୍କ ବାହନ କୁହାଯାଇଥାଏ। ତେଣୁ ଭୈରବଙ୍କୁ ପ୍ରସନ୍ନ କରିବା ପାଇଁ କାଳାଷ୍ଟମୀ ଦିନ କଳା କୁକୁରକୁ ଭୋଜନ କରାନ୍ତୁ। ଏହାଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.